ବନ୍ଦେ ମାତରମ ଗାନ ବେଳେ ଚେୟାରରୁ ଉଠିଲେନି ମୁସଲିମ ସଦସ୍ୟା, କେନ୍ଦ୍ରମନ୍ତ୍ରୀ କହିଲେ ରାଷ୍ଟ୍ରଗୀତ ପ୍ରତି ଏହା ଅସମ୍ମାନ ।

525

କନକ ବ୍ୟୁରୋ : ମୁଜଫରନଗର ନଗର ନିଗମ ବୈଠକରେ ରାଷ୍ଟ୍ର ଗୀତ ବନ୍ଦେ ମାତରମକୁ ଅସମ୍ମାନ କରାଯାଇଥିବା କୁହାଯାଇଛି । ବୈଠକରେ ସାମିଲ ଥିବା ସମସ୍ତ ବ୍ୟକ୍ତି ଛିଡା ହୋଇ ଗୀତ ଗାଉଥିବା ବେଳେ କିଛି ମୁସଲିମ ସଦସ୍ୟା ଛିଡା ହୋଇନଥିଲେ । ଯାହା ବନ୍ଦେ ମାତରମ ଗୀତ ପ୍ରତି ଅସମ୍ମାନ ବୋଲି କୁହାଯାଉଛି । ଯାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ମୁଜଫରନଗର ନଗର ନିଗମର ଏକ ବୈଠକ ଗତକାଲି ପୌର କାର୍ଯ୍ୟାଳୟରେ ବସିଥିଲା । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଯୋଗୀ ସରକାରଙ୍କ ମନ୍ତ୍ରୀ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ତେବେ ବୈଠକ ଆରମ୍ଭ ହେବା ପୂର୍ବରୁ ବନ୍ଦେ ମାତରମ ସଙ୍ଗୀତ ଗାନ କରାଯାଇଥିଲା । ବନ୍ଦେ ମାତରମ ଗୀତ ବାଜିବା କ୍ଷଣି ସମସ୍ତ ସଦସ୍ୟ ଛିଡା ହୋଇ ଗୀତ ଗାଇଥିଲେ । କିନ୍ତୁ କିଛି ମୁସଲିମ ମହିଳା ସଦସ୍ୟ ନିଜ ସିଟରୁ ଉଠିନଥିଲେ କି ସଙ୍ଗୀତ ଗାନ କରିନଥିଲେ ।

ଏହି ଘଟଣାକୁ ନେଇ ବୈଠକରେ ଉପସ୍ଥିତ ଥିବା ମନ୍ତ୍ରୀ କହିଛନ୍ତି, ଏହା ରାଷ୍ଟ୍ରଗୀତ ପ୍ରତି ଅପମାନ । ନଗର ପାଳିକାର ପରମ୍ପରା ରହିଛି ବୈଠକ ପୂର୍ବରୁ ବନ୍ଦେ ମାତରମ ଗାନ୍ କରାଯିବ ଓ ସମସ୍ତ ସଦସ୍ୟ ଏହି ସମୟରେ ଛିଡା ହୋଇ ରାଷ୍ଟ୍ର ଗୀତ ଗାନ କରିବେ । କିଛି ମୁସଲିମ ସଭ୍ୟ ବନ୍ଦେ ମାତରମ ଛିଡା ହୋଇଥିଲେ ଯେଉଁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ କପିଲ ଦେବ ଅଗ୍ରୱାଲ ।ଏହାସହ ଯେଉଁ ମାନେ ରାଷ୍ଟ୍ରଗୀତ ଗାନ ବେଳେ ଛିଡା ହୋଇନଥିଲେ ସେମାନଙ୍କ ଛୋଟ ଚିନ୍ତାଧାରାକୁ ନେଇ ପ୍ରଶ୍ନ କରିଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।