ସାମ୍ନାକୁ ଆସିଲା ବିଦ୍ୟୁତ୍ ବିତରଣ କମ୍ପାନିର ଚଞ୍ଚକତା । ଆବଶ୍ୟକତାଠାରୁ କମ୍ ଦର୍ଶାଇ କିଣାଯାଉଛି ବିଜୁଳି ।

ବିଜୁଳି କାଟ୍ କରି କ୍ଷତି ବଞ୍ଚାଇବାକୁ ହେଉଛି ଷଡ଼ଯନ୍ତ୍ର

245

କନକ ବ୍ୟୁରୋ: ଭୀଷଣ ଖରାରେ ଅଘୋଷିତ ବିଦ୍ୟୁତ କାଟର ସତ ସାମ୍ନାକୁ ଆସିଛି । ବିତରଣ କମ୍ପାନୀ ନିଜ କ୍ଷତି ଭରଣା କରିବା ପାଇଁ ଲୋକଙ୍କୁ ଗରମରେ ସନ୍ତୁଳି ହେବାକୁ ବାଧ୍ୟ କରୁଛି । ଷ୍ଟେଟ ଲୋଡ ଡେସପାଚ ସେଣ୍ଟରର ତଥ୍ୟରୁ ସ୍ପଷ୍ଟ ହେଉଛି ରାଜ୍ୟକୁ ଆବଶ୍ୟକତାଠୁ କମ ବିଜୁଳି ଆଣୁଛି ବିତରଣ କମ୍ପାନୀ । ଦରକାରଠୁ ପାଖାପାଖି ଏକ ହଜାର ମେଗାୱାଟ କମ ବିଜୁଳି ଆଣି ଦିନକୁ ୨୫୦କୋଟି ଟଙ୍କା ବିତରଣ କମ୍ପାନୀ ସଞ୍ଚୟ କରୁଥିବା କହୁଛନ୍ତି ବିଶେଷଜ୍ଞ । ଆଉ ଅଘୋଷିତ ବିଦ୍ୟୁତ୍ କାଟ ଜରିଆରେ କମ ବିଜୁଳିରେ ପୂରା ରାଜ୍ୟକୁ ପରିଚାଳନା କରାଯାଉଛି ।

  • ଅଘୋଷିତ ବିଜୁଳି କାଟ୍ ପଛରେ କ’ଣ ରହିଛି ସତ?
  • ବିଦ୍ୟୁତ ବିତରଣ କମ୍ପାନୀର ଚଞ୍ଚକତା

ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ଭିତରେ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଓଡିଶାକୁ ଯେତେ ମେଗାୱାଟ ବିଜୁଳି ଆବଶ୍ୟକ, ତାଠୁ କମ୍ ବିଜୁଳି କିଣୁଛି ବିତରଣ କମ୍ପାନୀ । ଉଦାହରଣ ଭାବେ ଷ୍ଟେଟ ଲୋଡ ଡେସପାଚ ସେଣ୍ଟର ପକ୍ଷରୁ ଜାରି ୨୮ତାରିଖର ରିପୋର୍ଟରେ ଉଲ୍ଲେଖ କରାଯାଇଛି…ଏପ୍ରିଲ ୨୮ ତାରିଖ – ବିଜୁଳି ଆବଶ୍ୟକତା ଦର୍ଶାଇଥିଲେ ୪,୩୦୩ ମେଗାୱାଟ, ମିଳିଛି ୪,୫୧୩ ମେଗାୱାଟ

ପିକ୍ ସମୟରେ ଓଡିଶାରେ ହାରାହାରି ୫,୫୦୦ ମେଗାୱାଟ ବିଦ୍ୟୁତ ଆବଶ୍ୟକ । ତେଣୁ ପ୍ରଶ୍ନ ଉଠୁଛି ଦୈନିକ ଆବଶ୍ୟକ ବିଜୁଳି ଠାରୁ ପାଖାପାଖି ୧ ହଜାର ମେଗାୱାଟ କମ ବିଜୁଳି ଆବଶ୍ୟକତା ଦେଖାଉଛନ୍ତି ବିଦ୍ୟୁତ ବିତରଣ କମ୍ପାନୀ । ଏପରିକି ଆବଶ୍ୟକତାଠୁ ଅଧିକ ପରିମାଣର ବିଜୁଳି ଏସଏଲଡିସିଠୁ ମିଳୁଛି । କିନ୍ତୁ ଏପଟେ ବିଜୁଳି ସଙ୍କଟ ଦେଖାଇ ରାଜ୍ୟରେ ବିଜୁଳି କାଟ କରୁଛନ୍ତି ବିତରଣ କମ୍ପାନୀ ।

କୁହାଯାଉଛି, ଗ୍ରାମାଞ୍ଚଳରେ ବିଜୁଳି ବିତରଣରେ ଅପଚୟ ହେଉଛି ୫୦ ପ୍ରତିଶତ । ତେଣୁ କମ୍ ବିଜୁଳି ଆବଶ୍ୟକତା ଦର୍ଶାଇ ପାୱାରକଟରେ ଏହି କ୍ଷତି ଭରଣା ହେଉଛି । ଗୋଟିଏ ମାସରେ ପ୍ରାୟ ୨୫୦ କୋଟି ଟଙ୍କା ଭରଣା କରାଯାଉଥିବା ଅଭିଯୋଗ ହେଉଛି । ମିଳିମିଶି ସମସ୍ତେ ଏହି ଚଞ୍ଚକତା କରୁଥିବା କହିଛନ୍ତି ବିଶେଷଜ୍ଞ । ତେବେ ବିତରଣ କମ୍ପାନୀ ନିଜ କ୍ଷତିର ଭରଣା କରିବା ପାଇଁ, ଖରାଦିନେ ଅଘୋଷିତ ବିଦ୍ୟୁତ କାଟ କରୁଛନ୍ତି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।