କନକ ବ୍ୟୁରୋ; ଚନ୍ଦ୍ରଯାନ ପରେ ଏବେ ସମସ୍ତଙ୍କ ନଜର ସୂର୍ଯ୍ୟ ଅଭିଯାନ ଉପରେ । ଇସ୍ରୋର ଏହି ମହତ୍ୱାକାଂକ୍ଷୀ ଯୋଜନା ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଆସନ୍ତାକାଲି ଦିନ ୧୧ଟା ୫୦ରେ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ନେଇ ଯିବ ପିଏସଏଲଭି-ଏକ୍ସଏଲ । ମିସନର ସଫଳତା ନେଇ ଆଜି ମନ୍ଦିର ଯାଇ ଆର୍ଶୀର୍ବାଦ ନେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । ସେହିପରି ଇସ୍ରୋ ବୈଜ୍ଞାନିକଙ୍କ ଏକ ଟିମ୍ ମଧ୍ୟ ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ।

Advertisment

ଉତକ୍ଷେପଣର ଠିକ୍ ୧୨୫ ଦିନ ପରେ ଏହା ଏହାର ବିନ୍ଦୁ ଏଲ୍-୧ରେ ପହଞ୍ଚିବ । ଆଦିତ୍ୟ ଏଲ-୧ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏକ ପ୍ରତିଶତ ଦୂରତା ଅତିକ୍ରମ କରି ଏଲ-୧ ପଏଣ୍ଟରେ ପହଞ୍ଚିବ । ଏଲ୍-୧ ହେଉଛି ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଦୂରତାର ୧ ପ୍ରତିଶତ, ଅର୍ଥାତ୍ ୧୫ଲକ୍ଷ କିଲୋମିଟର ।

ଆଦିତ୍ୟ ଏଲ-୧ ମିଶନ ହେଉଛି ଇସ୍ରୋର ପ୍ରଥମ ମହାକାଶ ମିଶନ, ଯାହା ସୂର୍ଯ୍ୟକୁ ନିରୀକ୍ଷଣ କରିବ । କିଛି ବିକଶିତ ଦେଶ ସୂର୍ଯ୍ୟ ନିକଟକୁ ଅଧିକ ଗବେଷଣା ପାଇଁ ମହାକାଶ ଯାନ ପଠାଇସାରିଥିବାବେଳେ ଏବେ ପାଳି ଭାରତର । ମହାକାଶ ବିଜ୍ଞାନରେ ନୂଆ ଇତିହାସ ରଚିବା ପାଇଁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ ଯାତ୍ରା ଆରମ୍ଭ କରିବ ଭାରତ ।