ଶତ୍ରୁଙ୍କୁ ସହଜରେ ଛାଡେନି ମୋସାଦ, ଫୋନ ବମ, ବିଷ ଛୁଞ୍ଚିକୁ ଅସ୍ତ୍ର କରି ଶତ୍ରୁକୁ କରେ ନାଶ । ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ପରେ ଭାରତକୁ ଯାଞ୍ଚ ପାଇଁ ଆସିପାରେ ମୋସାଦ ।

661

କନକ ବ୍ୟୁରୋ : ଭାରତକୁ ଆସିପାରନ୍ତି ବିଶ୍ୱର ସବୁଠୁ ଦୁର୍ଦ୍ଦଷ ଗୁଇନ୍ଦା ଏଜେନ୍ସି ମୋସାଦ । ଯିଏ ଶତ୍ରୁଙ୍କୁ ଖୋଜିବା ସହ ହତ୍ୟା କରିବାକୁ ପଛାଇ ନଥାଏ । ଇସ୍ରାଏଲ ଦୂତାବାସ ବାହାରେ ଗତକାଲି ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ଏହାକୁ ଗୁରୁତ୍ୱର ସହ ନେଇଛି ଇସ୍ରାଏଲ । କୁହାଯାଉଛି ଯେ ଏହି ଘଟଣାର ତଦନ୍ତ କରିବାକୁ ଭାରତ ଆସିବାକୁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଦୁର୍ଦ୍ଧଷ ଗୁଇନ୍ଦା ଏଜେନ୍ସି ମୋସାଦ । ଏହି ଘଟଣାରେ ଏବେ ଭାରତ ପକ୍ଷରୁ ଯାଞ୍ଚ କରାଯାଉଥିଲେ ମଧ୍ୟ ମୋସାଦ ନଜରରେ ମଧ୍ୟ ଏହି ଘଟଣା ଥିବା କୁହାଯାଉଛି । ଯେଉଁ ଦେଶରେ କୌଣସି ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ ହୋଇଥାଏ ଏହି ଏଜେନ୍ସି ଗୁପ୍ତ ଭାବରେ ସେଠାରେ ପହଂଚି ତଦନ୍ତ କରିଥାଏ ମୋସାଦ । ଇସ୍ରାଏଲ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ଏହି ଏଜେନ୍ସିର ଚର୍ଚ୍ଚିତ ଇତିହାସ ପୂରା ବିଶ୍ୱକୁ ଜଣା ।

ମୋସାଦ ବିଶ୍ୱର ସବୁଠାରୁ ଘାତକ ଗୁଇନ୍ଦା ଏଜେନ୍ସି ଭାବେ ବେଶ ପରିଚିତ । ଶତ୍ରୁଙ୍କୁ ନାଶ କରିବାରେ ବେଶ ପାରଙ୍ଗମ ଏହି ଗୁଇନ୍ଦା ସଂସ୍ଥାର ଅଧିକାରୀ ।   ୧୯୭୨ ମସିହାରେ ମ୍ୟୁନିଖ ଅଲମ୍ପିକରେ ଯେତେବେଳେ ଇସ୍ରାଏଲର ୧୧ ଜଣ ଖେଳାଳିଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ , ସେତେବେଳେ ମୋସାଦ ଦୀର୍ଘ ୨୦ ବର୍ଷ ଧରି ଗୁପ୍ତ ଅପରେସନ କରି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଥିଲା । ଯେଉଁ ଅପରେସନର ନାମ ‘ରେଥ ଅଫ ଗଡ଼’ ରଖାଯାଇଥିଲା । ଏହି ଅପରେସନରେ ମୋସାଦର ଏଜେଣ୍ଟମାନେ ସାରା ବିଶ୍ୱର କୋଣ ଅନୁକୋଣରେ ବୁଲି ବୁଲି ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ସହ ମାରିଥିଲେ । କୁହାଯାଏ ମୋସାଦ ନଜରରେ ଥରେ ଆସିଗଲେ, ଆଉ ବଞ୍ଚିବା ସହଜ ନୁହେଁ ।

ମୋସାଦର ପ୍ରକୃତ ନାମ ହେଉଛି ଇନଷ୍ଟିଚ୍ୟୁଟ ଫର ଇଣ୍ଟେଲିଜେନ୍ସ ଆଣ୍ଡ ସ୍ପେଶାଲ ଅପରେସନ । ଏହା ଇସ୍ରାଏଲର ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ହୋଇଥିବାବେଳେ ୧୯୪୯ ମସିହାରେ ଏହାର ପ୍ରତିଷ୍ଠା କରାଯାଇଥିଲା । ଆଉ ପୂରା ବିଶ୍ୱ ମୋସାଦ ବାବଦରେ ସେତେବେଳେ ଅବଗତ ହେଲା ଯେତେବେଳେ ଏଜେନ୍ସି ପକ୍ଷରୁ ରେଥ୍ ଅଫ୍ ଗଡ ଅପରେସନ କରାଯାଇଥିଲା ।  ‘ରେଥ ଅଫ ଗଡ଼’ ଅପରେସନ ସମୟରେ ମୋସାଦର ଏଜେଣ୍ଟମାନେ ଫୋନ ବମ, ବିଷ ଛୁଞ୍ଚି, କାର ବମ ବ୍ୟବହାର କରି ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ୨୦ ବର୍ଷ ଧରି ଚାଲିଥିବା ଏହି ଅପରେସନରେ ୯ ଜଣ ଫିଲିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । ୨୦୧୨ ମସିହାରେ ମଧ୍ୟ ନୂଆଦିଲ୍ଲୀର ଇସ୍ରାଇଲ ଦୂତାବାସ ବାହାରେ ଯେତେବେଳେ କାର ଯୋଗେ ଆକ୍ରମଣ କରାଯାଇଥିଲା, ସେତେବେଳେ ମୋସାଦ ମଧ୍ୟ ନିଜର ଯାଞ୍ଚ କରିଥିଲା । ଆଉ ଏହି ଆକ୍ରମଣ ପଛରେ ଇରାନର ରିଭୋଲ୍ୟୁସନରି ଗାର୍ଡସ କର୍ପସ ର ହାତ ଥିବା ମୋସାଦ ଜାଣିବାକୁ ପାଇଥିଲା ।