ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର ! ବଳିଆର ସ୍ୱାସ୍ଥ୍ୟରେ ଉନ୍ନତି, ଭେଂଟିଲେଟରରୁ ବାହାରି ଆଇସିୟୁରେ ଚାଲିଛି ଚିକିତ୍ସା

39

କନକ ବ୍ୟୁରୋ: ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର । ଭେଂଟିଲେଟରରୁ ବାହାରିଲା ବଳିଆ । ଦ୍ୱିତୀୟ ପର୍ଯ୍ୟାୟ ଅପରେସନର ଗୋଟିଏ ମାସ ପରେ ବଳିଆ ଗତକାଲି ଭେଂଟିଲେଟରରୁ ବାହାରିଛି । ଶୁକ୍ରବାର ରାତିରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ସଂକେତ ମିଳିବା ପରେ ବଳିଆକୁ ଭେଂଟିଲେଟରରୁ ବାହାର କରାଯାଇ ଅବଜର୍ଭେସନରେ ରଖାଯାଇଥିଲା ।

ଗୋଟିଏ ଦିନର ଅବଜର୍ଭେସନ ସମୟରେ ବଳିଆର ପ୍ରତିଟି ମୂହୁର୍ତ୍ତର ସ୍ୱାସ୍ଥ୍ୟାବସ୍ଥା ଯାଂଚ କରାଯାଇ ରେକର୍ଡ କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସନ୍ତୋଷଜନକ ଥିବା ଜଣାପଡିବା ପରେ ଗତକାଲି ସନ୍ଧ୍ୟାରେ ବଳିଆକୁ ଭେଂଟିଲେଟରରୁ ବାହାର କରାଯାଇଛି । ତାକୁ ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି । ଆଇସିୟୁରେ ବଳିଆକୁ ନାକବାଟେ ମହୁ ଓ କ୍ଷୀର ଦିଆଯାଉଥିବା ଜଣାପଡିଛି । ବଳିଆ ଏବେ କିଛି ମାତ୍ରାରେ ବିପଦମୁକ୍ତ ହୋଇଛି । ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବ ବୋଲି ଡାକ୍ତରୀଦଳ ଆଶା ପ୍ରକାଶ କରିଛନ୍ତି ।

ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଗାକୁ ଶନିବାର ଭେଣ୍ଟିଲେଟରରୁ ବାହାର କରି ଆଇସିୟୁରେ ରଖାଯାଇଛି । ଏହା ପୂର୍ବରୁ ଡାକ୍ତରୀଟିମ୍ ଜଗାକୁ ୨୪ ଘଣ୍ଟା ଅବଜରଭେସ୍ନ କରିଥିଲେ । ବର୍ତ୍ତ ମାନ ଜଗାକୁ ଆଇସିୟୁରେ ରଖି ନାକ ବାଟେ ତରଳ ପଦାର୍ଥ ଯଥା ମହୁ ଓ କ୍ଷୀର ଖାଇବାକୁ ଦିଆଯାଉଛି । ବଳିଆକୁ କ୍ରିଟିକାଲ କେୟାର ସ୍ପେସାଲିଷ୍ଟ୍ ଦଳ ଲଗାତାର ନିରୀକ୍ଷଣରେ ରଖିଛନ୍ତି । ତେବେ ବଳିଆର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତଥା ହୃତପିଣ୍ଡ, କିଡନି ଓ ଲିଭର ଠିକ୍ ଭାବେ କାର୍ୟ୍ୟ କରୁଥିବା ଜଣାପଡ଼ିଛି । ତା’କୁ ବାରମ୍ବାର ବାତ ମାରିବା ସମସ୍ୟାରେ ମଧ୍ୟ ସାମାନ୍ୟ ଉନ୍ନତି ଆସିଥିବା ଜଣାପଡ଼ିଛି । ସମସ୍ତ ମସ୍ତିଷ୍କ କୋଷ ରିଫ୍ଲେକ୍ସ ଠିକ୍ ଥିବା ଯୋଗୁଁ ତା’ର ସ୍ୱାସ୍ଥ୍ୟାବସ୍ଥାରେ ନିଶ୍ଚିତ ସୁଧାର ଆସିବ ବୋଲି ଡାକ୍ତରୀଦଳ ଆଶାବାଦୀ ଅଛନ୍ତି ।

ସୂତ୍ର ଅନୁଯାୟୀ, ବଳିଆ ଏହି ମାସକ ମଧ୍ୟରେ ୫ରୁ ୬ ଥର ଗୋଡ଼ ହାତ ହଲେଇଥିଲା ଏବଂ ମଝିରେ ଟିକିଏ ଆଖି ଖୋଲିଥିଲା । କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ବଳିଆ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଖି ନଖୋଲିଛି, ସେ ପର୍ଯ୍ୟନ୍ତ ସେ ଆଖି ଖୋଲିଛି ବୋଲି କହିହେବନି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଯେଉଁ ପ୍ଲାଷ୍ଟିକ୍ ସର୍ଜରି କରାଯାଇଥିଲା ସେଥିରେ ମୁଣ୍ଡକୁ ସମ୍ପୂର୍ଣ୍ଣ ରୂପେ ଢଙ୍କାଯାଇନଥିବାରୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଉଛି । ଅପରପକ୍ଷେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ସ୍ୱାଭାବିକ ଭାବେ ଜଗା ଖିଆ ପିଆ କରୁଛି, ଖେଳୁଛି ତଥା ମା’ ଓ ବାପାଙ୍କ ସହିତ ଅଧିକାଂଶ ସମୟ ବିତାଉଛି ।