ପଲିଥିନ୍ ଟଙ୍ଗା ଚାଳିଆରେ ବ୍ଲକ ଅଧ୍ୟକ୍ଷଙ୍କ ପରିବାର : ୪ବର୍ଷ ତଳୁ ରାଜନୀତିକୁ ଆସିି ଆଜି ବି ମୂଲ ଲାଗି ପୋଷୁଛନ୍ତି ପେଟ

ଚାଳ ଛପର ଘର ଭାଙ୍ଗିଯିବା ପରେ ଆବାସ ଯୋଜନାରେ ଘରଟିଏ ପାଇଁ ବିଡ଼ିଓଙ୍କୁ  କରିଛନ୍ତି ଆବେଦନ

143

କନକ ବ୍ୟୁରୋ : କୋରେଇ ବ୍ଲକ୍ ଅଧ୍ୟକ୍ଷା ମାଳତୀ ଟୁଡୁଙ୍କ ଦସ୍ତଖତରେ ଲକ୍ଷଲକ୍ଷ ଟଙ୍କାର ବିଲ୍‌ ଉଠୁଛି । କିନ୍ତୁ ସେ ରହନ୍ତି ଏକ ପଲିଥିନ ଛପରଯୁକ୍ତ ଝାଟିମାଟି ଭଙ୍ଗା କୁଡ଼ିଆରେ । ଏହା କୋରେଇ ବ୍ଲକ ତଥା ତମାମ ପ୍ରଶାସନର ମର୍ଯ୍ୟାଦା ବଢ଼ାଉଛି ! କିନ୍ତୁ ବର୍ତ୍ତମାନ ଅର୍ଥାତ ତାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କୁ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଏ ତେବେ ତାହା କାଳେ କ୍ଷମତାର ଅପବ୍ୟବହାର ହେବ । ତେଣୁ କ୍ଷମତାରୁ ଯିବା ପରେ ତାଙ୍କୁ ମିଳିବ ଘର । ଏମିତି ଯୁକ୍ତି ବାଢ଼ିଛି ବ୍ଲକ ପ୍ରଶାସନ ।

ସରକାରୀ ନିୟମ ଅନୁଯାୟୀ ଶ୍ରୀମତୀ ଟୁଡୁଙ୍କର ନିଜସ୍ବ ପଟ୍ଟା ଜମି ରହିଛି । ଏସ୍‌ଇସିସି ତାଲିକାରେ ବି ନାଁ ରହିଛି। ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ନିମନ୍ତେ ଏତିକି ମାନଦଣ୍ଡ ପୂରଣ କରିବା ଯଥେଷ୍ଟ । ଅଥଚ ତାଙ୍କୁ ପକ୍କାଘରଟିଏ ଯୋଗାଇ ପ୍ରଶାସନ ଉଦାରତା ଦେଖାଇ ପାରିନାହିଁ। ପରିଣାମ ହେଉଛି ସେ ଏକ ଭଙ୍ଗା କୁଡ଼ିଆରେ ନିଜର ୪ ପ୍ରାଣୀ କୁଟୁମ୍ବଙ୍କୁ ଧରି ମୁଣ୍ତ ଗୁଞ୍ଜିଛନ୍ତି। ମୂଲମଜୁରି ଲାଗି ପରିବାର ଚଳାଉଛନ୍ତି । ବଡ଼କଥା ହେଉଛି ସଂପ୍ରତି ମନରେଗା ତଥା ଅନ୍ୟାନ୍ୟ ଯୋଜନାରେ ଗ୍ରାମ୍ୟ ଉଦ୍ୟାନ, ମୋ ଉପକାରୀ ବଗିଚା ପରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି ।

ବ୍ଲକର ଏହି ପ୍ରଥମ ମହିଳାଙ୍କୁ ଏଭଳି ଅନେକ ଯୋଜନାରେ ଆତ୍ମନିର୍ଭରଶୀଳ କରାଯାଇ ପ୍ରଶାସନ ଉଦାହରଣ ସୃଷ୍ଟି କରିବାରେ କୌଣସି ଅସୁବିଧା ନାହିଁ । ଜିଲ୍ଲାରେ ଶତାଧିକ ମହିଳା ଗୋପାଳନ, ଛତୁଚାଷ, ଟେଲରିଂ ଆଦି କାମ କରି ଆତ୍ମନିର୍ଭର ହୋଇପାରିଛନ୍ତି । ଦାରିଦ୍ର୍ୟ ମୁକ୍ତି ପାଇଁ ହଜାର ସଂଖ୍ୟାରେ ଯୋଜନା ହେଉଛି ଅଥଚ ବ୍ଲକର ଅଗ୍ରଣୀ ମହିଳାଙ୍କ ଏଭଳି ଦୁର୍ଦ୍ଦଶା ପ୍ରଶାସନିକ ଅଧିକାରୀଙ୍କ ପାରିବାପଣିଆ ଉପରେ ହଜାରେ ପ୍ରଶ୍ନଚିହ୍ନ ଆଙ୍କିଛି ।

ଦୀର୍ଘ ୪ ବର୍ଷ ହେଲାଣି ମାଳତୀ ଟୁଡୁ ବ୍ଲକ ଅଧ୍ୟକ୍ଷା ଅଛନ୍ତି। କେଉଁ ଦଳର ସେ ସମର୍ଥକ ଜାଣନ୍ତି ନାହିଁ, କିନ୍ତୁ ତାଙ୍କୁ ନେଇ ଚାଲିଛି ଦଳୀୟ ଗୋଟିଚାଳନା । ଫଳସ୍ବରୂପ ଏଭଳି ଦୟନୀୟ ଅବସ୍ଥାରେ ରହୁଥିଲେ ମଧ୍ୟ ତାଙ୍କ ଉପରେ କାହାର ଦୃଷ୍ଟି ପଡୁନାହିଁ । ଯୋଗ୍ୟ ହୋଇଥିଲେ ମଧ୍ୟ ଅଧ୍ୟକ୍ଷାଙ୍କୁ ଏବେ ଘର ମିଳିବ ନାହିଁ ବୋଲି ବ୍ଲକ୍ ପ୍ରଶାସନର ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।

ଘଟଣା ସମ୍ପର୍କରେ କୋରେଇ ଏବିଡିଓ ଜ୍ଞାନଦା ନାୟକ କହିଛନ୍ତି ଯେ ବ୍ଲକ୍ ଅଧ୍ୟକ୍ଷା ଯୋଗ୍ୟ ହୋଇଥିଲେ ମଧ୍ୟ ସେ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ରହିଥିବାରୁ ତାଙ୍କୁ ଏବେ ଘର ଦିଆଯିବ ନାହିଁ । ପଦବିଧାରୀ ଯୋଗ୍ୟ ହୋଇ ଆବାସ ପାଇପାରିବେ ନାହିଁ ବୋଲି କୌଣସି ସରକାରୀ ନିୟମ ନାହିଁ । ନିଜ ପଦବିର ଅପବ୍ୟବହାର କରି ଘର ହାତେଇଥିବା ଅଭିଯୋଗ ହେବାର ସମ୍ଭାବନା ଥିବାରୁ ଦିଆଯାଉ ନଥିବା ସେ କହିଛନ୍ତି । ଏନେଇ ସେ ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଶ୍ରୀମତୀ ଟୁଡୁଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କୁ ଘର ଦିଆଯିବ ବୋଲି ଏବିଡିଓ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।