ଆମେରିକାରେ ଗବେଷଣା ପାଇଁ ଓଡିଆ ପିଲାଙ୍କୁ ସୁଯୋଗ । ପ୍ରତିଷ୍ଠା ହୋଇଛି ଜେଏମ୍ ମେମୋରିଆଲ ସ୍କଲାରସିପ୍

92

କନକ ବ୍ୟୁରୋ : ଆମେରିକା । ଏ ଶବ୍ଦ ଏମିତି ଗୋଟିଏ ଦେଶର ଛବି ଆମ ସାମ୍ନାରେ ରଖେ ଯାହା ବେଶ୍ ଉନ୍ନତ, ଶକ୍ତିଶାଳୀ, ବିତଶାଳୀ ରାଷ୍ଟ୍ରଟିଏ । ଏଠାକାର ଶିକ୍ଷା ବ୍ୟବସ୍ଥା ବି ବେଶ୍ ଉନ୍ନତ ଆଉ ଆଧୁନିକ । ସାଧାରଣତଃ ଏମିତି ଏକ ଧାରଣା ରହିଆସିଛି ଆମେରିକାରେ ଉଚ୍ଚଶିକ୍ଷା ମିଳିଛି ମାନେ, ମୋଟା ଦରମାରେ ଭଲ ଚାକିରୀ ନିଶ୍ଚିତ । ସେଇଥିପାଇଁ ଭାରତୀୟ ଛାତ୍ରମାନଙ୍କର ଅନ୍ୟତମ ଲକ୍ଷ୍ୟ ଥାଏ ଏଠାରେ ଉଚ୍ଚତର ଶିକ୍ଷା ଆଉ ଗବେଷଣା । କାରଣ ଗବେଷଣା ପାଇଁ ଆମେରିକାରେ ମିଳୁଥିବା ଭିତିଭୂମି ଆଉ କେଉଁଠି ନାହିଁ ।

ହେଲେ ବିଦେଶରେ ରହି ପାଠ ପଢିବାରେ ଅର୍ଥ ଅନେକ ପରିବାର ପାଇଁ ବାଧକ ହୋଇଥାଏ । କିନ୍ତୁ କିଛି ଓଡିଆ ଶିକ୍ଷାବିତ୍ ଯେଉଁମାନେ ଆମେରିକାରେ ଶିକ୍ଷାଦାନ କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ, ସେମାନେ ଓଡିଆ ପିଲାଙ୍କ ପାଇଁ ଆରମ୍ଭ କରିଛନ୍ତି ଏମିତି କିଛି ବ୍ୟବସ୍ଥା ଯାହା ସେମାନଙ୍କୁ ଆମେରିକାରେ ପାଠପଢିବା ପାଇଁ ଏକ ଅପୂର୍ବ ସୁଯୋଗ ଆଣିଦେବ । କାଲିଫର୍ନିଆ ଷ୍ଟେଟ୍ ୟୁନିଭରସିଟି- ସାକ୍ରାମେଂଟୋ କଲେଜ ଅଫ ବିଜିନେସରେ ଶିକ୍ଷାଦାନ କରନ୍ତି ଅଧ୍ୟାପକ ଡକ୍ଟର ପାର୍ଥ ମହାପାତ୍ର ।

ସେ ଏବେ ଆରମ୍ଭ କରିଛନ୍ତି ଜେ ଏମ୍ ସ୍ମାରକୀ ସ୍କଲାରସିପ୍ । ଯାହାର ଲକ୍ଷ୍ୟ ଆମେରିକା, କାନାଡା ଓ ୟୁରୋପୀୟ ଦେଶରେ ପିଏଚଡି କରିବାକୁ ଓଡିଆ ପିଲାଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବା । ସେହିପରି ଡକ୍ଟର ଲିପସା ନବଘନ ମାଧବିକା ଆରିଜୋନା ବିଶ୍ୱବିଦ୍ୟାଳୟରେ ଅଧ୍ୟାପିକା ଭାବେ କାର୍ଯ୍ୟରତ । ଆଗରୁ ଏନଆଇଟି ରାଉରକେଲା, ଥପ୍ପର ବିଶ୍ୱବିଦ୍ୟାଳୟ ପଂଜାବରେ ସଫଳତାର ସହ ଶିକ୍ଷାଦାନ କରିଛନ୍ତି । ଆଉ ଏବେ ଓଡିଆ ପିଲାଙ୍କ ପାଇଁ ତାଙ୍କର ବି ଅନେକ ଯୋଜନା ।