ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ବଦଳିଲା ଭାଗ୍ୟ । ପୋଷ୍ୟ ସନ୍ତାନ ଭାବେ ସ୍ନେହାକୁ ଆଦରି ନେଲେ ଇଟାଲୀ ଦମ୍ପତି ।

151

କନକ ବ୍ୟୁରୋ : ଆଜି ଗଞ୍ଜାମ ଜିଲ୍ଲାର ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ଏକ ଦମ୍ପତ୍ତି । ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଶିଶୁକୁ ଆଇନ ଅନୁଯାୟୀ  ହସ୍ତାନ୍ତର ଲାଗି ଆବଶ୍ୟକୀୟ ପ୍ରକ୍ରିୟା ସଂପନ୍ନ କରାଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ କନ୍ୟା ସ୍ନେହାଙ୍କୁ ଇଟାଲୀ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲାରୁ ଦେଶ ବାହାରକୁ ପୋଷ୍ୟ ସନ୍ତାନ ଭାବେ ପୂର୍ବରୁ ଦୁଇ ଜଣ ଯାଇଥିବା ବେଳେ ଆଜି ତୃତୀୟ ପୋଷ୍ୟ ଭାବେ ଶିଶୁ କନ୍ୟାଟି  ବାହାର ଦେଶକୁ ଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ଓ ପୋଷ୍ୟ ଗ୍ରହଣ କରିଥିବା ପିତାମାତା ବେଶ ଖୁସି ଅନୁଭବ କରିଛନ୍ତି ।

ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ବଦଳିଛି ଭାଗ୍ୟ । ଗଞ୍ଜାମ ଜିଲ୍ଲାରୁ ସୁଦୁର ଇଟାଲୀରେ ରହି ବଡ଼ ହେବ ଏହି ଶିଶୁ । ଉକ୍ତ ଶିଶୁକନ୍ୟାକୁ ନିଜର ପୋଷ୍ୟ ଶିଶୁ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ଦମ୍ପତ୍ତି ।  ବ୍ରହ୍ମପୁର ଉତ୍କଳ ବାଳାଶ୍ରମର ଜଣେ ଅନାଥ ଶିଶୁକନ୍ୟା ସ୍ନେହାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଇଟାଲୀର ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ । ଆଜି ଗଞ୍ଜାମ ଜିଲ୍ଲାର ପୋଷ୍ୟ ସନ୍ତାନ ଭାବେ ଜଣେ ଅନାଥ ଶିଶୁ କନ୍ୟାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଇଟାଲୀର ଏହି ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଜିଲ୍ଲାର ବିଭିନ୍ନ ଜାଗାରୁ ପରିତ୍ୟକ୍ତ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଜିଲ୍ଲାରେ ଥିବା ଏକମାତ୍ର  କେନ୍ଦ୍ର ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରେ ରଖାଯାଉଛି । ଏହି କ୍ରମରେ ଆଜି ପୋଷ୍ୟ ଭାବେ ଗ୍ରହଣ ହୋଇଥିବା ଶିଶୁ କନ୍ୟା ସ୍ନେହା ଡ଼ିସେମ୍ବର ୪, ୨୦୧୭ରେ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିଲା । ଉଦ୍ଧାର ପରେ ସ୍ପେସାଲ ଆଡପସନ୍ ଏଜେନ୍ସି ମାଧ୍ୟମରେ ସେମାନଙ୍କର ପୋଷ୍ୟତା ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ଶିଶୁଟିକୁ ଗଞ୍ଜାମ ଶିଶୁ ମଙ୍ଗଳ ସମିତି ଆଇନତଃ ମୁକ୍ତ ଘୋଷଣା କରିଥିଲେ । ଯାହାଦ୍ୱାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତିଙ୍କ ପାଖକୁ ଯାଇପାରିବ ବୋଲି ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା । ଏହି କ୍ରମରେ ଦୀର୍ଘ ୩ବର୍ଷ ପରେ ଏହି ଇଟାଲୀ ଦମ୍ପତ୍ତିଙ୍କୁ ସ୍ନେହାକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅନୁମତି ମିଳିଥିଲା ।

ମାସ ମାସ ଧରି ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଦମ୍ପତିମାନଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ ।  ଦମ୍ପତି ଶାରୀରିକ ଭାବେ ଶିଶୁକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତା’ପରେ ଆବଶ୍ୟକ ହେଉଥିବା କାଗଜପତ୍ର, ଉତ୍କଳ ବାଳାଶ୍ରମ ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଇଟାଲି ଦମ୍ପତିଙ୍କୁ ହସ୍ତାନ୍ତର କରି ଦିଆଯାଇଛି । ତେବେ ପିଲାଟିର ଉପଯୁକ୍ତ ଯତ୍ନ , ସୁରକ୍ଷା, ଶିକ୍ଷା ଓ ପରିପୁଷ୍ଟ ଖାଦ୍ୟ ପ୍ରତି ବିଶେଷ ଯନ୍ନବାନ ହେବାକୁ ଶିଶୁ ମଙ୍ଗଳ କମିଟି ପରାମର୍ଶ ଦେଇଥିଲେ।

ପୋଷ୍ୟ ଗ୍ରହଣ କରିଥିବା ଏହି ଇଟାଲୀ ଦମ୍ପତ୍ତି ଦୀର୍ଘ ଦୁଇ ସପ୍ତାହ ହେଲା ଗଞ୍ଜାମ ଜିଲ୍ଲାକୁ ଆସି ଗୋପାଳପୁରର ଏକ ହୋଟେଲରେ ରହୁଥିଲେ  । ଶିଶୁଟିକୁ ପାଇବା ପରେ ଏହି ଦମ୍ପତ୍ତି ଇଟାଲି ଅଭିମୁଖେ ଏକ ସପ୍ତାହ ପରେ ଯାତ୍ରା କରିବେ । ଭାରତର ସଂସ୍କୃତି ଓ ପରମ୍ପରା ସେମାନଙ୍କୁ ବେଶ ଆକୃଷ୍ଟ କରିଥିବା ହେତୁ ଭାରତରୁ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ପୋଷ୍ୟ ଗ୍ରହଣ ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା । ବିଳମ୍ବରେ ହେଲେ ମଧ୍ୟ ଶିଶୁ କନ୍ୟାକୁ ପାଇଥିବା ଯୋଗୁଁ ବେଶ ଖୁସି ପ୍ରକାଶ କରିଛନ୍ତି ଇଟାଲୀୟ ଦମ୍ପତ୍ତି । ସେପଟେ ଜିଲ୍ଲାପାଳ ମଧ୍ୟ ଏକ ଅନାଥ ଶିଶୁ ବିଦେଶକୁ ପୋଷ୍ୟ ଭାବେ ଯାଉଥିବାରୁ ତାର ଭବିଷ୍ୟତ ନେଇ ବେଶ ଖୁସି ବ୍ୟକ୍ତ କରିଥିଲେ । ପୂର୍ବରୁ ଗଞ୍ଜାମ ଜିଲ୍ଲାରୁ ୨୧ଜଣ ଶିଶୁଙ୍କୁ ଦେଶ ଭିତରେ ପୋଷ୍ୟ ଗ୍ରହଣ କରାଯାଇଥିବା ବେଳେ ବିଦେଶକୁ ତିନି ଜଣ ଶିଶୁ ପୋଷ୍ୟ ଭାବେ ଯାଇଛନ୍ତି । ତେବେ ଏହି ପୋଷ୍ୟ ଗ୍ରହଣ ପ୍ରକ୍ରିୟାକୁ ସରଳୀକରଣ କରାଗଲେ ଅନେକ ଶିଶୁ ପୋଷ୍ୟ ଗ୍ରହଣ ପାଇପାରିବେ ।