କଟକ ବଡ଼ମେଡିକାଲରେ ଜଗା। ଏସସିବି ମେଡିକାଲରେ ଯାଞ୍ଚ କରାଯାଉଛି ସ୍ୱାସ୍ଥ୍ୟବସ୍ଥା।

121

କନକ ବ୍ୟୁରୋ : କଟକ ବଡ଼ମେଡିକାଲରେ ଅଛି ଜଗା । ପ୍ରାୟ ଦେଢ଼ ବର୍ଷ ବ୍ୟବଧାନରେ ଜଗା ସ୍ୱାସ୍ଥ୍ୟବସ୍ଥା ଏସସିବି ମେଡିକାଲରେ ଯାଞ୍ଚ କରାଯାଉଛି । କଟକ ବଡ ମେଡିକାଲର ଟ୍ରମା କେୟାରରେ ଜଗାକୁ ରଖାଯାଇଛି । ଏସସିବି ମେଡିକାଲରେ ଜଗାର ସିଟି ସ୍କାନ ଓ ଏମଆରଆଇ କରାଯାଇଛି । ଦିଲ୍ଲୀ ଏମ୍ସରୁ ଜଗାର ଅସ୍ତ୍ରୋପଚାର କରିଥିବା ନ୍ୟୁରୋ ସର୍ଜନ ଡାକ୍ତର ଦୀପକ ଗୁପ୍ତା କଟକ ପହଞ୍ଚିଛନ୍ତି । ଦିଲ୍ଲୀ ଏମ୍ସର ଦୀପକ ଗୁପ୍ତା ଦୁଇ ଦିନ ରହି ଜଗାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ ବୋଲି ସୂଚନା ମିଳିଛି ।

୭ ବର୍ଷିୟ ଜଗାକୁ ଏବେ ଟ୍ରମା କାଜୁଆଲିଟିର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଛି । ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଦିଲ୍ଲୀ ଏମ୍ସରେ ଯୋଡାମୁଣ୍ଡ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଅପରେସନ ପରେ ଜଗା ସୁସ୍ଥ ହୋଇଥିବା ବେଳେ ବଳିଆକୁ କିନ୍ତୁ ବଞ୍ଚା ପାରିନଥିଲେ ଡାକ୍ତର । ଗତକାଲି ନ୍ୟୁରୋସର୍ଜରି ବିଭାଗ ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଜଗାର ଏମ୍ଆରଆଇ କରାଯାଇଥିଲା । ଜଗା ମୁଣ୍ଡରେ ଖପୁରୀ ପ୍ରତ୍ୟାରୋପଣ କରାଯିବା ନେଇ ଏମ୍ସ ଡାକ୍ତର ଦୀପକ ଗୁପ୍ତା ଅନୁଧ୍ୟାନ କରିବେ । କାରଣ ଯୋଡା ମୁଣ୍ଡରୁ ଅଲଗା ହେବା ପରଠୁ ଜଗା ମୁଣ୍ଡରେ ଖପୁରୀ ପ୍ରତ୍ୟାରୋପଣ କରାଯାଇ ନାହିଁ । ମୁଣ୍ଡରେ ଖପୁରୀ ନଥିବାରୁ ଜଗାକୁ ସବୁ ବେଳେ ଏକ ହେଲମେଟ ପିନ୍ଧି ରହିବାକୁ ପଡୁଛି । ଜଗାର ଚେକଅପ ପାଇଁ ଏସସିବି କର୍ତୃପକ୍ଷ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି ।