ମହାକାଶକୁ ଗଲା ଭାରତର ପ୍ରଥମ ଘରୋଇ ରକେଟ୍। ଶ୍ରୀହରିକୋଟାରୁ ଇସ୍ରୋ ପଠାଇଲା ବିକ୍ରମ୍-ଏସ୍।

118

କନକ ବ୍ୟୁରୋ: ମହାକାଶ ଗବେଷଣାରେ ଘରୋଇ ଯୋଗଦାନର ଆରମ୍ଭ ହେଲା ନୂଆ ଯୁଗ  । ଶ୍ରୀହରିକୋଟାରୁ ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ଉତକ୍ଷେପଣ ହୋଇଛି । ଆନ୍ଧ୍ରପ୍ରଦେଶର ସତିଶ ଧବନ ସ୍ପେସ ସେଣ୍ଟରରୁ ଏହି ରକେଟକୁ ଉତକ୍ଷେପଣ କରାଯାଇଛି । ଦିନ ସାଢ଼େ ୧୧ଟା ସମୟରେ ଲଞ୍ଚହୋଇଛି ବିକ୍ରମ-ଏସ୍ ରକେଟ । ସ୍କାଇରୁଟ ଏରୋସ୍ପେସ  ଏହି ରକେଟ ନିର୍ମାଣ କରିଛି । ଏହି ମିଶନର ନାମ ‘ପ୍ରାରମ୍ଭ’ ରଖାଯାଇଛି । ଭାରତୀୟ ମହାକାଶର ସଂସ୍ଥାପକ ବିକ୍ରମ ସାରାଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍କାଇରୁଟ ନିର୍ମାଣ କରିଥିବା ରକେଟ୍ର ନାମ ‘ବିକ୍ରମ’ ରଖାଯାଇଛି । ଉତକ୍ଷେପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଭାରତୀୟ ମହାକାଶ ଗବେଷଣାରେ ଘରୋଇ ଯୋଗଦାନର ଏହା ଏକ ବଡ ଉପଲବ୍ଧି ।

ବିକ୍ରମ-ଏସ ରକେଟ୍ ସଫଳତାର ସହ ଉତକ୍ଷେପଣ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍କାଇରୁଟ ଏରୋସ୍ପେସର ପ୍ରତିଷ୍ଠାତା ପବନ କୁମାର ଚନ୍ଦନ । ପ୍ରଥମ ଘରୋଇ ରକେଟ ଲଞ୍ଚ କରି ଇତିହାସ ସୃଷ୍ଟି କରିଥିବା ସେ କହିଛନ୍ତି ।  ତେବେ ଘରୋଇ ରକେଟ’ ବିକ୍ରମ –ଏସ’ର ଲମ୍ବ ୬ ମିଟର ହୋଇଥିବା ବେଳେ ଏହାର ଓଜନ ରହିଛି ୫୪୫ କେଜି । ସୂଚନା ଅନୁସାରେ ଏହି ରକେଟ୍ ପୃଥିବୀ ପୃଷ୍ଠରୁ ୮୯ କିଲୋମିଟର ଗତି କରି ମହାକାଶରେ ପହଞ୍ଚିଛି । ବିକ୍ରମ-ଏସ ରକେଟ୍ ସହ ୩ଟି ସାଟେଲାଇଟ ମଧ୍ୟ ଉତକ୍ଷେପଣ ହୋଇଛି । ଯେଉଁଥିରେ ଦୁଇଟି ଘରୋଇ ସାଟେଲାଇଟ ଓ ଗୋଟିଏ ବିଦେଶୀ ସାଟେଲାଇଟ ରହିଛି । ଏହି ରକେଟ୍ ଲଞ୍ଚରେ ସାଧାରଣ ଇନ୍ଧନ ବଦଳରେ ଏଲଏନଜି ବା ଲିକ୍ୱିଡ଼ ନ୍ୟାଚୁରାଲ ଗ୍ୟାସ ଓ ଲିକ୍ୱିଡ଼ ଅମ୍ଳଜାନର ବ୍ୟବହାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଆଗକୁ ବିକ୍ରମ-ଟୁ ଓ ବିକ୍ରମ-ଥ୍ରୀ ମଧ୍ୟ ଲଞ୍ଚ କରାଯିବ । ଯଦି ପ୍ରାରମ୍ଭ୍ ମିଶନ ସଫଳ ହୁଏ ତେବେ ଭାରତ ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବ ।