ନୂଆବର୍ଷରେ ମଝି ରାତିରେ ଖୋଲିବ ଶ୍ରୀମନ୍ଦିର ! ରାତି ୨ଟାରେ ଦର୍ଶନ କରିପାରିବେ ଭକ୍ତ, ଗୋବର୍ଦ୍ଧନ ପୀଠ ଓ ହିନ୍ଦୁମହାସଭାର ବିରୋଧ ।

169

କନକ ବ୍ୟୁରୋ : ନୂଆବର୍ଷ ପାଇଁ ରାତି ଅଧରେ ଶ୍ରୀମନ୍ଦିର ଦ୍ୱାର ଖୋଲିବ, ଆଉ ଦିଅଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାତିରେ ଦର୍ଶନ ଲାଗି  ବ୍ୟବସ୍ଥା କରୁଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ରାତିରେ ଶ୍ରୀମନ୍ଦିର ପହଡ଼ ଖୋଲିବାକୁ ବିରୋଧ କରିଛି ପୁରୀ ଗୋବର୍ଦ୍ଧନ ପୀଠ ଓ ହିନ୍ଦୁ ମହାସଭା । ହିନ୍ଦୁ ନବବର୍ଷରେ ଶ୍ରୀମନ୍ଦିର ନଖୋଲି ଇଂରାଜୀ ନବବର୍ଷରେ ରାତି ଅଧରେ ଶ୍ରୀମନ୍ଦିର ଖୋଲିବାରେ କୌଣସି ଯଥାର୍ଥତା ନାହିଁ କହିଛନ୍ତି ଏହି ଦୁଇ ସଂଗଠନ ।

ନୂଆବର୍ଷ ଉପଲକ୍ଷେ ମଧ୍ୟରାତିରେ ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ଦର୍ଶନ । ଅର୍ଥାତ ନୂଆବର୍ଷ ଅବସରରେ ଡିସେମ୍ବର ୩୧ ତାରିଖ ରାତିରେ ଶ୍ରୀମନ୍ଦିର ଦ୍ୱାର ଖୋଲାରହିବ । ରାତିରେ ବଡ଼ଠାକୁରଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସୋମବାର ରାତି ସାଢ଼େ ୯ଟାରେ ଶ୍ରୀମନ୍ଦିରର ପହଡ଼ ପଡ଼ିବ । ରାତି ସାଢ଼େ ୧ଟା ବେଳେ ଦ୍ୱାରା ଫିଟାଯିବ ଓ ରାତି ୨ଟାରୁ ଦର୍ଶନ କରିପାରିବେ । ନୂଆବର୍ଷ ପାଇଁ ଛତିଶା ନିଯୋଗ ସହ ଆଲୋଚନା କରି ସ୍ୱତନ୍ତ୍ର ନୀତି ନିର୍ଘଂଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ରାତି ୩ଟାରେ ଭିତର ଶୋଧ, ୩ଟା ୩୦ରେ ମଙ୍ଗଳ ଆଳତୀ, ରାତି ୪ଟାରେ ରୋଷହୋମ, ସାଢ଼େ ୪ଟାରେ ମଇଲମ ଓ ତଡ଼ପ ଲାଗି ଅନୁଷ୍ଠିତ ହେବ । ସେହିପରି ଜାନୁଆରୀ ୧ ତାରିଖ ସକାଳ ସାଢ଼େ ୬ରୁ ୭ଟା ଭିତରେ ପହିଲି ଭୋଗ ନୀତି ସମାପନ ହେବ । ଦିନ ୧୧ରୁ ୧୨ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ ମଧ୍ୟାହ୍ନ ଧୂପ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦିନ ୧୧ଟାରେ ମହାପ୍ରସାଦ ବାହାରିବାର ବ୍ୟବସ୍ଥା ହୋଇଛି ।

ସେପଟେ ଅଧା ରାତିରେ ଶ୍ରୀମନ୍ଦିର ଖୋଲିବାକୁ ବିରୋଧ କରିଛି ଶଙ୍କରାଚାର୍ଯ୍ୟ ମଠ ଓ ହିନ୍ଦୁ ମହାସଭା । ହିନ୍ଦୁ ନବବର୍ଷରେ ଶ୍ରୀମନ୍ଦିର ନଖୋଲି ଇଂରାଜୀ ନବବର୍ଷରେ ରାତି ଅଧରେ ଶ୍ରୀମନ୍ଦିର ଖୋଲିବାରେ କୌଣସି ଯଥାର୍ଥତା ନଥିବା କୁହାଯାଇଛି ।

ନୂଆବର୍ଷ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୫୦ ପ୍ଲାଟୁନ୍ ପୋଲିସ ମୂତୟନ ହେବା ସହ ସୁରକ୍ଷା ଦାୟିତ୍ୱରେ ରହିବେ ୫୦୦ ପୋଲିସ ଅଧିକାରୀ । ୩୦ ତାରିଖ ରାତିରୁ ୨ ତାରିଖ ସକାଳ ପର୍ଯ୍ୟନ୍ତ ରହିବ ଏହି ସୁରକ୍ଷା ବ୍ୟବସ୍ଥା । ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ନୀତିକାନ୍ତିକୁ ଶାନ୍ତି ଶୃଙ୍ଖଳାର ସହ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ରାତି ଅଧରେ ମନ୍ଦିର ଖୋଲାଯିବାକୁ ନେଇ ବିରୋଧ କରିବ ଗୋବର୍ଦ୍ଧନ ପୀଠ ଓ ହିନ୍ଦୁ ମହାସଭା ।