ନାଟକର ନାଁ ‘ଅପହରଣ’ ! ଜଗତସିଂହପୁରରେ ରାଜନୀତିର ଯାତ୍ରା

158

କନକ ବ୍ୟୁରୋ : ଠିକ୍ ବ୍ଲକ୍ ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଆଣିଛନ୍ତି ସାଂଘାତିକ୍ ଅଭିଯୋଗ । ରଘୁନାଥପୁର ବ୍ଲକର ଉପାଧ୍ୟକ୍ଷ ପଦ ହାତେଇବା ପାଇଁ ଜଣେ ସମିତି ସଭ୍ୟଙ୍କୁ କରାଯାଇଛି ଅପହରଣ । ଆଉ ଏହି ସମଗ୍ର ଘଟଣାରେ ବରିଷ୍ଠ ନେତା ତଥା ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଆଡକୁ ଇସାରା କରିଛନ୍ତି ତିର୍ତୋଲ ବିଧାୟିକା । ସିଧା ନାଁ ନେଇନାହାନ୍ତି ହେଲେ ଆଙ୍ଗୁଠି ଉଠିଛି ବିଷ୍ଣୁଙ୍କ ଆଡକୁ ।

ତେବେ ଗଣମାଧ୍ୟମର ଚାପରେ ଆସି ଏହି ଦୁଇ ଜଣ ସମିତି ସଭ୍ୟଙ୍କୁ ଛାଡ଼ି ଦିଆଯାଇଥିବା କନକ ନ୍ୟୁଜକୁ ସେ ସୂଚନା ଦେଇଛନ୍ତି । ଏଥିସହ ଏହି ଦୁଇ ଅପହୃତଙ୍କ ଉପସ୍ଥିତିରେ ପୁରା ଷଡଯନ୍ତ୍ରର ଖୁଲାସା କରାଯିବ ବୋଲି ରାଜଶ୍ରୀ ମଲ୍ଲିକ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ।

ସେପଟେ ରାଜଶ୍ରୀଙ୍କ ଅଭିଯୋଗ ଶୁଣି ବିଷ୍ଣୁ ନିଆଁବାଣ । ଉଗାଳିଛନ୍ତି ଅଗ୍ନି । କହିଛନ୍ତି, ରାଜଶ୍ରୀ ନୂଆ ନୂଆ ରାଜନୀତି କରୁଛନ୍ତି । ଯଦି ଅଭିଯୋଗ ପ୍ରମାଣିତ ହୁଏ ସେ ରାଜନୀତିରୁ ସନ୍ୟାସ ନେବେ, ଆଉ ଭୁଲ ପ୍ରମାଣିତ ହେଲେ ବିଧାୟିକା କଣ କରିବେ? ଖାଲି ଏତିକି ନୁହେଁ, ପାଲଟା ଅଭିଯୋଗ କରିଛନ୍ତି, ରାଜଶ୍ରୀ ଅପହରଣରେ ଓସ୍ତାଦ ।

ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ବେଳେ ବି ଆସିଥିଲା ଅନୁରୁପ ଅଭିଯୋଗ । ଯେଉଁଥିରେ ବିଷ୍ଣୁ ଦାସଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଦୌଡ଼ରୁ ହଟାଇବା ପାଇଁ ଏମିତି ଏକ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଆଉ ଏହି ଦୁଇ କ୍ୟାମ୍ପର ଲଢେଇ ଜଗତସିଂହପୁର ରାଜନୀତିକୁ ସରଗରମ କରିଛି ।

ଦାମ ରାଉତ, ବିଷ୍ଣୁ ଦାସ ଏବଂ ରାଜଶ୍ରୀ ମଲ୍ଲିକ । ଜଗତସିଂହପୁର ରାଜନୀତିର ତିନି ଚର୍ଚ୍ଚିତ ଚେହେରା । ବିଜେଡି ସଂଗଠନର ମଙ୍ଗ ନିଜ ହାତରେ ନେବାକୁ ପରସ୍ପର ଭିତରେ ଛକାପଂଝା । ତେବେ ବଡ କଥା ହେଉଛି, ପଂଚାୟତ ନିର୍ବାଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ନିର୍ବାଚନ କମିଶନ ଅନବରତ ପ୍ରାୟ କରୁଥିବା ବେଳେ ରାଜ୍ୟର କୋଣଅନୁକୋଣରୁ ଆସୁଛି ଏଭଳି ଅପହରଣ ଅଭିଯୋଗ । ଏବଂ ଜଗତସିଂହପୁର ଜିଲ୍ଲାରୁ ଆସିଥିବା ଏହି ଅଭିଯୋଗ ବିଜେଡିର ଆଭ୍ୟନ୍ତିରଣ ରାଜନୀତିକୁ ସରଗରମ କରିଛି ।