ତାଲିବାନର ନୂଆ ଘୋଷଣା, ଆଫଗାନିସ୍ତାନରେ ଆଇପିଏଲ ବ୍ୟାନ୍ । ଜାଣନ୍ତୁ କଣ ରହିଛି ପୂରା କାରଣ?

905

କନକ ବ୍ୟୁରୋ  : ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରେ ତାଲିବାନ ନିଜର ଅସଲ ରୂପ ଦେଖାଉଛି । କେତେବେଳେ ନୃଂଶସ ଭାବେ ନୀରିହ ଲୋକଙ୍କୁ ମାରୁଛି, ତ ପୁଣି କେତେବେଳେ ମହିଳାଙ୍କ ଉପରେ ଅତ୍ୟାଚାର କରୁଛି । ଆଉ ଏସବୁ ଭିତରେ ଆଫଗାନିସ୍ତାନ କ୍ରିକେଟପ୍ରେମୀଙ୍କୁ ବଡ ଝଟକା ଦେଇଛି ତାଲିବାନ । ପୂରା ବିଶ୍ୱ ଯେତେବେଳେ ଆଇପିଏଲର ମଜା ନେଉଛି ସେତେବେଳେ ଆଫଗାନିସ୍ତାନର ତାଲିବାନ ସରକାର ଦେଶରେ ଆଇପିଏଲ ପ୍ରସାରଣକୁ ବ୍ୟାନ୍ କରିଛନ୍ତି । ଆଉ ଏଭଳି ବ୍ୟାନ୍ ପଛରେ ରହିଛି ତାଲିବାନର ନୂଆ ଆଇନ ।

ତାଲିବାନ କହିଛି, ଆଇପିଏଲର ବିଭିନ୍ନ କଣ୍ଟେଣ୍ଟ ଇସଲାମ ବିରୋଧୀ, ତେଣୁ ଏଥିପାଇଁ ଆଫଗାନିସ୍ତାନରେ ଆଇପିଏଲର ପ୍ରସାରଣ ହୋଇପାରିବ ନାହିଁ । ତାଲିବାନ ଅନୁଯାୟୀ, ମ୍ୟାଚ୍ ସମୟରେ ଚିୟରଲିଡର୍ସ କେଶ ମୁକୁଳା କରି ନାଚିଥାନ୍ତି ଏବଂ ଏହା ଇସଲାମ ସଂସ୍କୃତି ବିରୋଧୀ । ତାଲିବାନର ନୂଆ ଆଇନରେ ମହିଳାଙ୍କୁ ଏଭଳି ଅନୁମତି ମିଳିନାହିଁ । ତେଣୁ ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ଉପରେ ନିଷେଧାଦେଶ ଜାରି କରାଯାଇଛି । ଆଫଗାନିସ୍ତାନର ଷ୍ଟାର କ୍ରିକେଟର ରସିଦ ଖାନ୍, ମହମ୍ମଦ ନବି, ମୁଜିବ ଉର ରେହମାନ ଆଇପିଏଲରେ ଅଂଶଗ୍ରହଣ କରିଛନ୍ତି  । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ନିଜ ଷ୍ଟାର କ୍ରିକେଟରଙ୍କ ଖେଳ ଦେଖିପାରିବେନି ଆଫଗାନିସ୍ତାନବାସିନ୍ଦା ।

ରବିବାର ଆଇପିଏଲର ଦ୍ୱିତୀୟ ପର୍ୟ୍ୟାୟ ମୁକାବିଲା ଆରମ୍ଭ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇଛି ଚେନ୍ନାଇ । ଆଉ ଏହାସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ଚେନ୍ନାଇ ।