ଗାଜା ଉପରେ ଇସ୍ରାଏଲର ବୋମା ବର୍ଷଣ ଜାରି । ଜବାବରେ ହମାସର ରକେଟ ମାଡ଼

240

କନକ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି । ଗୋଟିଏ ପଟେ ହମାସ ପକ୍ଷରୁ ଇସ୍ରାଏଲର ବିଭିନ୍ନ ଟାର୍ଗେଟକୁ ଲକ୍ଷ୍ୟକରି ରକେଟ ମାଡ଼ କରାଯ଼ାଉଥିବାବେଳେ ଇସ୍ରାଏଲ ପକ୍ଷରୁ ଗାଜା ସହର ଉପରେ ଘନ ଘନ ବିମାନ ଆକ୍ରମଣ ଜାରି ରହିଛି । ଏହା ସହିତ ଗାଜା ସୀମାରେ ଇସ୍ରାଏଲ ପକ୍ଷରୁ ଟ୍ୟାଙ୍କ ଓ ଅନ୍ୟାନ୍ୟ ସାମରିକ ଯ଼ାନ ମୁତୟନ କରାଯ଼ାଇଛି ।

ଅଲ ଜଜିରା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଗାଜାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କୋଠା ଉପରେ ଇସ୍ରାଏଲର ବୋମାବର୍ଷୀ ବିମାନଗୁଡ଼ିକ ବୋମା ମାଡ଼ କରାଯ଼ାଉଛି । ଇସ୍ରାଏଲର ଏହି ଆକ୍ରମଣ ଫଳରେ ଏପର୍ୟ଼୍ୟନ୍ତ ମୋଟ ୮୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୮ ଜଣ ଶିଶୁ ଥିବା ଜଣାଯ଼ାଇଛି । ଏହା ସହିତ ପ୍ରାୟ ୫୩୦ ଜଣ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ହମାସର ରକେଟ ମାଡ଼ରେ ୬ ଇସ୍ରାଏଲ ନାଗରିକ ଓ ଜଣେ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି ।

ଅନ୍ୟପକ୍ଷରେ ଇସ୍ରାଏଲ ମଧ୍ୟରେ ବି ହିଂସା ବ୍ୟାପିବାରେ ଲାଗିଛି । ଇସ୍ରାଏଲର ଇହୁଦି ନାଗରିକ ଓ ପାଲେଷ୍ଟାଇନ ନାଗରିକଙ୍କ ମଧ୍ୟରେ ହିଂସା ସୃଷ୍ଟି ହୋଇଛି ।