ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରେ ଇଣ୍ଟରନେଟ୍ ସେବା ବନ୍ଦ । ଜାନୁଆରୀ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସେବା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଚାଷୀ ନେତାଙ୍କ ଅନୁରୋଧ

92

କନକ ବ୍ୟୁରୋ: ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସିଙ୍ଘୁ, ଟିକରି ଓ ଗାଜିପୁର ବର୍ଡରରେ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏହିସବୁ ଅଞ୍ଚଳରେ ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିବ ନାହିଁ ବୋଲି କୁହାଯାଇଛି ।

ଜାତୀୟ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି । କେବଳ ବର୍ଡର ଅଞ୍ଚଳ ନୁହେଁ ବରଂ ଏହାର ଆଖ ପାଖ ଅଞ୍ଚଳରେ ବି ଇଣ୍ଟରନେଟ୍ ସେବା ଓ କଲିଂ ସେବା ମଧ୍ୟ ବାଧାପ୍ରାପ୍ତ ହେବ ।

ଏହାରି ଭିତରେ ଚାଷୀ ନେତା ବଲବୀର ସିଂହ ରାଜେବାଲ କହିଛନ୍ତି, କୌଣସି ପରିସ୍ଥିତିରେ ସେମାନେ ସେଠାରୁ ହଟିବେ ନାହିଁ । ଆନ୍ଦୋଳନ ପୂର୍ବଭଳି ଜାରି ରହିବ । ଚାଷୀମାନଙ୍କୁ କେବଳ ଶାନ୍ତ ହୋଇ ଆନ୍ଦୋଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଠାକୁ କେହି ଯୁଦ୍ଧ ଲଢିବାକୁ ଆସିନାହାନ୍ତି ବରଂ କୃଷି ଆଇନକୁ ଉଚ୍ଛେଦ କରିବାକୁ ଏଠାରେ ଚାଷୀମାନେ ଏକାଠି ହୋଇଛନ୍ତି ବୋଲି ସେ କହିଛନ୍ତି ।