କନକ ବ୍ୟୁରୋ: ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଖାଦେଇଛି ଜଳ ସଙ୍କଟ । ୬୪୧ ମିଟର ଜଳଧାରଣ କ୍ଷମତା ବିଶିଷ୍ଟ ଇନ୍ଦ୍ରାବତୀ ଜଳଭଣ୍ଡାରରେ ସେପ୍େଟମ୍ବର ୧ ତାରିଖ ସୁଦ୍ଧା ୬୩୧.୪୧ ମିଟର ଜଳ ରହିଛି । ଅର୍ଥାତ ବିଗତ ବର୍ଷ ତୁଳନାରେ ଚଳିତବର୍ଷ ନବରଙ୍ଗପୁର ଇନ୍ଦ୍ରାବତୀ ଜଳଭଣ୍ଡାରରେ ୫୫ ପ୍ରତିଶତ କମ ଜଳ ଗଛିତ ରହିଛି । ସେହିଭଳି କଳାହାଣ୍ଡି ଇନ୍ଦ୍ରାବତୀ ଡ୍ୟାମ୍ରେ ଜଳସ୍ତର ୩୦ ପ୍ରତିଶତରେ ପହଂଚିଛି । ଫଳରେ ଆଗାମୀ ଦିନରେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି ।

Advertisment

ନବରଙ୍ଗପୁର ସହ କୋରାପୁଟ, ରାୟଗଡା, କଳାହାଣ୍ଡି ସୀମାକୁ ଛୁଇଁଥିବା, ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରେ ଜଳ ସଂକଟ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୧୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଜଳଭଣ୍ଡାରରେ ନାହିଁ ଆବଶ୍ୟକୀୟ ପରିମାଣର ଜଳ । ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨ ମିଟର, ବର୍ତମାନ ୬୩୧.୪୧ ମିଟର ଜଳ ରହିଛି । ତେବେ ସେପ୍େଟମ୍ବର ପହିଲା ସୁଦ୍ଧା ୬୪୦ ମିଟର ପାଣି ରହିବା କଥା । ହେଲେ ଏବର୍ଷ ୯ ମିଟର କମ୍ ପାଣି ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୧.୨୧ କ୍ୟୁମେକ ଜଳ ପ୍ରବେଶ କରୁଛି, ୮୯.୫୪ କ୍ୟୁମେକ ଜଳ ନିଷ୍କାସିତ ହେଉଛି । ଦୈନିକ ପ୍ରାୟ ୮ ସେଂଟିମିଟର ଜଳସ୍ତର କମୁଛି । ତେବେ ଆଗକୁ ଯଦି ଏହିପରି ଲାଗି ରହେ ତେବେ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ସହ ଜଳସେଚନ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ଦୈନିକ ୧୪ ହଜାର ୪୦୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ । ୨୦୨୨ରେ ଅଗଷ୍ଟରୁ ସେପ୍ଟେମ୍ବର ଭିତରେ ୧ ଲକ୍ଷ ୬୩ ହଜାର ୫୬ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥିଲା । ଚଳିତବର୍ଷ ସେହି ସମୟରେ ୧ ଲକ୍ଷ ୬୧ ହଜାର ୪୧୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଛି । ତେବେ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନରେ ଆହୁରି ଅଧିକ ପ୍ରଭାବିତ ଦେବାର ସମ୍ଭାବନା ରହିଛି ।

ସେପଟେ ନିଅଁଟିଆ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଲାଇଫ ଲାଇନ୍ କୁହାଯାଛିବା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ୩୦ ପ୍ରତିଶତରେ ପହଂଚିଛି । ଯାହା ୨୦ ବର୍ଷରେ ରେକର୍ଡ ଭାଙ୍ଗି ସରବନିମ୍ନ ସ୍ତରରେ ପହଁଚିଛି । ଫଳରେ ଚାଷ ପାଇଁ ଜଳ ସଂକଟ ହେବାର ଆଶଙ୍କା ରହିଛି ।