କନକ ବ୍ୟୁରୋ: କରୋନା ମହାମାରୀ ପରେ ସାରା ଦୁନିଆରେ ଏଙ୍ଗଜାଇଟି ଆଉ ଡିପ୍ରେସର ମାମଲା ସାମ୍ନାକୁ ଆସୁଛି । ୨୫ ପ୍ରତିଶତର ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଛି । ଏହି ଦାବି ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ସାମ୍ନାକୁ ଆସିଛି । ଏହିଭଳି ଭୟଙ୍କର ସ୍ଥିତି ମଧ୍ୟରେ ଆମେରିକାର ଏକ ଏକ୍ସପର୍ଟଙ୍କ ଟାସ୍କଫୋର୍ସ ୬୫ ବର୍ଷ ଯାଏ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଙ୍ଗଜାଇଟି ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ଭାରତରେ ମଧ୍ୟ କରୋନା ଏବଂ ଲକଡାଉନ ପରେ ମେଣ୍ଟାଲ ହେଲଥ ବା ମାନସିକ ସ୍ୱାସ୍ଥ୍ୟରେ ଅନେକ ଫରକ ଦେଖିବାକୁ ମିଳିଛି । ୨୦୨୦ର ଏକ ତଥ୍ୟରୁ ଜଣାପଡିଛି ଯେ ଭାରତର ୮୮ ପ୍ରତିଶତ ଲୋକ ଏଙ୍ଗଜାଇଟିର ସାମ୍ନା କରିଛନ୍ତି । ନମସ୍କାର ମୁଁ ଧର୍ମେନ୍ଦ୍ର ପ୍ରଧାନ ଆଜିର ଭିଡିଓରେ ଜାଣିବା କେମିତି ଆପଣ ଏଙ୍ଗଜାଇଟିର ଶିକାର ହୋଇଯାଇଛନ୍ତି । ଏହାକୁ ଅବହେଳା କରିବା ଦ୍ୱାରା ଆପଣ କେଉଁ ରୋଗର ଶିକାର ହେବେ ।

Advertisment

ଆପଣଙ୍କୁ ମୁଁ ସାଧାରଣ ଭାଷାରେ ଏଙ୍ଗଜାଇଟି କଣ ପ୍ରଥମେ କହିରଖିବାକୁ ଚାହିଁବି । ଏଙ୍ଗଜାଇଟି ଏମିତି ଏକ ଭାବନା ଯାହା ଆମକୁ ଅସ୍ୱାଭାବିକ ଅନୁଭବ କରାଏ । ଆପଣ ଭାବିନିଅନ୍ତୁ ଆପଣ ନୂଆ ଚାକିରୀ କରିବାକୁ ଯାଉଛନ୍ତି, ଆପଣଙ୍କ କେହି ଅତି ନିଜର ଲୋକଙ୍କୁ ହରେଇବାର ଭୟରେ ଅଛନ୍ତି କିମ୍ବା ନୂଆ ସହରକୁ ଯିବାର ଭୟରେ ଅଛନ୍ତି । ଏହିଭଳି ସ୍ଥିତିରେ ଆପଣଙ୍କ ମନରେ ଭୟ ବା ଚିନ୍ତା ସୃଷ୍ଟି ସ୍ୱାଭାବିକ ହୋଇଥାଏ । ଯେତେବେଳେ ଭୟ ବା ଚିନ୍ତା ଏକ ସ୍ତରରୁ ଅଧିକ ହୋଇଯାଏ ତାହା ଶରୀର ଏବଂ ମନ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହାର ଲକ୍ଷଣ ହେଉଛି ହୃଦସ୍ପନ୍ଦନ ଅଧିକ ହେବା, ମାଂସପେଶୀରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସ ଜୋରରେ ନେବା, ଅଧିକ ଝାଳ ଆସିବ, ହାଲିଆ ଲାଗିବା । ଅନେକ କ୍ଷେତ୍ରରେ ଏହି ଲକ୍ଷଣ ଯେତେ ଶୀଘ୍ର ଦେଖାଯାଇଥାଏ ସେତେ ଶୀଘ୍ର ମଧ୍ୟ ଚାଲିଯାଇଥାଏ । ତେବେ ଚିନ୍ତା ଏବଂ ଭୟ ମନରେ ଲଗାତର ରହିଲେ ଆଉ ଏହା ଅତ୍ୟଧିକ ହେବାରେ ଲାଗିଛି ତେବେ ଆପଣଙ୍କୁ ସହାୟତାର ଆବଶ୍ୟକତା ରହିଛି ।

ଏହିଭଳି ସ୍ଥିତିରେ ଆପଣଙ୍କୁ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି । ତାଙ୍କ ପରାମର୍ଶରେ ଏଙ୍ଗଜାଇଟିର ସ୍କ୍ରିନିଂ ବି କରିନେବା ଦରକାର । ସମୟରେ ଆପଣ ଯଦି ଏହାର ପରୀକ୍ଷା ନକରିବେ ତେବେ ହୃଦଜନିତ ସମସ୍ୟା, ଡାଇବେଟିସ, ଥାଇରଏଡ, ଆସ୍ଥମା ସହ ଡ୍ରଗ୍ସ ନେବାର ଶିକାର ହୋଇପାରନ୍ତି ।

ଏହି ମାନସିକ ସମସ୍ୟାର ସମାଧନ କଣ ଆପଣ ଜାଣିଛନ୍ତି କି? ଏହି ସମସ୍ୟାର ସମାଧାନ ନିହାତି ଅଛି ଆସନ୍ତୁ ସେ ବାବଦରେ ଆପଣଙ୍କୁ କିଛି ତଥ୍ୟ ମୁଁ ଦେବାକୁ ଚାହିଁବି । ଏଙ୍ଗଜାଇଟିର ଉପଚାର ଦୁଇ ପ୍ରକାରରେ ହୋଇଥାଏ । ପ୍ରଥମ ହେଉଛି ସାଇକୋ ଥେରାପି ଯାହାକୁ ଟକ୍ ଥେରାପି ମଧ୍ୟ କୁହାଯାଇଥାଏ । ଦ୍ୱିତୀୟଟି ହେଉଛି ଔଷଧ ନେବା । ଏହାକୁ ଅଲଗା ଅଲଗା ଭାବେ କରାଯାଇପାରିବ । ବିଶେଷଜ୍ଞଙ୍କ କହିବା କଥା ଯେ ଦୁଇଟି ଯାକ ଚିକିତ୍ସା ଏକା ସହ କରିବା ଦ୍ୱାରା ଅଧିକ ସଫଳତା ମିଳିପାରିବ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏହି ଟକ୍ ଥେରାପି କଣ? ଏହି ଚିକିତ୍ସାରେ ରୋଗୀକୁ ଅଲଗା ଭାବେ କିଛି ଭାବିବା ଏବଂ ସେହି ଅନୁସାରେ କାମକରିବା କିମ୍ବା ଆଚରଣ କରିବାକୁ କୁହାଯାଇଥାଏ । ମନେ ରଖନ୍ତୁ ଔଷଧରେ ଏଙ୍ଗଜାଇଟି ପୂରାପୂରି ଶେଷ ହୋଇନଥାଏ । କେବଳ ଏହା ଲକ୍ଷଣରୁ ଆପଣଙ୍କୁ ମୁକ୍ତ କରିଥାଏ । ଏଙ୍ଗଜାଇଟିକୁ କାବୁ କରିବା ପାଇଁ ଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।

ଆପଣଙ୍କ ମନରେ ପୁଣି ପ୍ରଶ୍ନ ଆସୁଥିବ ଯେ କଣ ଠିକ୍ ସମୟରେ ଏଙ୍ଗଜାଇଟିର ଶିକାର ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥାଏ କି? ଭାରତରେ ଅନେକ ଏହାକୁ ମାନସିକ ଅସୁସ୍ଥତା ଭାବେ ଗ୍ରହଣ କରାଯାଇନଥାଏ । ବର୍ତ୍ତମାନ ଭାରତରେ ୯ହଜାର ମାନସିକ ଡାକ୍ତର ବା ସାଇକେଟ୍ରିଷ୍ଟ ଅଛନ୍ତି । ଅର୍ଥାତ ଏକ ଲକ୍ଷ ଲୋକରେ ମଧ୍ୟ ଜଣେ ସାଇକେଟ୍ରିଷ୍ଟ ନାହାନ୍ତି । ଆମେରିକାରେ କିନ୍ତୁ ଏକ ଲକ୍ଷ ଲୋକଙ୍କ ପାଇଁ ୯ ଜଣ ସାଇକେଟ୍ରିଷ୍ଟ ଉପଲବ୍ଧ ରହିଛନ୍ତି । ଆମେ ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନା ଏବଂ ଏଥିପାଇଁ ଆବଶ୍ୟକ ଭିତ୍ତିଭୂମିର ସୂଧାର କରି ଏଙ୍ଗଜାଇଟି ସହ ଲଢେଇ କରୁଥିବା ଲୋକଙ୍କୁ ସାହାଯ୍ୟ କରିପାରିବା ।