ରଥଯାତ୍ରାରୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ, ଚାଲିଛି ସରକିଟ୍ ପ୍ରସ୍ତୁତି: କନକ ନ୍ୟୁଜ୍ କନକ୍ଲେଭରେ ଘୋଷଣା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 

154

କନକ ବ୍ୟୁରୋ: ଶ୍ରୀରାମ ଏକ୍ସପ୍ରେସ ଭଳି ଚାଲିବ ଜଗନ୍ନାଥ ଏକ୍ସପ୍ରେସ୍ । ଶ୍ରୀରାମଙ୍କ ସଂସ୍କୃତିକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚାଇବା ପାଇଁ, ଯେମିତି ଶ୍ରୀରାମ ଏକ୍ସପ୍ରେସ ଚାଲିଛି ଠିକ୍ ସେମିତି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର, ପ୍ରସାର ପାଇଁ ଗଡିବ ଜଗନ୍ନାଥ ଏକ୍ସପ୍ରେସ । ଏହି ଏକ୍ସପ୍ରେସ ଆସନ୍ତା ରଥଯାତ୍ରାରୁ ଗଡିବା ଆରମ୍ଭ କରିବ । ଏଥିପାଇଁ ପ୍ରସ୍ତୁତି ଚାଲିଛି । କନକ ନ୍ୟୁଜ ଓଡିଶା ନିର୍ମାଣ କନକ୍ଲେଭରେ ଯୋଗ ଦେଇ ଏହି ବଡ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ । କହିଛନ୍ତି, ଜଗନ୍ନାଥ ଏକ୍ସପ୍ରେସ୍ ଜରିଆରେ ବିଶ୍ୱ ସ୍ତରରେ ପହଁଚିବ ଜଗନ୍ନାଥଙ୍କ ସଂସ୍କୃତି ।

ଓଡିଶା ନିର୍ମାଣ କନକ୍ଲେଭ ମଂଚରୁ ଆଉ ଏକ ବଡ ଘୋଷଣା କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଓଡିଶାକୁ ଖୁବ୍ ଶୀଘ୍ର ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ସେହିପରି ଓଡିଶାରେ ମେଟ୍ରୋ ଟ୍ରେନ୍ ଚାଲି ପାରିବ କି ନାହିଁ ପ୍ରଶ୍ନର ଉତରରେ ମନ୍ତ୍ରୀ କହିଛନ୍ତି, ମେଟ୍ରୋ ଟ୍ରେନ୍ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇ ନାହାଁନ୍ତି । ପ୍ରସ୍ତାବ ଦେଲେ ନିଶ୍ଚିତ ସହଯୋଗ କରାଯିବ । ଓଡି଼ଶାରେ ମେଟ୍ରୋ ଟ୍ରେନ୍ ଚାଲିବା ପାଇଁ ଯଥାର୍ଥତା ରହିଛି ।

ଓଡିଶାରେ ୫-ଜି ସେବା କେବେ ଆରମ୍ଭ ହେବ, ଏହାକୁ ନେଇ ଆଶା ଆଶଙ୍କା ଭିତରେ, ଆଶ୍ୱସ୍ତି କଲା ଭଳି ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ଓ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କନକ ନ୍ୟୁଜ୍ର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ମିଳିବ ଫାଇଭ୍-ଜି । ୩ ମାସ ଭିତରେ ରାଜ୍ୟବାସୀ ପାଇବେ ଫାଇଭ୍-ଜି ସେବା  ।

କେବଳ ଏତିକି ନୁହେଁ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର, କେମିତି ଓଡିଶାକୁ ଗୁରୁତ୍ୱ ଦେଉଛନ୍ତି, ତାହା ବଖାଣିଛନ୍ତି କେନ୍ଦ୍ରମନ୍ତ୍ରୀ ।