୧୧ କୋଟି ପଛର ନାୟକ କିଏ ? ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ପିସିସି ସଭାପତି କହିଲେ, ୧୯ ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଟଙ୍କା ପାର୍କିଂ କାମ 

200

କନକ ବ୍ୟୁରୋ : କଟକରୁ ଆଗ୍ରା ଯାଉଥିବା ଗାଡିରୁ ୧୧କୋଟି ଟଙ୍କା ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଂଚ । ଟଙ୍କା କେଉଁଠୁ ଆସୁଥିଲା ଏବଂ କିଏ ନେଉଥିଲା, ସେନେଇ ଖୋଳତାଡ କରିବ କ୍ରାଇମବ୍ରାଂଚ୍ ଅର୍ଥନୈତିକ ଅପରାଧ ଶାଖା । ତଦନ୍ତ ପ୍ରକ୍ରିୟାରେ ଛତିଶଗଡ ପୋଲିସକୁ ସମ୍ପୁର୍ଣ୍ଣ ସହଯୋଗ କରାଯାଉଥିବା ପୋଲିସ ଡିଜି କହିଛନ୍ତି । ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡିଶାରେ ଟଙ୍କା ପାର୍କିଂ କାମ ଆରମ୍ଭ ହୋଇଗଲାଣି ।

କଟକରୁ  ଟୟୋଟା ଗାଡିରେ ୧୧କୋଟି ଟଙ୍କା ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କଟକରୁ ଆଗ୍ରା ଯାଉଥିବା ବେଳେ ଓଡିଶା ସୀମାନ୍ତ ତଥା ଛତିଶଗଡର ମହାସମୁଦ ଅଂଚଳରେ ହଠାତ ଅଟକାଇଦେଇଥିଲା ପୋଲିସ । ତାପରେ ଯାହା ପୋଲିସ ବାଲା ଦେଖିଲେ ତାହା ଚକିତ କଲା ଭଳି । ଟଙ୍କା ଏମିତି ପ୍ଲାନରେ ଲୁଚାଯାଇଥିଲା ଯେ ତାକୁ ଜାଣିବା ବି ସହଜ ନଥିଲା । କାରଣ ସିଟକୁ କାଟି ପଛପଟେ ସେଟିଂ କରାଯାଇଥିଲା ବଣ୍ଡଲ ବଣ୍ଡଲ ଟଙ୍କା ।

କୁଆଡେ ଯାଉଥିଲା ୧୧କୋଟି ଟଙ୍କା ? କେଉଁଠାରୁ ଯାଉଥିଲା ଏବଂ କିଏ ନେଉଥିଲା ୧୧ କୋଟି ଟଙ୍କା? ଏବେ ଏହା ଉପରୁ ପରଦା ଉଠାଇବା ପାଇଁ ଆରମ୍ଭ ହୋଇଯାଇଛି ତନାଘନା ।  ଟଙ୍କା କେଉଁଠୁ ଆସୁଥିଲା କିଏ ନେଉଥିଲା ଏବଂ କାହିଁକି ନେଉଥିଲା ଏହାର ସରଜମିନ ତଦନ୍ତ କରିବ ଇକୋନମିକ ଅଫେନ୍ସ ୱିଙ୍ଗ, ଇଓଡବ୍ଲୁ । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ଟଙ୍କା କଟକରୁ ଆସିଛି । ତେଣୁ ତଦନ୍ତ ଭାର ଇଓଡବ୍ଲୁକୁ ଦିଆଯାଇଛି ବୋଲି କହିଛନ୍ତି ପୋଲିସ ଡିଜି । ଖାଲି ସେତିକି ନୁହେଁ , ତଦନ୍ତରେ ଓଡିଶା ପୋଲିସ ଛତିଶଗଡ ପୋଲିସକୁ ପୁର୍ଣ୍ଣ ସହଯୋଗ ଯେଗାଉଥିବା କହିଛନ୍ତି ଡିଜି । କିଏ, କଣ ପାଇଁ, କାହା ପାଖକୁ ଏତେ ପରିମାଣର ଟଙ୍କା ନେଉଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାର ମୂଳକୁ ଯାଇ ତନାଘନା କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ।

୨୦୧୯ ନିର୍ବାଚନ ପୂର୍ବରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିବାରୁ ଏଥିରେ କାହାର ସମ୍ପୃକ୍ତି ରହିଛି ସେନେଇ ଅନେକ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଓଡିଶାରେ ଟଙ୍କା ପାର୍କିଂ କାମ ଆରମ୍ଭ ହୋଇଗଲାଣି । ବିଭିନ୍ନ ରାଜନୈତିକ ଦଳ ପେଟ୍ରୋଲପମ୍ପ ଓ ମାର୍ବଲ ଷ୍ଟୋରରେ ନିଜ ନିଜ ଟଙ୍କା ରଖି ସାରିଲେଣି ।

ଏସବୁ ଭିତରେ ଟଙ୍କା ନେଇ ଯାଉଥିବା ୪ ଜଣଙ୍କୁ ପଚରା ଉଚରା କରୁଛି ପୋଲିସ । ସେମାନଙ୍କ କହିବା ହେଲା, ଗତ ରବିବାର ସେମାନେ ଆଗ୍ରାରୁ , ଗ୍ୱାଲିୟର ଏବଂ ଛତିଶଗଡ ଦେଇ କଟକ ଆସିଥିଲେ । କଟକରେ ଜଣେ ବ୍ୟକ୍ତି ତାଙ୍କୁ ଏକ ଫାର୍ମ ହାଉସକୁ ନେଇଥିଲା । ସେଠାରେ ତାଙ୍କୁ ଟଙ୍କା ଦିଆଯାଇଥିଲା । କାରର ପଛ ସିଟରେ ଲକର କରାଯାଇ ରଖାଯାଇଥିଲା ଟଙ୍କା । ଟଙ୍କା ଆଣିବା ପାଇଁ ସେମାନଙ୍କୁ ପଠାଇଥିବା ଅବଧେଶ ଅଗ୍ରୱାଲ ଆଗ୍ରାର ବାସିନ୍ଦା ଏବଂ ତାଙ୍କର ସୁନା ବ୍ୟବସାୟ ରହିଛି ବୋଲି ପୋଲିସ ଆଗରେ ଅଟକ ଥିବା ୪ ଜଣ କହିଛନ୍ତି । ଗତକାଲି  ଛତିଶଗଡରେ ଏକ କାରରୁ ୧୧ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା ।