ଟୋକିଓ ଯାତ୍ରା ଏତେ ସହଜ ନଥିଲା… । କାହା ବାପା ବିଲରେ ଖଟୁଥିଲେ ତ ପୁଣି କାହା ମା ଅନ୍ୟଘରେ ପାଇଟି କରୁଥିଲେ । 

123

କନକ ବ୍ୟୁରୋ : କାହା ମା ଅନ୍ୟ ଘରେ ପାଇଟି କରନ୍ତି ତ ଆଉ କାହା ବାପା ଫାଷ୍ଟଫୁଡ ବିକ୍ରି କରନ୍ତି । ରୋଜଗାର ସିନା କମ କିନ୍ତୁ ନିଜ ପିଲାଙ୍କ ଖେଳୁଆଡ଼ ମନୋଭାବକୁ ଏମାନେ ଠିକ ବୁଝିଥିଲେ । ଆଉ କ୍ରୀଡ଼ାରେ ଆଗକୁ ବଢିବାପାଇଁ ଦେଇଥିଲେ ଅଫୁରନ୍ତ ପ୍ରେରଣା । ଆଜି ଆମେ ଆପଣଙ୍କୁ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ଏମିତି ୧୦ ଜଣ ଖେଳାଳିଙ୍କ ପରିବାର ବାବଦରେ କହିବୁ ଯେଉଁମାନଙ୍କର ବାପା-ମା’ ସେମାନଙ୍କ ଖେଳ ପାଇଁ କଠୋର ପରିଶ୍ରମ କରିଛନ୍ତି ।

ହରିୟାଣା ଆଥଲେଟ୍ ସନ୍ଦୀପ କୁମାରଙ୍କ ବାପା ଗାଁରେ ଛେଳି ଚରାନ୍ତି ଏବଂ ଅନ୍ୟମାନଙ୍କ ଜମିରେ ଶ୍ରମିକ ଭାବେ କାମ କରନ୍ତି । ଝାଡ଼ଖଣ୍ଡର ହକି ଖେଳାଳି ସଲିମା ଟେଟେଙ୍କ ପିତା ଓ ଭଉଣୀମାନେ ଶ୍ରମିକ ଭାବରେ କାମ କରନ୍ତି ଏବଂ ଘର ଚଳାନ୍ତି। ହରିୟାଣାର ହକି ଖେଳାଳି ନେହା ଗୋୟଲଙ୍କ ମା’ ଅନ୍ୟ ଲୋକମାନଙ୍କ ଘରେ ବାସନ ମାଜିବା ସହ ଝାଡୁ କରିଥାନ୍ତି । ରାଜସ୍ଥାନର ଆଥଲେଟ୍ ଭାବନା ଜାଟ ରେଳବାଇରେ କାମ କରନ୍ତି । କିନ୍ତୁ ଯେତେବେଳେ ସେ ଅଲିମ୍ପିକ୍ସକୁ ଯାଇଥିଲେ, ତାଙ୍କୁ ବିନା ଛୁଟିରେ ଚାକିରିରେ ରହିବାକୁ ପଡ଼ିଲା । ତାଙ୍କ ପିତା ଏବଂ ଭାଇ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ପାଇଁ କୋଚ୍ ସାହାଯ୍ୟ କରିଛନ୍ତି ଓ ତା’ପରେ ସେ ଅଲିମ୍ପିକ୍ସ ଖେଳିବାକୁ ଯାଇଛନ୍ତି। ହରିୟାଣାର ହକି ଖେଳାଳି ନିଶା ୱାର୍ସିଙ୍କ ପିତା ଜଣେ ଦର୍ଜି । ସେ ପୋଷାକ ସିଲେଇ କରି ଯାହା ବି ରୋଜଗାର କରୁଥିଲେ ସେଥିରେ ଘର ଚଳାଉଥିଲେ ଏବଂ ସଞ୍ଚିତ ଟଙ୍କାକୁ ନିଶାଙ୍କ ହକି ଖେଳିବାରେ ଖର୍ଚ୍ଚ କରୁଥିଲେ ।

ହରିୟାଣାର ସୁଟର ସଞ୍ଜୀବ ରାଜପୁତଙ୍କ ପିତା ପୂର୍ବରୁ ଫାଷ୍ଟଫୁଡ ଦୋକାନ କରିଥିଲେ । କିନ୍ତୁ ଯେତେଦିନ ପର୍ଯ୍ୟନ୍ତ ସଞ୍ଜୀବ ଟ୍ରେନିଂ ନେଉଥିଲେ, ତାଙ୍କ ପିତା ତାଙ୍କୁ ଫାଷ୍ଟଫୁଡ ଦୋକାନରୁ ହେଉଥିବା ରୋଜଗାରରୁ ଟଙ୍କା ଦେଉଥିଲେ। ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲଙ୍କ ବାପା ପୂର୍ବରୁ ଘୋଡା ଗାଡି ଚଳାଉଥିଲେ। ରାନୀ ରାମପାଲଙ୍କ ପିତା  ବର୍ତ୍ତମାନ ଘୋଡା ଗାଡି ଚଳାଇବା ବନ୍ଦ କରି ଦେଇଛନ୍ତି। ହରିୟାଣାର ରେସଲର୍ ଦୀପକ ପୁନିଆଙ୍କ ପିତା ଲୋକଙ୍କ ଘରେ କ୍ଷୀର ବିତରଣ କରନ୍ତି । ପଦକ ଜିତିଥିବା ମଣିପୁରର ମୀରାବାଇ ଚାନୁଙ୍କ ପିତା ଅନ୍ୟମାନଙ୍କ କ୍ଷେତରେ ହଳ କରନ୍ତି । ଚାନୁଙ୍କ ପରିବାରର ଅନେକ ସଦସ୍ୟ ଅନ୍ୟଙ୍କ ଜମିରେ ଶ୍ରମିକ ଭାବରେ କାମ କରନ୍ତି । ହରିୟାଣାର ପଦକ ବିଜେତା ରବି ଦହିଆଙ୍କ ପରିବାର ସଦସ୍ୟ ଚାଷ ଉପରେ ନିର୍ଭରଶୀଳ । ତାଙ୍କର ଖୁବ କମ ପରିମାଣର ଜମି ଥିବାବେଳେ ସେଥିରୁ ହିଁ ବର୍ଷକ ପାଇଁ ଯାହା ଆୟ କରିଥାନ୍ତି ।