ମୋଦୀ ସରକାରରେ ସବୁ କିଛି ଠିକ ଅଛି ତ? ଲୋକମତ ଟାଇମ୍ସର ରିପୋର୍ଟ ପରେ ଉଠିଲା ଏମିତି ପ୍ରଶ୍ନ

430

କନକ ବ୍ୟୁରୋ: ମୋଦୀ ସରକାରରେ ସବୁ କିଛି ଠିକ ଅଛି ତ? ଏଭଳି ପ୍ରଶ୍ନ ଉଠିବାର କାରଣ ଲୋକମତ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ରିପୋର୍ଟ । ଏଥିରେ କୁହାଯାଇଛି ଯେ, ମୋଦୀ ସରକାରଙ୍କ ଜଣେ ପ୍ରଭାବଶାଳୀ ମନ୍ତ୍ରୀ କୁଆଡ଼େ କହିଛନ୍ତି ଯେ, ସେ ଯେତେବେଳେ ଚାହିଁବେ, ସରକାରର ପତନ ଘଟାଇପାରିବେ ।

ଏ ରିପୋର୍ଟକୁ ନେଇ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ତେଜିଛି । ଲୋକମତ ଟାଇମ୍ସର ନାଗପୁର ସଂସ୍କରଣର ଏହି ରିପୋର୍ଟରେ କୁହାଯାଇଛି ଯେ, ମୋଦୀ ସରକାରରେ ବାହାରୁ ସବୁ କିଛି ଠିକଠାକ୍ ଥିବା ଦେଖାଯାଉଥଲେ ବି ଭିତରେ ବିବାଦ ଦେଖାଦେଇଛି । ଏପରିକି ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କର ଜଣେ ମନ୍ତ୍ରୀ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । କଥା ଏତେ ବିଗିଡ଼ି ଯାଇଛି ଯେ, ଆବଶ୍ୟକ ହେଲେ ସରକାରର ପତନ ଘଟାଇବାକୁ ମଧ୍ୟ ସମ୍ପୃକ୍ତ ମନ୍ତ୍ରୀ ଜଣକ ଧମକ ଦେଇଥିବା ରିପୋର୍ଟରେ କୁହାଯାଇଛି ।

ମୋଦୀ କ୍ୟାବିନେଟର ଏହି ମନ୍ତ୍ରୀଙ୍କ ପାଖରେ ୨୨୫ ଜଣ ବିଜେପି ସାଂସଦଙ୍କ ସମର୍ଥନ ଥିବା ରିପୋର୍ଟ କହିଛି । ତେବେ ସମ୍ପୃକ୍ତ ମନ୍ତ୍ରୀଙ୍କ ପରିଚୟ ଗୁପ୍ତ ରଖିଛି ଲୋକମତ ଟାଇମ୍ସ । ମୋଦି କ୍ୟାବିନେଟର ଅନ୍ୟ ଜଣେ ମନ୍ତ୍ରୀଙ୍କ ସାକ୍ଷତକାର ଅଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ମୋଦୀ ଓ ସମ୍ପୃକ୍ତ ମନ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଆସିଛି । ଏପରିକି ପୂର୍ବରୁ ମନ୍ତ୍ରୀ ଜଣକ ମୋଦୀଙ୍କୁ କହିଥିଲେ, କ୍ଷମତା ଥିଲେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରି ଦେଖାନ୍ତୁ । ଏହାସହ ମନ୍ତ୍ରୀ ଜଣକ ଚେତାବନୀ ଦେଇ କହିଥିଲେ ଯେ, ସେ ଯେତେବେଳେ ଚାହିଁବେ ସେତେବେଳେ ମୋଦୀ ସରକାରର ପତନ ଘଟାଇପାରିବେ, କାରଣ ୨୨୫ ଜଣ ବିଜେପି ସାଂସଦଙ୍କ ସମର୍ଥନ ତାଙ୍କ ପଛରେ ଅଛି । ହେଲେ ଆଦର୍ଶଗତ କାରଣରୁ ସେ ଏପରି କରୁନଥିବା ରିପୋର୍ଟ କହିଛି ।

ସମ୍ପୃକ୍ତ ମନ୍ତ୍ରୀ କିଏ, ତାଙ୍କର ପରିଚୟ ଅସ୍ପଷ୍ଟ ରହିଛି । ହେଲେ ରିପୋର୍ଟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ପଙ୍କଜ ସିଂ ଯୋଗୀ ସରକାରରେ ସ୍ଥାନ ନପାଇବା ପଛର କାରଣ କ’ଣ ବୋଲି ପ୍ରଶ୍ନ କରିଛି ଲୋକମତ ଟାଇମ୍ସର ଏହି ରିପୋର୍ଟ ।