ବୀରେନ୍ଦ୍ରଙ୍କଠାରୁ ବିରାଟ : ଟି-୨୦ରେ କିଏ କିଏ ଧରିଥିଲେ ଟିମ୍ ଇଣ୍ଡିଆର ମଙ୍ଗ?

288

କନକ ବ୍ୟୁରୋ: ବୀରେନ୍ଦ୍ର ସେହ୍ୱାଗଠାରୁ ବିରାଟ କୋହଲି । ଟି-୨୦ରେ ଏଯାବତ ଟିମ୍ ଇଣ୍ଡିଆ ମୋଟ ୭ ଜଣ ଅଧିନାୟକଙ୍କୁ ଦେଖିସାରିଛି । ଯାହା ମଧ୍ୟରୁ ବିରାଟ କୋହଲି ମଧ୍ୟ ଜଣେ । ଏହି ୭ ଜଣ ଅଧିନାୟକ ହିଁ ଟି-୨୦ରେ ଟିମ୍ ଇଣ୍ଡିଆର ମଙ୍ଗ ଧରିଥିଲେ ।

୨୦୦୭ ଟି-୨୦ ବିଶ୍ୱକପ୍ ପୂର୍ବରୁ କ୍ରିକେଟ୍ ଜଗତର ଏହି ସର୍ଟ ଫର୍ମାଟ ପ୍ରତି ଲୋକଙ୍କ ଧାରଣା ସେତେଟା ନଥିଲା । ଯାହାର ଫଳସ୍ୱରୂପ ଟିମ୍ ଇଣ୍ଡିଆ ବିଶ୍ୱକପକୁ ଯିବା ପୂର୍ବରୁ କେବଳ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳିଥିବା ଏହି ଟି-୨୦ ମ୍ୟାଚରେ ଅଧିନାୟକ ଥିଲେ ବୀରେନ୍ଦ୍ର ସେହ୍ୱାଗ । ଏହି ମ୍ୟାଚରେ ଭାରତ ଜିତାପଟ ହାସଲ କରିଥିଲେ ଆଉ ଅଧିନାୟକ ଭାବେ ସେହ୍ୱାଗଙ୍କ ବିଜୟ ପ୍ରତିଶତ ଆଜି ବି ଶହେ ପ୍ରତିଶତ ରହିଛି ।

ଏହାପରେ ୨୦୦୭ ବିଶ୍ୱକପରେ ଟିମ୍ ଇଣ୍ଡିଆର ମଙ୍ଗ ସମ୍ଭାଳିଥିଲେ ଯୁବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଆଉ ସେହି ଟୁର୍ଣ୍ଣାମେଣ୍ଟରେ ସେ ଯାହା କରି ଦେଖାଇଲେ, ତାହା ଆଜି ବି ସମସ୍ତେ ମନେ ରଖିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପରେ ଭାରତ ହୋଇଥିଲା ବିଶ୍ୱ ବିଜୟୀ । ସେବେଠାରୁ ଧୋନୀ ମୋଟ ୭୨ଟି ଟି-୨୦ ମ୍ୟାଚରେ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ । ଯେଉଁଥିରୁ ସେ ୪୧ଟିରେ ବିଜୟ ହାସଲ କରିବା ସହିତ ୨୮ଟିରେ ପରାଜୟ ଭୋଗିଥିଲେ । ବାକି ୩ଟି ମ୍ୟାଚ୍ ଭିତରୁ ଗୋଟିଏ ଟାଇ ଏବଂ ୨ଟିରେ ଫଳାଫଳ ବାହାରିପାରିନଥିଲା । ଅଧିନାୟକ ଭାବେ ଟି-୨୦ରେ ଧୋନୀଙ୍କ ବିଜୟ ପ୍ରତିଶତ ଥିଲା ୫୬.୯୪ ପ୍ରତିଶତ ।

ସେହିପରି ରାଇନା ମଧ୍ୟ ୩ଟି ଟି-୨୦ ମ୍ୟାଚରେ ଦଳର ଅଧିନାୟକ ରହିଥିଲେ । ଏବଂ ସବୁ ମ୍ୟାଚରେ ଭାରତ ଜିତାପଟ ହାସଲ କରିଥିଲା । ତାହ୍କ ସହିତ ରାହାଣେ ମଧ୍ୟ ୨ଟି ଏବଂ ଧାୱନ୍ ମଧ୍ୟ ୩ଟି ମ୍ୟାଚରେ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ । ଧୋନୀ ସୀମିତ ଓଭର କ୍ରିକେଟରୁ ଅବସର ନେବା ସହିତ କ୍ୟାପଟେନ୍ ଭାର ସମ୍ଭାଳିଥିଲେ କୋହଲି । ଏହି ସମୟ ଭିତରେ ସେ ମୋଟ ୪୫ଟି ମ୍ୟାଚରେ କ୍ୟାପଟେନ୍ ରହିଥିଲେ । ଯା ଭିତରୁ ୨୫ଟି ମ୍ୟାଚରେ ଦଳ ଜିତାପଟ ହାସଲ କରିଥିବାବେଳେ ୧୪ଟି ମ୍ୟାଚରେ ପରାଜୟ ଭୋଗିଥିଲା ଟିମ୍ ଇଣ୍ଡିଆ । ତା ଭିତରୁ ଦୁଇଟି ମୁକାବିଲା ଡ୍ର ହୋଇଥିବାବେଳେ ଗୋଟିଏ ବାତିଲ ହୋଇଥିଲା । ଅଧିନାୟକ ଭାବେ କୋହଲିଙ୍କ ବିଜୟ ପ୍ରତିଶତ ୬୫.୧୧ ପ୍ରତିଶତ ରହିଥିଲା ।

ଅନ୍ୟପଟେ ରୋହିତ ଶର୍ମା ଏଯାବତ ୧୯ଟି ଟି-୨୦ ମ୍ୟାଚରେ ଭାରତୀୟ ଦଳର ଅଧିନାୟକତ୍ୱ କରିଛନ୍ତି । ଯେଉଁଥିରେ ୧୫ଟି ମ୍ୟାଚରେ ଦଳ ଜିତିଥିବାବେଳେ ୪ଟି ପରାଜୟ ବରଣ କରିଛି । ଟି-୨୦ ମ୍ୟାଚରେ ଅଧିନାୟକ ଭାବେ ରୋହିତଙ୍କ ବିଜୟ ପ୍ରତିଶତ ରହିଛି ୭୮.୯୪ ପ୍ରତିଶତ । ତେଣୁ କୋହଲିଙ୍କ ପରେ ତାଙ୍କୁ ଦଳର ଅଧିନାୟକ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି ।