କ୍ଷୁଦ୍ର ବ୍ୟବସାୟ ଦେଇଛି ପରିଚୟ । ବାହାରୁ ୠଣ ନଆଣି ଜଳଛାୟା ପ୍ରକଳ୍ପ ଆବର୍ତନ ପାଣ୍ଠିରୁ ମିଳିଛି ସହାୟତା 

122

କନକ ବ୍ୟୁରୋ: କ୍ଷୁଦ୍ର ବ୍ୟବସାୟ ଦେଇଛି ପରିଚୟ । ସାହୁକାର କିମ୍ବା ବ୍ୟାଙ୍କ ନିକଟରେ ନିର୍ଭର ନ ହୋଇ ଗାଁ କମିଟି ବ୍ୟାଙ୍କ ଦ୍ୱାରା ବ୍ୟବସାୟ ଲାଗି ଋଣ ନେଇ ସ୍ୱାବଲମ୍ବୀ ଏବେ ଆଦିବାସୀ । ସହାୟତା କରିଛି ଜଳ ଛାୟା ପ୍ରକଳ୍ପ । ବିଭିନ୍ନ କ୍ଷୁଦ୍ର ବ୍ୟବସାୟ କରି ସଠିକ ଭାବେ ପରିବାର ପ୍ରତିପୋଷଣ ରେ ହୋଇଛି ଜଳଛାୟା ପ୍ରକଳ୍ପ ର ଆବର୍ତନ ପାଣ୍ଠି । କିଏ କୁକୁଡା ଚାଷ କରୁଛି ତ ଆଉ କିଏ ଖରିଫ୍ ଚାଷ ଲାଗି ନେଇଛି ଋଣ । ଏହା ସହିତ ଛୋଟ ମୋଟ ବ୍ୟବସାୟରେ ଅର୍ଥ ଲଗାଇ ଋଣ ମୁକ୍ତ ଗାଁ ପାଲଟିଛି ଆଦିବାସୀ ଇଲାକାର ୧୦ ଟି ପଡା ।

ପରିଚୟ ଦେଇଛି କ୍ଷୁଦ୍ର ବ୍ୟବସାୟ । ଆଉ ଯିବାକୁ ପଡିନି ଦାଦନ ଖଟିବାକୁ ବାହାର ରାଜ୍ୟ । କରୋନା କାଳରେ ଗାଁରେ ମିଳୁଛି କମ୍ ସୁଦ୍ଧରେ ଋଣ । ଋଣ ଟଙ୍କାକୁ କ୍ଷୁଦ୍ର ବ୍ୟବସାୟ ଲାଗି ବିନିଯୋଗ କରି ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ଏବେ ଆଦିବାସୀ ପଡାର ଲୋକେ । ଆଉ ଏମାନଙ୍କୁ ସହାୟତା କରିଛି ମାଲକାନଗିରି ଜିଲ୍ଲା ମାଥିଲି ଜଳଛାୟା ପ୍ରକଳ୍ପ । କିଏ କୁକୁଡା ଚାଷ କରୁଛନ୍ତି ତ ଆଉ କିଏ ଛୋଟିଆ ଦୋକାନ କରି ଚଳୁଛନ୍ତି । ଏହା ସହିତ ଖରିଫ୍ ଚାଷ ଲାଗି ମଧ୍ୟ ଋଣ ନେଉଛନ୍ତି । ସ୍ୱତନ୍ତ୍ର ଭାବେ ଗାଁରେ କମିଟି କରି ୧୫ ରୁ ୨୦ ହଜାର ଟଙ୍କା ଜଳଛାୟା ପ୍ରକଳ୍ପ ତରଫରୁ ଆବର୍ତନ ପାଣ୍ଠିରେ ସହାୟତା ପାଇଁ ବ୍ୟବସ୍ଥା ହୋଇଛି । ମାଥିଲି ବ୍ଲକର ୩ ଗୋଟି ପଂଚାୟତର ୧୦ ଗୋଟି ପଡା ଗାଁର ୧୦୮୬ ଲୋକଙ୍କୁ ଦେଢ କୋଟି ଟଙ୍କାର ଋଣ ଦିଆଯାଇଛି । ମାଥିଲି ବ୍ଲକ ଆମ୍ବାପଡା ଗାଁର ବାସୁଦେବ ମୁଦୁଲି ଚଳିତ ବର୍ଷ ଗାଁର ଆବର୍ତନ ପାଣ୍ଠିରୁ ଋଣ ନେଇ ସାଇକେଲ ଦୋକାନ କରି ପରିବାରର ପେଟ ପୋଷୁଛନ୍ତି । ପୂର୍ବରୁ ଦାଦନ ଖଟିବାକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ଏବେ କିନ୍ତୁ ଗାଁରେ ହିଁ ଋଣ ମିଳିବାରୁ ଆର୍ଥିକ ସ୍ତରରେ ସ୍ୱଚ୍ଛଳ ହୋଇପାରିଥିବା କୁହନ୍ତି ବାସୁଦେବ ।

ସେହିପରି ଆମ୍ବାପଡା ଗାଁର ଆଉ ଜଣେ ସଫଳ କ୍ଷୁଦ୍ର ଚାଷୀ ହେଉଛନ୍ତି ଘାସି ଏୟାଲ । ପରିବାର ଲୋକଙ୍କୁ ମୁଠାଏ ଖାଇବା ଯୋଗାଡ କରିବାକୁ ଦୁର୍ଦିନରେ ଜୀବନ ବିତୁଥିଲା । ଧାର କରଜ କରିବାକୁ ବ୍ୟାଙ୍କ କିମ୍ବା ସାହୁକାରଙ୍କ ଶରଣରେ ଯିବାକୁ ପଡୁଥିଲା । ଏହା ସହିତ ଅଧିକା ସୁଧ ବି ଦେବାକୁ ବାଧ୍ୟ ହେଉଥିଲେ । କିନ୍ତୁ ଏବେ ଗାଁରେ ଛୋଟିଆ କୁକୁଡା ଫାର୍ମ କରି ପରିବାରର ପରିସ୍ଥିତି କୁ ବଦଳାଇଛନ୍ତି ।  ଠିକ୍ ସମୟରେ ଆବର୍ତନ ପାଣ୍ଠି ଦ୍ୱାରା ଉପକୃତ ହେଉଛନ୍ତି ଆଦିବାସୀ ଇଲାକାର ଗାଁ ଲୋକେ । ମାଥିଲିର କୁଟୁଣିପାଲ୍ଲି , ଦଳପତିଗୁଡା , ଚାଉଳମେନ୍ଦି , ଧଉଡାଗୁଡା , ଚେଡେଙ୍ଗା କାଦପଦର , ବାୟାଗୁଡା , ସିନ୍ଧାବେଡା ଆଦି ୧୦ ଗୋଟି ଆଦର୍ଶ ଗାଁରେ ଏପରି ସହାୟତା ଯୋଗାଇଛି ଜଳଛାୟା ପ୍ରକଳ୍ପ । ଯାହାଫଳରେ ଆଦିବାସୀ ଲୋକେ ମଧ୍ୟ ଉପକୃତ ହୋଇପାରିଛନ୍ତି ।

ନିଜ ଗାଁରେ ମିଳୁଛି ଋଣ । ଆଉ କାହାକୁ ହାତ ପୋତିବାକୁ ଯାଉନାହାନ୍ତି ଆଦିବାସୀ । ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବାକୁ ସହାୟତାର ହାତ ବଢାଇଛି ମାଥିଲିର ଜଳଛାୟା ପ୍ରକଳ୍ପ । ଫଳରେ ଉପାନ୍ତ ଇଲାକାର ଲୋକେ କୋରନା କାଳରେ ସ୍ୱାବଲମ୍ବୀ ହୋଇପାରିଛନ୍ତି ।