ବିର୍ସା ମୁଣ୍ଡାଙ୍କ ନାଁରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ । ରାଉରକେଲାରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ସୁନ୍ଦରଗଡ ଓ ଓଡିଶାର ବିକାଶରେ ରାଉରକେଲାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ।

130

କନକ ବ୍ୟୁରୋ: ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ସାମୁଣ୍ଡା ନାଁରେ ଷ୍ଟାଡିୟମକୁ ନାମିତ କରାଯାଇଥିବା ନେଇ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଆଗାମୀ ୨୦୨୩ ହକି ବିଶ୍ୱକପରେ ରାଉରକେଲାର ଏହି ବିର୍ସାମୁଣ୍ଡା ଷ୍ଟାଡିୟମ ଏକ ଭେନ୍ୟୁ ହେବା ନେଇ କହିଛନ୍ତି ନବୀନ । ସେହିପରି, ସୁନ୍ଦରଗଡ ଜିଲ୍ଳାର ଓ ଓଡିଶାର ବିକାଶରେ ରାଉରକେଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡିଶା ଶିଳ୍ପର ମୂଳଦୁଆ ରାଉରକେଲାରେ ପଡିଥିଲା । ଓଡିଶା ସମେତ ପଡୋଶୀ ରାଜ୍ୟରୁ ଲୋକମାନେ ଆସି ଏଠାରେ କର୍ମ ନିଯୁକ୍ତି ପାଇପାରୁଛନ୍ତି । ରାଉରକେଲା ସହରକୁ ଆଶାର ସହର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ମହିଳାଙ୍କୁ ନବୀନ କହିଛନ୍ତି,ମହିଳାମାନେ ଓଡିଶା ବିକାଶର ସାରଥୀ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ପରିଚିତ ଚେହେରା ଜୟନ୍ତୀ ଏକ୍କାଙ୍କୁ ପ୍ରଶଂସା କରିଛନ୍ତି । ତାଙ୍କପରି ମହିଳା ଆମ ସମାଜ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିଛନ୍ତି । ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି, ଜଳସେଚନ ପାଇଁ ୩ଶହ ୨୦ କୋଟି, ସ୍ୱାସ୍ଥ୍ୟସେବା ପାଇଁ ଶହେ ୧୧ କୋଟି, ରାସ୍ତାର ବିକାଶ ପାଇଁ ହଜାରେ ୬୦ କୋଟି, ଶିକ୍ଷା ପାଇଁ ୩୬୭ କୋଟି, ପରିମଳ ପାଇଁ ୨୫୦ କୋଟି, ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି, ମହିଳା ଓ ଶିଶୁ ବିକାଶ ପାଇଁ ୧୩୫ କୋଟିର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।