କିଶୋରଙ୍କ ପାଇଁ ‘ଜାଇଡସ୍ କାଡିଲା’ : ୨୮ହଜାର ଲୋକଙ୍କ ଉପରେ ସରିଛି ପରୀକ୍ଷଣ; ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ ଫଳାଫଳ, ଡିସିଜିଆଇର ଅନୁମତି ପରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ

99

କନକ ବ୍ୟୁରୋ : କିଶୋରଙ୍କୁ ମିଳିବ ଟିକା । ତୃତୀୟ ଟ୍ରାଏଲ ପରେ ଜାଇଡସ କାଡିଲା କମ୍ପାନି, ଟିକାର ଜରୁରୀକାଳିନ  ବ୍ୟବହାର ପାଇଁ ଡିସିଜିଆଇକୁ ଆବେଦନ କରିଛି । ବାର ବର୍ଷ ଓ ଅଧିକ ବୟସ୍କ ଲୋକଙ୍କୁ ଏହିଟିକା ଦିଆୟାଇପାରିବ । ଏହା ଏକ ଡିଏନ୍ଏ ଟିକା । ଜରୁରୀକାଳିନ ବ୍ୟବହାର ପାଇଁ ଭାରତ ସରକାରଙ୍କ ଅନୁମତି ମାଗିଛି ଏହି କମ୍ପାନି । ୨୮ହଜାର ଲୋକଙ୍କ ଠାରେ ଏହାର ପରୀକ୍ଷଣ କରାୟାଇଥିବା ସୂଚନା ମିଳିଛି । ଗୁଜରାଟର ଏହି କମ୍ପାନି କରୋନାର ଦ୍ୱିତୀୟ ଲହର ସମୟରେ ଏହି ପରୀକ୍ଷଣ କରିଥିଲା ।

ଡେଲଟା ପ୍ଲସ ଭାରିଆଂଟକୁ ଏହି ଟିକା ପ୍ରତିହତ କରିପାରିବ ବୋଲି କମ୍ପାନି ଦାବି କରିଛି । ଏହି କମ୍ପାନିକୁ ଅନୁମତି ମିଳିଲେ ଏହା ଡିସିଜିଆଇ ଦ୍ୱାରା ଅନୁମତି ପ୍ରାପ୍ତ ପଂଚମ ଟିକା ହେବ । ଲକ୍ଷଣ ଥିବା ଆକ୍ରାନ୍ତଙ୍କ ବିରୋଧରେ ଏହାର ସଫଳତା ହାର ୬୬.୬ % ବୋଲି କମ୍ପାନୀ ଦାବି କରିଛି । କିନ୍ତୁ ମଧ୍ୟମ ଧରଣର ଆକ୍ରାନ୍ତ ଥିବା ରୋଗ ବିରୋଧରେ ଏହା ୧୦୦ ପ୍ରତିଶତ କାମ କରିବ ବୋଲି ଦାବି କରାଯାଇଛି  । ୧୨ରୁ ୧୮ ବର୍ଷ ପିଲାଙ୍କ ପାଇଁ ଏହା ସମ୍ପୁର୍ଣ୍ଣ ସୁରକ୍ଷିତ ବୋଲି କମ୍ପାନୀ ଦାବି କରିଛି । ଏହାର ତିନୋଟି ଡ଼ୋଜ ନେବାକୁ ପଡ଼ିବ ।