ଇସ୍ରାଏଲରୁ ଆସିଲା ଉପହାର: ସ୍ୱାଧୀନତା ଦିବସ ଉପଲକ୍ଷେ ମୋଦିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉପହାର

770

କନକ ବ୍ୟୁରୋ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ ବାବଦରେ ତ ଆପଣ ଜାଣିଥିବେ । ତେବେ ଆଜି ସ୍ୱାଧୀନତା ଦିବସ ଅବସରରେ ବେଞ୍ଜାମିନ ନେତନ୍ୟହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ନିଜ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଓ ଇସ୍ରାଏଲ ମଧ୍ୟରେ ଥିବା ମଧୁର ସମ୍ପର୍କକୁ ମନେ ପକାଇଛନ୍ତି ।

ତେବେ ଗତ ବନ୍ଧୁତା ଦିବସରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆରେ ୧୯୭୫ ମସିହାର ହିଟ ଫିଲ୍ମ ‘ଶୋଲେ’ର ଗୀତ ‘ୟେ ଦୋସ୍ତି’ ମାଧ୍ୟମରେ ଶୁଭକାମନା ଜଣାଇଥିଲା । ବନ୍ଧୁତା ଦିବସ ଅବସରରେ ଇସ୍ରାଏଲ ପକ୍ଷରୁ ଭାରତକୁ କୁହାଯାଇଥିଲା ଯେ ‘ୟେ ଦୋସ୍ତି ହମ ନହିଁ ତୋଡେଙ୍ଗ’ ଅର୍ଥାତ ଆମେ ଏହି ବନ୍ଧୁତାକୁ କେବେ ବି ଭାଙ୍ଗିବାନି ।

ଭାରତରେ ଥିବା ଇସ୍ରାଏଲ ଦୂତାବାସ ପକ୍ଷରୁ ଟ୍ୱିଟ କରି କୁହାଯାଇଥିଲା ଯେ ବନ୍ଧୁତା ଦିବସର ଢେର ଅଭିନନ୍ଦନ, ଆମର ବନ୍ଧୁତା ମଜଭୁତ ରହୁ । ଏହାପରେ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କୁ ନେଇ ହିଟ ଗୀତ ‘ୟେ ଦୋସ୍ତି’ର କିଛି ପଂକ୍ତି ଲେଖାଯାଇଥିଲା । ଏହି ଲେଖା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟହୁଙ୍କ ସହ କିଛି ମୁହୂର୍ତ୍ତର ଭିଡିଓ ପୋଷ୍ଟ କରାଯାଇଥିଲା ।