ଫେବୃଆରୀ ୧୫ ପରେ ହ୍ରାସ ପାଇବ ସଂକ୍ରମଣ: ସରକାରୀ ସୂତ୍ରରୁ ପ୍ରକାଶ, ଅନେକ ସ୍ଥାନରେ କମୁଛି ସଂକ୍ରମଣ, ଆଉ କିଛି ରାଜ୍ୟରେ ରହିଛି ସ୍ଥିର

113

କନକ ବ୍ୟୁରୋ: ଦେଶରେ କେବେ କମିବ କରୋନାର ଦୈନିକ ସଂକ୍ରମଣ । ପ୍ରତି ୨୪ ଘଂଟାରେ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ହ୍ରାସକୁ ନେଇ ଏକ ଭଲ ଖବର ଆସିଛି । ଫେବୃଆରୀ ୧୫ ପରେ ଦେଶରେ କରୋନା ସଂକ୍ରମଣ ତଳମୁହାଁ ହେବ । ବିଶେଷ ସୂତ୍ରରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିଥିବା ଏଏନଆଇ ପକ୍ଷରୁ କୁହାଯାଇଛି । କେତେକ ରାଜ୍ୟ ଓ ସହରରେ କରୋନା ସଂକ୍ରମଣ କମିବା ଓ ସ୍ଥିର ସ୍ଥିତିକୁ ଦେଖି ଏହା ଅନୁମାନ କରୁଛନ୍ତି କେନ୍ଦ୍ର ସରକାର ।

ତେବେ କରୋନାର ତୃତୀୟ ଲହରକୁ କମାଇବାରେ ଭ୍ୟାକସିନର ପ୍ରମୁଖ ଭୂମିକା ରହିଛି । ଏବେ ଦେଶରେ ୭୪ ପ୍ରତିଶତ ଯୁବବର୍ଗଙ୍କ ସଂପୂର୍ଣ୍ଣ ଟିକାକରଣ ସରିଛି । ସଫଳ ଟିକାକରଣ ଯୋଗୁଁ ଫେବୃଆରୀ ୧୫ ପର ଠାରୁ ସଂକ୍ରମଣ ନିମ୍ନଗାମୀ ହୋଇପାରେ ବୋଲି ଅନୁମାନ କରାଯାଉଛି । ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୬ ହଜାର ୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟ୍ ରେଟ୍ ୨୦ ପ୍ରତିଶତ ରହିଛି । ରବିବାର ଅପେକ୍ଷା ସୋମବାର ଆସିଥିବା ସଂକ୍ରମିତଙ୍କ ସଂଖ୍ୟା ୨୭ ହଜାର ୪୬୯ କମି ରହିଛି ।