ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ ଘଟଣା : ବିସ୍ଫୋରଣ ଅଞ୍ଚଳ ଦେଇ ଯାଇଥିବା ୧୮୨ଜଣଙ୍କ ଉପରେ ପୋଲିସର ନଜର

ଅପରାହ୍ଣ ୩.୧୦ ରୁ ୫.୧୦ ମଧ୍ୟରେ ସମୁଦାୟ ୬୧ଜଣ ବ୍ୟକ୍ତି ଚାଲି ଚାଲି ଯାଇଥିଲେ।

66

ଗତ ଶୁକ୍ରବାର ଅପରାହ୍ଣରେ ଇସ୍ରାଏଲ୍‌ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ଦୁଇ ଘଣ୍ଟା ମଧ୍ୟରେ ସେ ଅଞ୍ଚଳ ଦେଇ ଯାତାୟାତ କରିଥିବା ପ୍ରାୟ ୧୮୨ଜଣ ବ୍ୟକ୍ତିଙ୍କ ଉପରେ ଏବେ ପୁଲିସର ନଜର ରହିଛି।

ଇସ୍ରାଏଲ୍‌ ଦୂତାବାସରୁ ଦକ୍ଷିଣ ଦିଲ୍ଲୀ ଆଡ଼କୁ ପଡ଼ିଥିବା ଡକ୍ଟର୍‌ ଏପିଜେ ଅବ୍ଦୁଲ୍‌ କଲାମ୍‌ ରୋଡ୍‌ର ଗୋଟିଏ କ୍ୟାରେଜ୍ୱେରେ ଶୁକ୍ରବାର ଅପରାହ୍ଣ ୩.୧୦ ରୁ ୫.୧୦ ମଧ୍ୟରେ ସମୁଦାୟ ୬୧ଜଣ ବ୍ୟକ୍ତି ଚାଲି ଚାଲି ଯାଇଥିଲେ।

ଦକ୍ଷିଣ ଦିଲ୍ଲୀ ପଟରୁ ଦୂତାବାସ ଆଡ଼କୁ ଆସିଥିବା ଏହି ରାସ୍ତାର ଅନ୍ୟ ଏକ କ୍ୟାରେଜ୍ୱେରେ ଉକ୍ତ ସମୟ ମଧ୍ୟରେ ୧୨୧ଜଣ ବ୍ୟକ୍ତି ଚାଲି ଚାଲି ଯାଇଥିଲେ। ଏହି ୧୮୨ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କେହି ଇସ୍ରାଏଲୀୟ ଦୂତାବାସ ବାହାର ଏପିଜେ ଅବ୍ଦୁଲ୍‌ କଲାମ୍‌ ରୋଡ୍‌ କଡ଼ରେ ଥିବା ଏକ ଗଛମୂଳେ ବିସ୍ଫୋରକଟି ପକାଇ ଦେଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

ସନ୍ଧ୍ୟା ୫.୧୦ରେ ଦୂତାବାସ ବାହାରେ ଏକ ନିମ୍ନ ତୀବ୍ରତାସମ୍ପନ୍ନ ବିସ୍ଫୋରଣ ଘଟିବା ଫଳରେ ପାଖରେ ରଖାଯାଇଥିବା ଅନ୍ୟୂନ ତିନୋଟି କାର୍‌ର ସମ୍ମୁଖ କାଚ ଭାଙ୍ଗି ଯାଇଥିଲା। କିନ୍ତୁ, ଏଥିରେ କେହି ମୃତାହତ ହୋଇ ନ ଥିଲେ।

ରାସ୍ତାର ବିସ୍ଫୋରଣସ୍ଥଳ ଦେଇ ଅତିକ୍ରମ କରିଥିବା ସମସ୍ତ ଲୋକଙ୍କୁ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ଚିହ୍ନଟ କରିବା ଆରମ୍ଭ କରିଛି। ଏହି ରାସ୍ତାରେ ଦିଲ୍ଲୀ ପୁଲିସ ଓ ସରକାର ଖଞ୍ଜିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ୧୮୨ଜଣ ବ୍ୟକ୍ତିଙ୍କ ଚିତ୍ର ସଂଗ୍ରହ କରାଯାଇଛି। ପୁଲିସ ମଧ୍ୟ ଇସ୍ରାଏଲ୍‌ ଦୂତାବାସ ନିକଟରେ ଅବସ୍ଥିତ ବଙ୍ଗଳାଗୁଡ଼ିକରୁ ଫୁଟେଜ୍‌ ସଂଗ୍ରହ କରିଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଆମେ ଚିହ୍ନଟ କରି ସାରିଛୁ। ଏହି ମାମଲାରେ ସମସ୍ତଙ୍କୁ ଜେରା କରାଯିବ।