ମୋଦୀ ଷ୍ଟାଡିୟମରେ ଜାଡେଜାଙ୍କ ଫିନିସର ଭୂମିକା, ଶେଷ ଦୁଇ ବଲରେ ୧୦ ରନ୍ କରି ଚେନ୍ନାଇକୁ ପିନ୍ଧାଇଲେ ଚାମ୍ପିୟନର ଟିକା

267

କନକ ବ୍ୟୁରୋ : ଧୋନିଙ୍କୁ ଜାଡେଜା ଦେଲେ ଉପହାର । ଭେଟିଦେଲେ ଅବିସ୍ମରଣୀୟ ବିଜୟ । କ୍ରିକେଟ୍ ଦୁନିଆରେ ‘ଦି ଗ୍ରେଟ୍ ଫିନିସର’ ଭାବେ ବେଶ ପରିିଚିତ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । କିନ୍ତୁ ସୋମବାର ଧୋନିଙ୍କ ଏହି ଭୂମିକା ତୁଲାଇଥିଲେ ସାର୍ ଜାଡେଜା । ଶେଷ ଓଭରରେ ବିଜୟ ପାଇଁ ଦରକାର ଥିଲା ୧୩ ରନ୍ । ପ୍ରଥମ ୪ ବଲରେ ୩ ରନ୍ କରିଥିଲା ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ । ମୋହିତ ଶର୍ମା ଯେଉଁଭଳି ବୋଲିଂ କରୁଥିଲେ, ଲାଗୁଥିଲା ଚେନ୍ନାଇ ପକ୍ଷେ ଶେଷ ଦୁଇ ବଲରେ ୧୦ ରନ୍ କରିବା ଅସମ୍ଭବ । କିନ୍ତୁ ସାର୍ ଜାଡେଜା ଖେଳକୁ ରାଜକୀୟ ଢଙ୍ଗରେ ଶେଷ କରିଥିଲେ । ଶେଷ ୨ ବଲରୁ ଛକ୍କା ଓ ଚୌକା ମାରି ମ୍ୟାଚକୁ ଚେନ୍ନାଇ ସପକ୍ଷରେ କରିଥିଲେ ଜାଡେଜା । ଏଥିସହ ପଂଚମ ଆଇପିଏଲ ଟ୍ରଫି ହାତେଇ ମୁମ୍ବାଇ ସହ ସମକକ୍ଷ ହୋଇଥିଲା ଚେନ୍ନାଇ । ସବୁଠାରୁ ବଡ କଥା ହେଲା ସବୁ ପରିସ୍ଥିତିରେ ସ୍ଥିର ପ୍ରତିକ୍ରିୟା ପ୍ରକାଶ କରୁଥିବା ମାହିଙ୍କୁ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଥିଲା । ଆଉ ଖୁସି ଏତେ ମାତ୍ରାରେ ଥିଲା ଯେ ମ୍ୟାଚ୍ ବିଜୟର ନାୟକ ଜାଡେଜାଙ୍କୁ ଖୁସିରେ ଟେକି ପକାଇଥିଲେ ଧୋନି । ରାତି ବଢୁଥିଲା । ବର୍ଷା ବି ହେଉଥିଲା । ଆଶା ଠାରୁ ବହୁ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା । କିନ୍ତୁ ଷ୍ଟାଡିୟମ ପରିସରରେ ଦର୍ଶକଙ୍କ ଉତ୍ସାହରେ ବର୍ଷାର ଛିଟା ଅବା ସମୟର ବିଳମ୍ବ ତିଳେମାତ୍ର ପ୍ରଭାବ ପକାଇପାରୁନଥିଲା । ରବିବାର ମ୍ୟାଚ୍ ବାତିଲ ପରେ ବି ସୋମବାର ପୁଣି ଫାଇନାଲର ମୁକସାକ୍ଷୀ ବନିବା ପାଇଁ ଶେଷ ଯାଏଁ ପଡିଆରେ ଉପସ୍ଥିତ ଥିଲେ ଲକ୍ଷାଧିକ କ୍ରିକେଟ୍ ପ୍ରେମୀ । ଆଉ ଏହାମଧ୍ୟରେ କ୍ରିକେଟ ଦୁନିଆର ହସ୍ତିଙ୍କ ସହ ବଲିଉଡ ସେଲିବ୍ରେଟି ମଧ୍ୟ ଥିଲେ । ମ୍ୟାଚ ପରେ ପୁରା ଷ୍ଟାଡିୟମରେ ‘ମାହି ମାହି’ ଗୁଂଜରିତ ହୋଇଥିଲା । ଆଉ ଅମାପ ଭଲପାଇବାର ପ୍ରତିଉତରରେ ପୁଣି ଏକ ସଂସ୍କରଣରେ ନଜର ଆସିବେ ବୋଲି କହି ମାହି ନିଜ କୋଟିକୋଟି ପ୍ରଶଂସକଙ୍କୁ ପୁରସ୍କାର ଭେଟି ଦେଇଥିଲେ । ଏମିତିକି ଚେନ୍ନାଇ ବିମାନବନ୍ଦରରେ ପଂହଚିବା ପରେ ସ୍ୱାଗତ କରିବା ପାଇଁ ଶହ ଶହ ସିଏସକେ ପ୍ରଶଂସକ ପଂହଚିଥିଲେ ।