ଆସନ୍ତାକାଲି ରଥଯାତ୍ରା । ସଜେଇ ହୋଇଛି ପାରଳା ବଡ଼ଦାଣ୍ଡ

122

କନକ ବ୍ୟୁରୋ : ଘୋଷଯାତ୍ରା ପାଇଁ ସଜେଇ ହୋଇଛି ପାରଳା ବଡ଼ଦାଣ୍ଡ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତିବର୍ଷ ପାରଳାଖେମୁଣ୍ଡିରେ ବେଶ ଧୁମଧାମରେ ନବଦିନାତ୍ମକ ଘୋଷଯାତ୍ରା ପାଳନ କରାଯାଏ । ପୌରପରିଷଦ ପକ୍ଷରୁ ବଡ଼ଦାଣ୍ଡରେ ବିଭିନ୍ନ ପ୍ରକାରର ଝୋଟି ଅଙ୍କାଯାଇ ବଡ଼ଦାଣ୍ଡକୁ ସୁନ୍ଦର କରାଯାଇଛି । କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା କେବଳ ରୀତିନୀତି ମଧ୍ୟରେ ଏହା ସୀମିତ ଥିଲା ।

ଚଳିତ ବର୍ଷ ରଥଟାଣିବା ସହ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ଉତ୍ସାହିତ ଅଛନ୍ତି । ମନ୍ଦିର ନିକଟ ରାସ୍ତାରେ ରଙ୍ଗ କାମ କରିବା ସହ ବିଭିନ୍ନ ପ୍ରକାର ଝୋଟି ଆଙ୍କିଛି ପୌର ପ୍ରଶାସନ । ସେହିପରି ରଥଯାତ୍ରା ଅବସରରେ ବ୍ୟବସାୟୀ ମାନେ ଭଲ ବ୍ୟବସାୟ ଆଶାରେ ଷ୍ଟଲ ଖୋଲିବା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚି ସାରିଛନ୍ତି । ତେବେ ପାରଳାଖେମୁଣ୍ଡି ରଥଯାତ୍ରା ଦେଖିବା ପାଇଁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ଲୋକେ ଆସିଥାଆନ୍ତି । ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।