କନକ ବ୍ୟୁରୋ: ହିନ୍ଦୁସ୍ତାନର ସମସ୍ତ ନାଗରିକ ହିନ୍ଦୁ ଅଟନ୍ତି । ହିନ୍ଦୁ ହେବା ପାଇଁ ଧର୍ମ ପରିବର୍ତନର ଆବଶ୍ୟକତା ନାହିଁ । ଏଭଳି ବୟାନ ଦେଇଛନ୍ତି ଆରଏସଏସର ମୁଖ୍ୟ ଡକ୍ଟର ମୋହନ ଭାଗୱତ ତାଙ୍କର ଏଭଳି ବୟାନକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଗତ କିଛିଦିନ ପୂର୍ବରୁ ମୁସଲିମ୍ ବୁଦ୍ଧିଜୀବୀଙ୍କୁ ଭେଟି ଭାଗୱତ କହିଥିଲେ ମୁସଲମାନଙ୍କ ବିନା ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ହୋଇ ପାରିବ ନାହିଁ । ହେଲେ ଏବେ କହିଛନ୍ତି ଭାରତରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିର ପ୍ରକୃତ ପରିଚୟ ହିନ୍ଦୁ । ଆରଏସଏସର ଆଦର୍ଶ ବିଷୟରେ ବୟାନ ରଖିବାକୁ ଯାଇ ମୋହନ ଭାଗବତ କହିଛନ୍ତି, ହିନ୍ଦୁ ଗୋଟିଏ ଧର୍ମ ନୁହେଁ, ଜୀବନ ଜିଇଁବାର ଶୈଳୀ । ସିଲଙ୍ଗରେ ଏକ ସଭାକୁ ସମ୍ବୋଧନ କରିବା ସମୟରେ ଏପରି କହିଛନ୍ତି ଭାଗବତ । ସବୁବେଳେ ବିବାଦୀୟ ବୟାନ ଦେଇ ରାଜନୈତିକ ମହଲରେ ଆଲଚନାର ବିଷୟ ହୋଇଥାନ୍ତି ମୋହନ ଭାଗବତ ।

Advertisment

ଏହା ପୂର୍ବରୁ ମସଜିଦ୍ – ମାଦରାସା ପରିଭ୍ରମଣ କରି ସଭିଁଙ୍କୁ ଚମକାଇ ଦେଇଥିଲେ ମୋହନ ଭାଗବତ । ଗତ ଗୁରୁବାର ରାଜଧାନୀ ଦିଲ୍ଲୀରେ ଏକ ମସଜିଦ୍ – ମଦରାସା ପରିଭ୍ରମଣ କରିଥିଲେ । ଅଖିଳ ଭାରତୀୟ ଇମାମ ସଙ୍ଗଠନ ପ୍ରମୁଖ ଉମର ଅହମ୍ମଦ ଇଲ୍ଲିୟାସୀଙ୍କ ନିମନ୍ତ୍ରଣ ରକ୍ଷା କରି ମୋହନ ଭାଗବତ ଦିଲ୍ଲୀର କସ୍ତୁରବା ଗାନ୍ଧି ମାର୍ଗରେ ଥିବା ମସଜିଦ୍ ଭ୍ରମଣରେ ଯାଇଥିଲେ । ମୌଲବିମାନଙ୍କ ସହ ଆଲୋଚନା କରିବା ସହ ମଦରାସାରେ ପାଠ ପଢୁଥିବା ପିଲାଙ୍କ ଠାରୁ କୁରାନ୍ ମଧ୍ୟ ଶୁଣିଥିଲେ । ଏହାପୂର୍ବରୁ ୨୨ ଅଗଷ୍ଟରେ ମୁସଲିମ ସମୁଦାୟର ବୁଦ୍ଧିଜୀବୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହି ସମୟରେ ଭାଗବତ କହିଥିଲେ ମୁସଲମାନଙ୍କ ବିନା ହିନ୍ଦୁ ରାଷ୍ଟ୍ରର ପରିକଳ୍ପନା ହୋଇ ପାରିବ ନାହିଁ । ତେବେ ଯାହା ଚର୍ଚ୍ଚା ହେଉଛି ଆରଏସଏସ ଭାରତରେ ୫ଟି ବିଶ୍ୱବିଦ୍ୟାଳୟ ଖୋଲିବାକୁ ଯାଉଛି । ହିନ୍ଦୁ ଧର୍ମକୁ ସବୁବେଳେ ପ୍ରଧାନ୍ୟ ଦେଉଥିବା ଆରଏସଏସ ଓ ମୋହନ ଭାଗବତ ଏବେ ମୁସଲିମ୍ମାନଙ୍କ ପ୍ରତି ନିଜ ବିଚାରଧାରା ପରିବର୍ତନ କରୁଥିବା ଦେଖିବାକୁ ମିଳୁଛି ।