କନକ ବ୍ୟୁରୋ: ପ୍ରଭାକର ଚୌଧୁରୀ ୨୦୧୦ର ବ୍ୟାଚର ଆଇପିଏସ୍ ଅଧିକାରୀ । ୮ ବର୍ଷରେ ୧୫ ଜିଲ୍ଲାର ମଙ୍ଗ ସମ୍ଭାଳିଥିବା ଏହି ଅଧିକାରୀଙ୍କର ୧୮ ଥର ଟ୍ରାନ୍ସଫର ହେଲାଣି । ଅଧଘଣ୍ଟାରେ ବଡ ଧରଣର ହିଂସାକୁ ରୋକିଦେଲେ ହେଲେ ୪ ଘଣ୍ଟା ଭିତରେ ଟ୍ରାନ୍ସଫର ହୋଇଗଲେ । ଏହାକୁ ନେଇ ତାଙ୍କ ବାପା ବିଜେପି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ କର୍ତ୍ତବ୍ୟନିଷ୍ଠ ପୁଅକୁ ତାଙ୍କ ଭଲ କାମ ବଦଳରେ ଶାସ୍ତି ଦିଆଯାଉଛି ବୋଲି କହିଛନ୍ତି । ପ୍ରଭାକର ଉତ୍ତରପ୍ରଦେଶର ଏପରି ଜଣେ ଆଇପିଏସ୍ ଯାହାଙ୍କ ଚର୍ଚ୍ଚା ଏବେ ସାରା ଦେଶରେ ହେଉଛି ।

Advertisment

ଉତ୍ତରପ୍ରଦେଶର ବରେଲି ଜିଲ୍ଲା , ଯେଉଁଠି ବଡ ବଡ ଡିଜେ ଗାଡି ନେଇ ଶୋଭାଯାତ୍ରାରେ ବାହାରିଲେ କାଉଡିଆ । ତାଙ୍କର ଜିଦ୍ ମୁସଲିମାନ୍ ବସତି ପଟ ଦେଇ ଯିବେ । ସେହିଦିନ ବାହାରିବାକୁ ଥିଲା ମୋହରମ୍ ପାଇଁ ଶୋଭାଯାତ୍ରା । ଏଥିପାଇଁ ସଂଖ୍ୟାଲଘୁ ଗୋଷ୍ଠୀ ଅନୁମତି ନେଇସାରିଥିଲେ । ହେଲେ କଡା ନଜର ରଖିଥିଲା ପୁଲିସ ପ୍ରଶାସନ । ସେହିପଟ ଦେଇ କାଉଡିଆ ଯିବାକୁ ଜିଦ ଧରିଲେ । ଦୀର୍ଘ ସମୟ ଧରି ସେମାନଙ୍କୁ ବୁଝାସୁଝା କରିଥିଲେ ଆଇପିଏସ୍ ପ୍ରଭାକର । ହେଲେ ସେମାନେ ନିଜ ଜିଦରେ ଅଟଳ ରହି ଆଗକୁ ବଢିଥିଲେ । ଏକ ନିଶ୍ଚିତ ହିଂସାକୁ ରୋକିବାକୁ ବାଧ୍ୟହୋଇ କାଉଡିଆଙ୍କ ଉପରେ ଲାଠିଚାର୍ଜ କରିଥିଲେ ପ୍ରଭାକରଙ୍କ ଟିମ୍ । କିଛି ମାତ୍ର ଘଣ୍ଟାରେ ପୁରା ସ୍ଥିତି ଶାନ୍ତ ପଡିଥିଲା । ହେଲେ ପ୍ରଭାକରଙ୍କ ପାଇଁ ଆସିଯାଇଥିଲା ବଦଳି ଅର୍ଡର । ଘରେ ଯାଇ ପହଞ୍ଚିବା ପୂର୍ବରୁ ତାଙ୍କୁ ବରେଲିରୁ ଟ୍ରାନ୍ସଫର କରାଯାଇ ୩୨ ବାହିନୀ ପିଏସିର ସେନାନାୟକ ଭାବେ ନିଯୁକ୍ତ କରିଦିଆଗଲା ।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ଦେଶର ଜନତା । ଆଇପିଏସ୍ ପ୍ରଭାକରଙ୍କ ଭଲକାମ ପାଇଁ କ’ଣ ତାଙ୍କୁ ଏଭଳି ଶାସ୍ତି ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟବାସୀ ।

ପ୍ରଭାକର ଜଣେ ଚାଷୀ ପରିବାରୁ ଆସିଛନ୍ତି । ୫ ଝିଅରେ ଗୋଟିଏ ବୋଲି ପୁଅକୁ ମଣିଷ କରିବାକୁ ବାପା ଅନେକ କଷ୍ଟ କରିଛନ୍ତି । ପିଲାବେଳୁ ପଢାରେ ଆଗୁଆ ଥିବା ପ୍ରଭାକର ଏଲଏଲବି ଶେଷ କରିବା ପରେ ୟୁପିଏସସି ପାଇଁ ପ୍ରସ୍ତୁତି କଲେ ଏବଂ ୨୦୧୦ରେ ପ୍ରଥମ ଚେଷ୍ଟାରେ ହିଁ ଆଇପିଏସ୍ ପାଇଲେ । କିନ୍ତୁ ସବୁଠାରୁ ବଡ କଥା ହେଲା ତାଙ୍କ ସରଳ ଜୀବନ ଶୈଳୀ । ଚାକିରିର ୧୩ ବର୍ଷ ବିତିଯାଇଥିଲେ ବି ତାଙ୍କର ଜୀବନ ପୂର୍ବପରି ଅତି ସାଧାସିଧା । ନା ଅଛି ଜାକଜମକ ନା ସାମାନ୍ୟ ବଡିମା । ଘରେ ନା ଅଛନ୍ତି ଚାକରବାକର ନା ଅଛି ଦାମୀ ଆସବାବ । ଭାରୀ ସାଧାସିଧା ଜୀବନ ବଞ୍ଚିବାରେ ବିଶ୍ୱାସ ରଖନ୍ତି ପ୍ରଭାକର । ଅନ୍ୟାୟକୁ କେବେ ବି ସହୁନଥିବା ଏହି ଦବଙ୍ଗ ଆଇପିଏସଙ୍କୁ ୮ ବର୍ଷରେ ୧୮ ଥର ବଦଳି କରାଯିବାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।
ବ୍ୟୁରୋ ରିପୋର୍ଟ- କନକ ନ୍ୟୁଜ୍