ଥମିବାରେ ନା ନେଉ ନାହିଁ ଆମେରିକା-ଇରାନ ବିବାଦ ! ଭୀଷଣ ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛି ଇରାନ, ବାଲିଷ୍ଟିକ କ୍ଷେପଣାସ୍ତ୍ର ଓଅସ୍ତ୍ରବାହୀ ଡ୍ରୋନ ହୋଇପାରେ ମୁଖ୍ୟ ଆୟୁଧ

1,347

କନକ ବ୍ୟୁରୋ : ଇରାନ୍ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ଶତ୍ରୁତା ଏବେ ଚରମ ସ୍ଥିତିରେ ପହଞ୍ଚିଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣର କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏହାକୁ ନେଇ ମଧ୍ୟ ପ୍ରାଚ୍ୟରେ ଅସ୍ଥିରତା ବଢ଼ିଯାଇଛି ଏବଂ ଏହାର ପ୍ରଭାବ ସମଗ୍ର ବିଶ୍ବରେ ଦେଖିବାକୁ ମିଳିଲାଣି । ଇରାନ୍ ଇରାକ୍ ସ୍ଥିତ ଆମେରିକାର ସାମରିକ ପ୍ରତିଷ୍ଠାନ ଉପରେ ପ୍ରାୟ ୧୫ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଯୁଦ୍ଧ ଉତ୍ତେଜନା ବଢ଼ିବାରେ ଲାଗିଛି। ଆମେରିକା ଭଳି ମହାଶକ୍ତିଶାଳୀ ରାଷ୍ଟ୍ର ବିରୋଧରେ ଲଢ଼େଇ କରିବା ପାଇଁ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ବିଶାଳ ଯୋଜନା ପ୍ରସ୍ତୁତ କରିଛି। ସବୁ ଅନ୍ତର୍ଜାତୀୟ କଟକଣାକୁ ବେଖାତିର କରି ଇରାନ୍ ଏବେ ଆମେରିକା ସହିତ ଭୀଷଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବାରୁ ଏଭଳି ସ୍ଥିତି ବିଶ୍ବରେ ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଇବ ବୋଲି ଆଶଙ୍କା ବଳବତ୍ତର ହେଉଛି।

ବିଗତ କିଛି ବର୍ଷ ମଧ୍ୟରେ ଇରାନ୍ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ହାସଲ କରିବାରେ ସକ୍ଷମ ହୋଇଛି। ଇରାନ୍ ପାଖରେ ୨୦୦ କିମିରୁ ୨୦୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରୁଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମହଜୁଦ୍ ଥିବାରୁ ବିଭିନ୍ନ ରାଷ୍ଟ୍ରରେ ରହିଥିବା ଆମେରିକାର ସାମରିକ ପ୍ରତିଷ୍ଠାନକୁ ଏହା ଧ୍ବଂସ କରିବାକୁ ସକ୍ଷମ ବୋଲି କୁହାଯାଇଛି। ଏହା ବ୍ୟତୀତ ଇରାନ୍ ଅତି ଶକ୍ତିଶାଳୀ ଅସ୍ତ୍ର ବାହକ ଏବଂ ଗୁଇନ୍ଦା ଡ୍ରୋନ୍ ବିକଶିତ କରିବାରେ ସକ୍ଷମ ହୋଇଥିବାରୁ ଆମେରିକାର ସାମରିକ ଗତିବିଧି ଉପରେ ଏହା ନଜର ରଖିପାରୁଛି।

ମଧ୍ୟପ୍ରାଚ୍ୟର ବିଭିନ୍ନ ରାଷ୍ଟ୍ରରେ ଥିବା ବିଦ୍ରୋହୀ ସଂଗଠନଗୁଡ଼ିକୁ ଆମେରିକା ସେନା ବିରୋଧରେ ଯୁଦ୍ଧ କରିବା ପାଇଁ ପ୍ରବର୍ତ୍ତାଇବାରେ ମଧ୍ୟ ଇରାନ୍ ସମର୍ଥ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଗତ ୧୦ ବର୍ଷ ମଧ୍ୟରେ ଇରାନ୍ ତା’ର ଘାତଶକ୍ତିକୁ ବଢ଼ାଇବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିଛି ଏବଂ ଏଥିରେ ସଫଳତା ହାସଲ କରିଛି। ତେଣୁ ଇରାନ୍ ସହ ପୂର୍ଣ୍ଣାଙ୍ଗ ଯୁଦ୍ଧ ଆମେରିକା ପାଇଁ ଏତେ ସହଜ ହେବନାହିଁ ବୋଲି କୁହାଯାଉଛି । ମଧ୍ୟପ୍ରାଚ୍ୟରେ ଆମେରିକାର କୌଣସି ମିତ୍ର ରାଷ୍ଟ୍ର ଇରାନ୍ ବିରୋଧରେ ଯୁଦ୍ଧ ମୁହାଁ ହେଲେ ଇରାନ୍ ଭୟାନକ ଆକ୍ରମଣ କରିବ ବୋଲି ମଧ୍ୟ ଚେତାବନୀ ଦେଇଛି।

ଗତ ବର୍ଷ ବର୍ଷ ସାଉଦି ଆରବରେ ଇରାନ ଡ୍ରୋନ୍ ଆକ୍ରମଣ ଯୋଗୁଁ ତୈଳ ପ୍ରତିଷ୍ଠାନରେ ଯେଉଁ ବିପର୍ଯ୍ୟୟ ଘଟିଥିଲା ତାହା ସମଗ୍ର ବିଶ୍ବକୁ ହତ୍ବାକ୍ କରିଦେଇଥିଲା। ଆମେରିକା ଯେଉଁଭଳି ଶକ୍ତିଶାଳୀ ଅସ୍ତ୍ର ପ୍ରୟୋଗକାରୀ ଡ୍ରୋନ୍ ବ୍ୟବହାର କରୁଛି, ସେଭଳି ଡ୍ରୋନ୍କୁ ଇରାନ୍ ମଧ୍ୟ ଏଥିପାଇଁ ବ୍ୟବହାର କରିଥିବା ଜଣାପଡ଼ିଥିଲା । ଆମେରିକା ସହ ଯୁଦ୍ଧ ପରିସ୍ଥିତିରେ ଇରାନ୍ ଯେଭଳି ସବୁ ଆକ୍ରମଣର ସଫଳ ମୁକାବିଲା କରିପାରିବ ସେ ନେଇ କମାଣ୍ଡାର ଜେନେରାଲ କ୍ବାସିମ ସୁଲେମାନୀ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଥିଲେ। ଏହା ସହିତ ବିଭିନ୍ନ ରାଷ୍ଟ୍ରରେ ଥିବା ଆମେରିକାର ସାମରିକ ପ୍ରତିଷ୍ଠାନକୁ ନିଶାଣ କରିବା ପାଇଁ ସୁଲେମାନୀଙ୍କ ବଡ଼ ଯୋଜନା ରହିଥିଲା। ଏଥିପାଇଁ ଆମେରିକା ତାଙ୍କୁ କ୍ଷେପଣାସ୍ତ୍ର ମାଡ଼ରେ ହତ୍ୟା କରିଥିଲା।