ଭାରତୀୟ ମହିଳା ଟିମର କମାଲ । ଫାଇନାଲରେ ମେକ୍ସିକୋକୁ ହରାଇ ତୀରନ୍ଦାଜ ବିଶ୍ୱକପରେ ଜିତିଲା ସ୍ୱର୍ଣ୍ଣ

180

କନକ ବ୍ୟୁରୋ : ଭାରତୀୟ ମହିଳା ତୀରନ୍ଦାଜ ଟିମ୍ ବିଶ୍ୱକପରେ ମେକ୍ସିକୋକୁ ହରାଇ ସୂର୍ଣ୍ଣ ପଦକ ହାସଲ କରିଛି । ଭାରତୀୟ ମହିଳା ଟିମ୍ ରବିବାର ଦିନ ତୀରନ୍ଦାଜ ବିଶ୍ୱକପର ତୃତୀୟ ପର୍ଯ୍ୟାୟରେ ମେକ୍ସିକୋକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛି । ଫାଇନାଲରେ ଭାରତ ମେକ୍ସିକୋକୁ ୫-୧ ରେ ହରାଇଛି । ଭାରତୀୟ ଟିମରେ ଦୀପିକା କୁମାରୀ, ଅଙ୍କିତା ଭକତ ଓ କୋମାଲିକା ବାରି ସାମିଲ ଥିଲେ ।

କହିରଖୁ କି ତୀରନ୍ଦାଜରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା କରିଥିବା ଏହି ୩ ଜଣ ଯାକ ଖେଳାଳୀ ଝାରଖଣ୍ଡ ରାଜ୍ୟର । ତିନିଜଣ ଯାକ ବିଶ୍ୱକପରେ ସୁନ୍ଦର ପ୍ରଦର୍ଶନ କରି ଦେଶ ପାଇଁ ଗୌରବ ଆଣିଛନ୍ତି ।

ଏହା ବ୍ୟତୀତ ମିଳିତ ତୀରନ୍ଦାଜ ଇଭେଣ୍ଟରେ ନେଦରଲାଣ୍ଡକୁ ହରାଇ ଅତାନୁ ଦାସ ଓ ଦୀପିକା କୁମାରୀଙ୍କ ଷ୍ଟାର କପଲ ଜୋଡି ବି ସ୍ୱର୍ଣ୍ଣପଦକ ଜିତିଛନ୍ତି । କହିରଖୁ କି ଭାରତୀୟ ଟିମ୍ ସେମି ଫାଇନାଲରେ ଫ୍ରାଂସ ଭଳି ଶକ୍ତିଶାଳୀ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

ଫାଇନାଲରେ ଅତି ସୁନ୍ଦର ଓ କୌଶଳପୂର୍ଣ୍ଣ ଖେଳ ଖେଳିଥିଲା ଭାରତୀୟ ଟିମ୍ । ପ୍ରଥମ ସେଟ୍ ରେ ସ୍କୋର ୫୭-୫୭ ରହିଥିଲା । ଦ୍ୱିତୀୟ ସେଟରେ ଭଲ ପ୍ରଦର୍ଶନ କରି ଭାରତୀୟ ଟିମ୍ ମେକ୍ସିକୋ ଉପରେ ଚାପ ପକାଇଥିଲା । ଦ୍ୱିତୀୟ ସେଟରେ ମେକ୍ସିକୋ ୫୨ ପଏଣ୍ଟ ହାସଲ କରିଥିଲା ଫଳରେ ଭାରତୀୟ ଟିମ୍ ୩ ପଏଣ୍ଟ ଆଗକୁ ଯାଇଥିଲା । ଭାରତୀୟ ଟିମ୍ ୩-୧ ରେ ଆଗରେ ଥାଇ ତୃତୀୟ ସେଟରେ ବି ଭଲ ପ୍ରଦର୍ଶନ କରିଥିଲା । ତୃତୀୟ ସେଟରେ ୫୫ ପଏଣ୍ଟ ହାସଲ କରିଥିଲା । ହେଲେ ମେକ୍ସିକୋ ଟିମ୍ ଭାରତ ସମକକ୍ଷ ପ୍ରଦର୍ଶନ ନକରି ପାରି ପରାଜିତ ହୋଇଥିଲା ।