କନକ ବ୍ୟୁରୋ : ରାଜସ୍ଥାନରେ କଂଗ୍ରେସ ଭିତରେ ଗୃହକଳି ଏବେ ଚରମ ସୀମାରେ ପହଂଚିଛି । ଗେହଲଟ ଉଭୟ ପଦରେ ରହିବାକୁ ଯୋଜନା କରୁଥିବା ବେଳେ ଧିରେ ଧିରେ ସଚିନ ପାଇଲଟ ତାଙ୍କର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ହେଲେ ଏତେ ସବୁ ଭିତରେ ବିଜେପି ଏପର୍ଯ୍ୟନ୍ତ ଚୁପ୍ ରହିଛି ବୋଲି ଅନୁମାନ କରାଯାଉଥିଲା । ହେଲେ ଏବେ ରାଜସ୍ଥାନ ବିଜେପି ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ସରିଛି ଓ ଏନେଇ ମୁହଁ ଖୋଲିଛନ୍ତି ରାଜସ୍ଥାନ ବିଜେପିର ମୁଖ୍ୟ ସତୀଶ ପୁନିଆ ।

Advertisment

ରାଜସ୍ଥାନ କଂଗ୍ରେସର ୯୦ ଜଣ ବିଧାୟକ ବାଚସ୍ପତି ସିପି ଜୋଶୀ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସେମାନଙ୍କର ଇସ୍ତଫା ପତ୍ର ଦେଇସାରିଛନ୍ତି । ଏହାକୁ ନେଇ ସତୀଶ ପୁନିଆ କହିଛନ୍ତି କି ବିଧାୟକମାନେ ନିଜ ଇଚ୍ଛାରେ ଇସ୍ତଫା ଦେଇଥିବାରୁ ବାଚସ୍ପତି ଏହାକୁ ଗ୍ରହଣ କରିବା ଉଚିତ । ନହେଲେ ସେ ଆଗାମୀ ଦିନରେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିବେ । ଏନେଇ ଆଜି ପୁନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଅନୁମାନ କରାଯାଉଛି କି ସେ ରାଜସ୍ଥାନ ସ୍ଥିତି ନେଇ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ।

କେବଳ ସେତିକି ନୁହେଁ ସତୀଶ ପୁନିଆ ପାଇଲଟଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ସେ କହିଛନ୍ତି ଯେ, ସଚିନ ପାଇଲଟଙ୍କ ପାଇଁ ବିଜେପି ଦ୍ୱାର ସବୁବେଳେ ଖୋଲା ରହିଛି । ଏହା ଉପରେ ଶେଷ ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ । ସେ ପାଇଲଟଙ୍କୁ ଧନ୍ୟବାଦ ଦେଇ କହିଛନ୍ତି କି, ପାଇଲଟ ଗତ ୩ ବର୍ଷ ମଧ୍ୟରେ କୌଣସି ମିଥ୍ୟା ବୟାନ ଦେଇ ନାହାଁନ୍ତି । କଂଗ୍ରେସ ପକ୍ଷରୁ ତାଙ୍କ ପ୍ରତି ନିକମ୍ମା, ଜୟଚନ୍ଦ ଭଳି ଶବ୍ଦ ବ୍ୟବହାର କରିଥିଲେ ବି ସେ ଚୁପ୍ ରହିଛନ୍ତି ।