କୁନି ପିଲାଙ୍କ ପାଇଁ ଭୟଙ୍କର ହୋଇପାରେ ଭୂତାଣୁ । ଦ୍ୱିତୀୟ ଲହର ଭିତରେ ମତ ରଖିଲେ ବିଶେଷଜ୍ଞ ।

717

କନକ ବ୍ୟୁରୋ: କରୋନାର ‘କ’ ବି ବୁଝୁନଥିବା କୁନି ପିଲାଙ୍କ ପାଇଁ ଭୂତାଣୁ ଯେ ଭୟାନକ ହୋଇପାରେ – ଏହି ଆଶଙ୍କା ବଢ଼ିଛି ଯେତେବେଳେ କରୋନାର ଦ୍ୱିତୀୟ ଲହରୀ ଭିତରେ ବିଶେଷଜ୍ଞ କହୁଛନ୍ତି, ଛୋଟ ପିଲାଙ୍କୁ ସଂକ୍ରମଣ କରୁଛି କରୋନା । କରୋନାର ପ୍ରଥମ ଲହରରେ ଭୂତାଣୁ ଛୋଟ ପିଲା ମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରୁନଥିଲା । ହେଲେ, ଏବେ ଚିତ୍ର ବଦଳିଛି । ଦ୍ୱିତୀୟ ଲହରରେ ଶିଶୁମାନଙ୍କୁ ବି ପ୍ରଭାବିତ କରୁଛି କରୋନା ଭୂତାଣୁ । ମୁମ୍ବାଇର ରିଲାଏନ୍ସ ହସ୍ପିଟାଲ ଏବଂ ଫୋର୍ଟିସ ହସ୍ପିଟାଲ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସୁଭାଷ ରାଓ କହିଛନ୍ତି –

ଶିଶୁମାନଙ୍କଠାରେ, ଜ୍ୱର , ଥଣ୍ଡା, ଶୁଖିଲା କାଶ, ପତଳା ଝାଡା, ବାନ୍ତି, ଖାଦ୍ୟରେ ଅନାଗ୍ରହ, କ୍ଳାନ୍ତ ଲାଗିବା ଭଳି ବିଭିନ୍ନ ଲକ୍ଷଣ ଦେଖାଦେଉଛି ।କେତେ ଜଣଙ୍କର ଶ୍ୱାସକ୍ରିୟାରେ କଷ୍ଟ ମଧ୍ୟ ହେଉଛି । ତେଣୁ ଯଦି ଶିଶୁକୁ ଜ୍ୱର ହେଉଛି ତେବେ ତୁରନ୍ତ ଜ୍ୱର ହେବାର ପରଦିନରେ ହିଁ ଆରଟିପିସିଆର ଟେଷ୍ଟ କରାଇ ନେବା ଉଚିତ୍ । ତୁରନ୍ତ ରୋଗ ଚିହ୍ନଟ ହୋଇପାରିଲେ, ଶୀଘ୍ର ଚିକିତ୍ସା ହୋଇପାରିବ ଓ ସୁସ୍ଥ ହୋଇପାରିବ । ବିଳମ୍ବ କଲେ ଅଧିକ ବିପଦଜନକ ହୋଇପାରେ ।

ଯଦି ଜଣେ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି, ତେବେ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସଂଗରୋଧରେ ରଖାଯିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ । ଏପରିକି ଯଦି ଜଣେ ଶିଶୁ ସଂକ୍ରମିତ ହେବାର ଚାରି ପାଂଚ ଦିନ ଭିତରେ ପୁଣି ନେଗେଟିଭ୍ ରିପୋର୍ଟ ଆସୁଛି । ତେବେ ବି ୧୪ ଦିନ ପର୍ଯ୍ୟନ୍ତ ସଂଗରୋଧରେ ରଖାଯିବା ଆବଶ୍ୟକ । ପିଲାମାନଙ୍କୁ କରୋନା କବଳରୁ ସୁରକ୍ଷିତ ରଖିବା ପାଇଁ ଅଭିଭାବକମାନେ କଣ ସାବଧାନତା ପାଳନ କରିବା ଆବଶ୍ୟକ ।

  • ପିଲାମାନଙ୍କୁ ବଜାର ଓ ମଲକୁ ସାଙ୍ଗରେ ନନେବା
  • ଭିଡ ଥିବା ପାର୍କରେ ଶିଶୁଙ୍କୁ ଖେଳିବାକୁ ଛାଡିବା ନାହିଁ
  • ଭିଟାମିନ୍-ସିର ସିରପ୍ ଓ ଟାବଲେଟ୍ ଖାଇବାକୁ ଦେବା
  • ବିବାହ ଭୋଜି, ପାର୍ଟିକୁ ଛୋଟ ପିଲାଙ୍କୁ ନନେବା
  • ଆଇସକ୍ରିମ ଖାଇବା ଓ ରେଫ୍ରିଜରେଟର ପାଣି ପିଇବାକୁ ବାରଣ କରିବା