ଶ୍ରୀଲଙ୍କା ବମ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ISIS । ଆତ୍ମଘାତୀ ଆକ୍ରମଣରେ ଗଲାଣି ୩୦୦ ଜୀବନ, ମୃତକଙ୍କ ମଧ୍ୟରେ ୧୦ ଭାରତୀୟ ସାମିଲ

263

ଶ୍ରୀଲଙ୍କାରେ ଆତ୍ମଘାତୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଇସଲାମିକ ଷ୍ଟେଟ । ଏନେଇ ଏକ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆତ୍ମଘାତୀ ଆକ୍ରମଣରେ ଲଗାତାର ମୃତକଙ୍କ ସଂଖ୍ୟା ବଢିଚାଲିଛି । ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୩୦୦ରେ ପହଞ୍ଚିଲାଣି । ରବିବାର ଇଷ୍ଟର ପର୍ବ ଚାଲୁଥିବା ବେଳେ ଦେଶର ୮ଟି ସ୍ଥାନରେ ସିରିୟଲ ବମ ବିସ୍ଫୋରଣ ହୋଇଥିଲା ।

ଏହି ବିସ୍ଫୋରଣରେ ପ୍ରାୟ ୧୦ ଜଣ ଭାରତୀୟ ମୃତ୍ୟୁବରଣ କରିଥିବା ବେଳେ ମୋଟ ୪୫ ଜଣ ବିଦେଶୀଙ୍କର ମୃତ୍ୟୁ ହୋଇଛି । ଆକ୍ରମଣ ପରେ ଶ୍ରୀଲଙ୍କା ସଂସଦରେ ଜରୁରୀକାଳୀନ ଅଧିବେଶନ ଡକାଯାଇଛି । ପୂରା ଦେଶରେ ଶୋକର ଛାୟା ଖେଳି ଯାଇଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

ଇଷ୍ଟର ଉତ୍ସବ ପାଳନ କରାଯାଉଥିବା ବେଳେ ଶ୍ରୀଲଙ୍କାରେ ସିରିଜ ବୋମା ବିସ୍ଫୋରଣ ହୋଇଥିଲା । ଆଉ ଏତେ ବଡ ଆକ୍ରମଣ ପାଇଁ ସରକାର ବିଦେଶୀ ଆତଙ୍କବାଦୀଙ୍କୁ ଦାୟୀ କରିଥିଲା । ଏପରିକି ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଆତଙ୍କବାଦୀଙ୍କ ସହ ବିଦେଶୀ ଆତଙ୍କବାଦୀ ମାନେ ମିଶି ଏଭଳି କାଣ୍ଡ ଭିଆଇଛନ୍ତି । ତେଣୁ ପୂରା ଦେଶରେ ହାଇଆଲର୍ଟ ଜାରି କରାଯିବା ସହ କର୍ଫ୍ୟୁ ଲଗାଇଛନ୍ତି ସରକାର । ରବିବାର ବମ ବିସ୍ଫୋରଣ ପରେ ସୋମବାର ମଧ୍ୟ ୮୭ ଡୋଟେନେଟର ମିଳିଥିବା ସୂଚନା ମିଳିଛି । ତେଣୁ ଶ୍ରୀଲଙ୍କା ଉପରେ ଏବେ ପର୍ଯ୍ୟନ୍ତ ମଧ୍ୟ ବିପଦ ଟଳିନାହିଁ ।