ବାଙ୍ଗାଲୋର ଟି-୨୦ ମ୍ୟାଚରେ ବର୍ଷା ବାଧକ । ବାତିଲ ହେଲା ଶେଷ ମ୍ୟାଚ୍,ସିରିଜ ବରାବର କଲେ ଭାରତ-ଦକ୍ଷିଣ ଆଫ୍ରିକା ।

287

କନକ ବ୍ୟୁରୋ : ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟି-୨୦ରେ ବର୍ଷା ସାଜିଲା ବାଧକ । ୨-୨ ସିରିଜ ବରାବର । ଶେଷ ଟି-୨୦ ମ୍ୟାଚରେ ବର୍ଷା କାରଣରୁ ରଦ୍ଦ ହୋଇଛି ମ୍ୟାଚ୍ । ଏହା ସିରିଜର ଶେଷ ମ୍ୟାଚ୍ ଥିବା ବେଳେ ଏଥିରେ ବିଜୟୀ ହୋଇ ସିରିଜ୍ କବଜା କରିବା ଲକ୍ଷ୍ୟରେ ଥିଲେ ଉଭୟ ଦଳ । କିନ୍ତୁ ଲଗାଣ ବର୍ଷା କାରଣରୁ ମ୍ୟାଚକୁ ଅଧାରୁ ବାତିଲ କରାଯାଇଛି ।

ଶେଷ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ପ୍ରଥମରୁ ଆକ୍ରମଣାତ୍ମକ ଖେଳିଥିଲା ଭାରତ । ପ୍ରଥମ ଓଭରରେ ହିଁ ୨ଟି ଛକା ମାରି ବଡ ସ୍କୋର କରିବାର ସଂକେତ ଦେଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ୨ ଓଭରରୁ ହିଁ ଖେଳର ମୋଡ ଦକ୍ଷିଣ ଆଫ୍ରିକା ସପକ୍ଷକୁ ବୁଲିଥିଲା । ଏନଗିଡି ଲଗାତାର ୨ ଓଭରରେ ଦୁଇ ୱିକେଟ ନେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ଆଉ ଏହି ସମୟରେ ଆରମ୍ଭ ହୋଇଥିଲା ବର୍ଷା । ଦଳର ସ୍କୋର ୩.୩ ଓଭରରେ ୨୮ ରନ ହୋଇଥିବା ବେଳେ ବର୍ଷା କାରଣରୁ ପ୍ୟାଭିଲିୟନକୁ ଫେରିଥିଲା ଟିମ୍ ଇଣ୍ଡିଆ । ଆଉ ଏହାପରେ ବର୍ଷା ଥମିବାର ନାଁ ନେଇନଥିଲା । ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ୯ଟା ୪୦ ମିନିଟରେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର ।

ବାଙ୍ଗାଲୋରରେ ଶେଷ ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଥିଲା ବଡ ଝଟକା । ଆହତ କାରଣରୁ ଅଧିନାୟକ ତେମ୍ବା ବାଭୁମା ଏହି ମ୍ୟାଚ୍ ଖେଳିନଥିଲେ । ବାଭୁମାଙ୍କ ସ୍ଥାନରେ କେଶବ ମହାରାଜ ଦକ୍ଷିଣ ଆଫ୍ରିକା ଦଳର ମଙ୍ଗ ଧରିଥିଲେ । କିନ୍ତୁ ମ୍ୟାଚ୍ ଆରମ୍ଭରୁ ହିଁ ବର୍ଷା ବାଧକ ସାଜିଥିଲା । ୭ଟା ପରିବର୍ତ୍ତେ ଖେଳ ୭ଟା ୫୦ରେ ଆରମ୍ଭ ହୋଇଥିଲା ଏବଂ ନିର୍ଦ୍ଧାରିତ ଓଭରରୁ ୧ ଓଭର କାଟି ମ୍ୟାଚକୁ ୧୯ ଓଭର କରାଯାଇଥିଲା ।

ଏହାପୂର୍ବରୁ ୫ ମ୍ୟାଚ୍ ବିଶିଷ୍ଟ ସିରିଜ ୨-୨ରେ ବରାବର ରହିଥିଲା । ଅଥାର୍ତ ଆଜିର ମ୍ୟାଚରେ ଯେଉଁ ଦଳ ବିଜୟୀ ହୋଇଥାନ୍ତା ସେହି ଟିମ୍ ସିରିଜ କବଜା କରିଥାନ୍ତା । ପ୍ରଥମ ୨ଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ଶେଷ ୨ଟି ମ୍ୟାଚରେ ବିଜୟୀ ହୋଇଥିଲା ଟିମ୍ ଇଣ୍ଡିଆ ।