ଧୂଳିସାତ୍ ହେବ ସତେଇଶ ବର୍ଷର ସ୍ୱପ୍ନ ! ସରଫରାଜ ବାହିନୀ ସମାଧାନ କରିପାରିବ କି ନ୍ୟୁଜିଲାଣ୍ଡ ବିପକ୍ଷ ଜଟିଳ ଗଣିତ ?

1,010

କନକ ବ୍ୟୁରୋ: ୨୦୧୯ କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନ ପାଇଁ ସବୁ ବାଟ ବନ୍ଦ । ବିଶ୍ୱକପରେ ସେମି ଫାଇନାଲ ରାସ୍ତା ପ୍ରାୟତଃ ବନ୍ଦ ବୋଲି କୁହାଯାଇପାରେ । ତେବେ ପ୍ରାୟତଃ ସବୁ ରାସ୍ତା ବନ୍ଦ ହୋଇସାରିବା ପରେ ବି ଏବେ ଏକ ଜଟିଳ ରାସ୍ତା ପାକ୍ ପାଇଁ ଖୋଲା ରହିଛି । ଏହାକୁ ଭେଦ କରି ସରଫରାଜ୍ ଟିମ୍ ବିଶ୍ୱକପରେ ଆଗକୁ ବଢିବା କାଠିକର ପାଠ ହୋଇଯିବ ।
ତେବେ ଆଇସିସି ବିଶ୍ୱକପ ୨୦୧୯ର ବୁଧବାର ଖେଳାଯାଇଥିବା ଇଂଲଣ୍ଡ ବନାମ୍ ନ୍ୟୁଜିଲାଣ୍ଡ ମୁକାବିଲାରେ ଇଂଲଣ୍ଡର ଦମଦାର ବିଜୟ ପରେ ପାକିସ୍ତାନ ପାଇଁ ସେମି ଫାଇନାଲ ଆଶା ମଉଳିଗଲା ପରି ହୋଇଛି । କହିବାକୁ ଗଲେ ଇଂଲଣ୍ଡର ଏହି ରୋମାଂଚକର ବିଜୟ ବିଶ୍ୱକପରେ ପାକିସ୍ତାନର ସବୁ ଖେଳକୁ ବିଗାଡି ଦେଇଛି । କାରଣ ବିଜୟ ସହିତ ଇଂଲଣ୍ଡ ଏବେ ୧୨ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ୩ୟ ଦଳ ଭାବେ ସେମି ଯୋଗ୍ୟତା ହାସଲ କରି ନେଇଛି । ଆଗରୁ ଅଷ୍ଟ୍ରେଲିଆ ଓ ଭାରତ ସେମି ଯୋଗ୍ୟତା ହାସଲ କରିସାରିଛନ୍ତି । ତେବେ ଇଂଲଣ୍ଡ ଠାରୁ ୧୨୬ ରନରେ ନ୍ୟୁଜିଲାଣ୍ଡ ହାରିବା ପରେ ପଏଣ୍ଟ ଟେବୁଲରେ ୧୧ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଏହା ତଳକୁ ୯ ପଏଣ୍ଟ ସହ ଅଛି ପାକିସ୍ତାନ ।
ଆଉ ଏଭଳି ସ୍ଥିତିରେ ପାକିସ୍ତାନ ହାତରେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବାକୁ ରହିଥିବାରୁ ଦଳର ସେମି ସଂଭାବନା କମ ରହିଛି । ତେବେ ବିଜୟ ସତ୍ୱେ ଏହି ରାସ୍ତା ପାକିସ୍ତାନ ଏତେ ସହଜ ରହିବନି ।

ନଜର ପକାନ୍ତୁ କେଉଁ ସ୍ଥିତିରେ ପାକିସ୍ତାନ ପାଇଁ ଖୋଲିବ ସେମି ରାସ୍ତା…

ସମୀକରଣ ୧ :

ବାଂଲାଦେଶ ବିପକ୍ଷରେ ପାକିସ୍ତାନ ଯଦି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ତେବେ ୫୦ ଓଭରରେ ୩୫୦ ରନ୍ ସ୍କୋର କରିବାକୁ ହେବ । ଏହାର ଜବାବରେ ବାଂଲାଦେଶକୁ ୩୯ ରନରେ ଅଲଆଉଟ୍ କରିବାକୁ ହେବ । ଅର୍ଥାତ୍ ୩୫୦ ରନ୍ ସ୍କୋର କରି ବାଂଲାଦେଶ ଠାରୁ ୩୧୧ ରନରେ ବିଜୟ ହାସଲ କରିବାକୁ ହେବ ସରଫରାଜ ବାହିନୀକୁ ।

ସମୀକରଣ ୨ :

ଟସ୍ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪୦୦ ରନ୍ ସ୍କୋର କରିବାକୁ ହେବ । ଜବାବରେ ବାଂଲାଦେଶକୁ ୮୪ ରନ୍ ଭିତରେ ଅଲଆଉଟ୍ କରିବାକୁ ହେବ । ଏଭଳି ଭାବରେ ୩୧୬ ରନରେ ବିଜୟ ହାସଲ କଲେ ପାକିସ୍ତାନର ରନ୍ ରେଟ୍ ୧୧ ପଏଂଟ ପାଇଥିବା ନ୍ୟୁଜିଲାଣ୍ଡ ଠାରୁ ଅଧିକ ହୋଇଯିବ ଏବଂ ପାକ୍ ଟିମକୁ ମିଳିପାରେ ସେମି ଟିକଟ୍ ।

ସମୀକରଣ ୩ :

ତୃତୀୟ ସମୀକରଣ କିଛି ଏହିଭଳି ରହିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ୫୦ ଓଭରରେ ୪୫୦ ରନ୍ ସ୍କୋର କରିବାକୁ ହେବ । ସେହିଭଳି ଦମଦାର ବୋଲିଂ କରି ବାଂଲା ଟିମକୁ ୧୨୯ ରନରେ ଅଲଆଉଟ୍ କରି ୩୨୧ ରନର ବୃହତ୍ ବ୍ୟବଧାନରେ ପରାସ୍ତ କରିବାକୁ ହେବ । ବାଂଲାଦେଶ ବିପକ୍ଷରେ ୩୨୧ ରନରେ ମ୍ୟାଚ୍ ଜିତିଲେ ଯାଇ ନ୍ୟୁଜିଲାଣ୍ଡ ସହ ୧୧ ପଏଂଟ ହାସଲ କରି ରନ୍ ରେଟରେ କିୱି ଟିମକୁ ଅତିକ୍ରମ କରି ସେମି ଫାଇନାଲ ଯୋଗ୍ୟତା ହାସଲ କରିବ ।

ଏସବୁ ଭିତରେ ବିଶ୍ୱକପରେ ବାଂଲାଦେଶ ବିପକ୍ଷରେ ନିଜର ଶେଷ ଲିଗ୍ ମ୍ୟାଚରେ ଯଦି ପାକିସ୍ତାନ ଟସ୍ ହାରିଯାଏ , ତେବେ ଗୋଟିଏ ବି ବଲ୍ ବୋଲିଂ କରିବା ଆଗରୁ ୨୦୧୯ ବିଶ୍ୱକପରୁ ବିଦା ହୋଇଯିବ ପାକିସ୍ତାନ । କାରଣ ଏଭଳି ସ୍ଥିତିରେ ମ୍ୟାଚ୍ ଜିତିଲେ ବି ପାକିସ୍ତାନର ପଏଂଟ ନ୍ୟୁଜିଲାଣ୍ଡ ସହିତ ସମାନ ହେଲେ ମଧ୍ୟ ରନ୍ ରେଟ୍ କିନ୍ତୁ ନ୍ୟୁଜିଲାଣ୍ଡ ଠାରୁ କମ୍ ହୋଇଯିବ । ଫଳରେ ବିଶ୍ୱକପରୁ ବିଦା ହୋଇଯିବ ପାକିସ୍ତାନ । ଆଉ ୧୯୯୨ ପରେ ପାକିସ୍ତାନର ବିଶ୍ୱକପ୍ ବିଜୟ ସ୍ୱପ୍ନ ହୋଇ ରହିଯିବ ।