କାଳ ହେଲା ଅନଲାଇନ୍ ଭିଡ଼ିଓ ଗେମ୍। ଆଳି, ବାଲିକୁଦା ଅଞ୍ଚଳରେ ଦୁଇ ଯୁବକ କଲେ ଆତ୍ମହତ୍ୟା।

266

କନକ ବ୍ୟୁରୋ: ୨୩ ବର୍ଷର ଆଶିଷ ଓ ୨୫ ବର୍ଷୀୟ ଦେବେନ୍ଦ୍ର । ଅନଲାଇନ ଗେମ୍ କେତେ ଭୟଙ୍କର ହୋଇପାରେ, ଏମାନେ ହେଉଛନ୍ତି ତା’ର ବଡ଼ ଉଦାହରଣ । କେନ୍ଦ୍୍ରାପଡ଼ା ଓ ଜଗତସିଂହପୁରରୁ ଏପରି ଦୁଃଖଦ ଘଟଣା ଆସିଛି । କେନ୍ଦ୍ରାପଡ଼ାର ଆଶିଷ ଓ ଜଗତସିଂହପୁର ଦେବେନ୍ଦ୍ର ସମାନଢଙ୍ଗରେ ଅର୍ଥାତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଉ ଏହି ମୃତ୍ୟୁ ପଛର କାରଣ ଅନଲାଇନ୍ ଗେମ୍ ବୋଲି କୁହାଯାଉଛି ।

କେନ୍ଦ୍ରାପଡ଼ାର ଆଶିଷଙ୍କ ବାପା ହାଇଦ୍ରାବାଦରେ କାମକରନ୍ତି । ଘର ଖର୍ଚ୍ଚ ପାଇଁ ସେ ପ୍ରତିମାସରେ ପୁଅ ଆକାଉଣ୍ଟକୁ ଟଙ୍କା ପଠାନ୍ତି । ଆଉ ସେଥିରୁ ୧୦ହଜାର ଟଙ୍କାକୁ ଅନଲାଇନ୍ ଗେମରେ ଲଗାଇ ଦେଇଥିଲେ ଆଶିଷ । କିନ୍ତୁ ଆଶିଷ ଟଙ୍କା ହାରିଗଲା ପରେ ଭୟଭୀତ ହୋଇ ଜୀବନ ହାରିଦେଲେ ।

କେନ୍ଦ୍ରାପଡ଼ା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁ’ର ଆଶିଷ ଜଣେ ବିଏସସି ଛାତ୍ର । ହାଇଦ୍ରାବାଦରେ ରହୁଥିବା ତାଙ୍କ ବାପା ପ୍ରତିମାସରେ ପରିବାର ପ୍ରତିପୋଷଣ ପାଇଁ ଟଙ୍କା ପଠାନ୍ତି । କିନ୍ତୁ ଆଶିଷ ସେସବୁ ଟଙ୍କା ଫ୍ରି-ଫାୟାର ଅନଲାଇନ୍ ଗେମରେ ଲଗାଇ ଦେଇଥିଲେ । ଆଉ ଟଙ୍କା ହାରିବା ପରେ ଭୟଭୀତ ହୋଇ ପଡ଼ିଥିଲେ । ଅଭିଯୋଗ ଅନୁସାରେ, ସୋମବାର ସନ୍ଧ୍ୟାରେ ଘରେ କେହିନଥିବା ବେଳେ ଆଶିଷ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଉଠାଇଥିଲେ । ମୃତ୍ୟୁ ପରେ ତାଙ୍କ ପାଖରୁ ଏକ ସୁଇସାଇଡ ନୋଟ୍ ଜବତ ହୋଇଛି ।

ସେହିପରି ଅନଲାଇନ୍ ଗେମରେ ଲକ୍ଷାଧିକ ଟଙ୍କାର କ୍ଷତି ସହିବା ପରେ ଜୀବନ ହାରିଛନ୍ତି ଜଗତସିଂହପୁରର ଦେବେନ୍ଦ୍ର ପରିଡ଼ା । ବାଲିକୁଦା ଥାନା ଅନ୍ତର୍ଗତ ଭୁଆସୁଣି ଗାଁର ଦେବେନ୍ଦ୍ର ପବଜୀ ଓ ତିନପତି ଗେମ୍ ଖେଳି ୨ଲକ୍ଷରୁ ଅଧିକ ଟଙ୍କା ହରାଇ ଭୟଭୀତ ହୋଇଯାଇଥିଲେ ଏବଂ ରବିବାର ରାତିରେ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲେ । ତେବେ ପରିବାର ଲୋକେ କାହାକୁ କିଛି ନଜଣାଇ ଦେବେନ୍ଦ୍ରଙ୍କ ମୃତଦେହ ସକ୍ରାର ପାଇଁ ଶ୍ମଶାନକୁ ନେଇଥିଲେ । ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।