ଭାରତରେ ଆମେରିକା ରାଷ୍ଟ୍ରପତିଙ୍କ ଝିଅ ! ବିଶ୍ୱ ଉଦ୍ୟେଗ ସମ୍ମିଳନୀରେ ଯୋଗଦେବେ ଇଭାଙ୍କା ଟ୍ରମ୍ପ

42

କନକ ବ୍ୟୁରୋ: ଭାରତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ । ବିଳମ୍ବିତ ରାତିରେ ହାଇଦ୍ରାବାଦରେ ପହଁଚିଛନ୍ତି । ଅଷ୍ଟମ ଗ୍ଲୋବାଲ ଏଂଟରପ୍ରେନୁଅରସିପ ସମ୍ମିଟ ବା ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ସେ ଯୋଗଦେବେ । ଏଥିପାଇଁ ଆମେରିକା ଗସ୍ତ ସମୟରେ ତାଙ୍କୁ ଆମନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ନୂଆଦିଲ୍ଲୀ ଓ ନ୍ୟୁୟର୍କର ମିଳିତ ସହଭାଗିତାରେ ଆୟୋଜିତ ହେଉଥିବା ଏହି ବିଶ୍ୱ ସମ୍ମିଳନୀରେ ୧୭୦ଟି ଦେଶରୁ ପ୍ରାୟ ୧୫ଶହ ଶିଳ୍ପପତି ଓ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧି ଯୋଗଦେବେ । ଏବଂ ଆମେରିକା ପ୍ରତିନିଧି ଦଳର ନେତୃତ୍ୱ ନେବେ ଇଭାଙ୍କା ଟ୍ରମ୍ପ ।

ବ୍ୟବସାୟିକ କ୍ଷେତ୍ରରେ ମହିଳା ପ୍ରତିନିଧିତ୍ୱକୁ ଦର୍ଶାଉଥିବା ଏହି ବିଶ୍ୱ ସମ୍ମିଳନୀର ଥିମ ରହିଛି ‘ଓମେନ ଫାଷ୍ଟ, ପର୍ସପରିଟି ଫର ଅଲ’ । ତେବେ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ ଇଭାଙ୍କା ଟ୍ରମ୍ପ । ଚଳିତ ଥରର ବିଷୟବସ୍ତୁ ରହିଛି – ‘ପ୍ରଥମେ ମହିଳା, ସମସ୍ତଙ୍କ ସମୃଦ୍ଧି’ ଏବଂ ପ୍ରଥମ ଥର ଲାଗି ଏଥିରେ ସର୍ବାଧିକ ୫୨.୨ ପ୍ରତିଶତ ମହିଳା ଅଂଶଗ୍ରହଣ କରୁଛନ୍ତି । ଏପରିକି ଆଫଗାନିସ୍ତାନ, ସାଉଦି ଆରବ ଏବଂ ଇସ୍ରାଏଲ ସମେତ ୧୦ରୁ ଅଧିକ ମୁସ୍ଲିମ ରାଷ୍ଟ୍ରର କେବଳ ମହିଳା ଉଦ୍ୟୋଗୀମାନେ ଯୋଗଦେଇ ବିଭିନ୍ନ ଅଧିବେଶନ ଏବଂ କର୍ମଶାଳାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀ ଉଦଘାଟନ କରି ପ୍ରଥମେ ଅଭିଭାଷଣ ରଖିବା ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ଇଭାଙ୍କା ଟ୍ରମ୍ପ୍ ଉଦବୋଧନ ଦେବେ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆଇସିଆଇସିଆଇ ସିଇଓ ଚନ୍ଦା କୋଚରଙ୍କୁ ମଧ୍ୟ ସାକ୍ଷାତ କରିବେ ଇଭାଙ୍କା ଟ୍ରମ୍ପ । ଗ୍ଲୋବାଲ ଏଂଟରପ୍ରେନୁଅର ସମ୍ମିଟରେ ଇଭାଙ୍କାଙ୍କ ଅଭିଭାଷଣ ପରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଆମେରିକାର ପ୍ରାୟ ୩ଶହ ୫୦ ଉଦ୍ୟୋଗପତିଙ୍କ ପ୍ରତିନିଧିତ୍ୱ କରିବେ ଇଭାଙ୍କା ଟ୍ରମ୍ପ । ଏବଂ କୌଣସି ବିଶ୍ୱସ୍ତରର ସମ୍ମିଳନୀରେ ପ୍ରଥମଥର ଲାଗି ଆମେରିକାକୁ ପ୍ରତିନିଧିତ୍ୱ କରିବେ ଇଭାଙ୍କା । ଯାହା ବ୍ୟବସାୟ ଓ ନିବେଶ କ୍ଷେତ୍ରରେ ମହିଳାଙ୍କ ଭାଗିଦାରିକୁ ମଜଭୂତ କରିବ ବୋଲି କୁହାଯାଉଛି ।

ଇଭାଙ୍କାଙ୍କ ପାଇଁ ହାଇଦ୍ରାବାଦରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସହରରୁ ଭିକାରୀମାନଙ୍କୁ ତଡ଼ି ଦିଆଯାଇଛି । ଇଭାଙ୍କାଙ୍କ ପାଇଁ ୧୦ ହଜାର ନିରାପତ୍ତା ଯବାନଙ୍କୁ ମୁତୟନ କରାଯାଇଛି । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ପରେ ଇଭାଙ୍କାର ଏହା ହେବ ପ୍ରଥମ ବଡ଼ ଧରଣର ବିଦେଶ ଗସ୍ତ। ଟ୍ରମ୍ପଙ୍କ ବଡ଼ ଝିଅ ୩୬ ବର୍ଷୀୟା ଇଭାନା ହେଉଛନ୍ତି ହ୍ଵାଇଟ୍ ହାଉସର ଅନ୍ୟତମ ଉପଦେଷ୍ଟା ।