ଦେଶ ପାଇଁ ବିଦେଶରେ ଗୌରବ ସାଉଣ୍ଟିଲେ କର୍ଣ୍ଣାଟକର ଝିଅ ରଶ୍ମୀ ସାମନ୍ତ । ଜିତିଲେ ଅକ୍ସଫୋର୍ଡ ଛାତ୍ର ସଂଘର ଅଧ୍ୟକ୍ଷ ପଦ

148

କନକ ବ୍ୟୁରୋ : ଏବେ ଦେଶର ମହିଳା ମାନେ ଆଉ ପଛରେ ନାହାନ୍ତି । ଯାହାର ପ୍ରମାଣ ଦୈନିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ଆମେରିକାର ଜୋ- ବାଇଡେନଙ୍କ ଟିମ୍ ରେ ସାମିଲ ହୋଇଛନ୍ତି ଅନେକ ଭାରତୀୟ ମହିଳା । ଏହା ସହ ଆମେରିକାର ଉପରାଷ୍ଟ୍ରପତି ଭାବେ ବି ଜଣେ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହାରିସ୍ ନିର୍ବାଚିତ ହେବା ପରେ ଆମେ ନିଜକୁ ଗୌରବାନ୍ୱିତ ମନେ କରୁଥିଲୁ । ହେଲେ ଏହି ଗୌରବର ପୃଷ୍ଟାରେ ପୁଣି ନାମ ଲେଖାଇଛନ୍ତି ଜଣେ ଭାରତୀୟ ଛାତ୍ରୀ ।

କର୍ଣ୍ଣାଟକ ରାଜ୍ୟର ଝିଅ ରଶ୍ମୀ ସାମନ୍ତ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂଗଠନର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ରଶ୍ମୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଯେ କି ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ରଶ୍ମୀ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ପୂର୍ବତନ ଛାତ୍ରୀ ।

ଅକ୍ସଫୋର୍ଡ ୟୁନିଭରସିଟ୍ ଅଧିକାରୀଙ୍କ ୱେବସାଇଟର ସୂଚନା ମୁତାବକ ରଶ୍ମୀ ସାମନ୍ତଙ୍କ ବିରୋଧରେ ଏହି ନିର୍ବାଚନରେ ଅନ୍ୟ ୩ ଜଣ ପ୍ରାଥୀ ହୋଇଥିଲେ । ହେଲେ ରଶ୍ମୀଙ୍କୁ ସର୍ବାଧିକ ଭୋଟ ମିଳିଛି । ଏହି ପଦ ପାଇଁ ମୋଟ ୩୭୦୮ ଟି ଭୋଟ ପଡିଥିଲା । ଯାହା ମଧ୍ୟରୁ ରଶ୍ମୀଙ୍କୁ ୧,୯୬୬ ଖଣ୍ଡ ଭୋଟ ମିଳିଛି ।

ରଶ୍ମୀ ସାମନ୍ତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଲିନ୍ କେୟାର କଲେଜରେ ଏନର୍ଜି ସିଷ୍ଟମ ପାଠ୍ୟକ୍ରମ ପାଇଁ ଏମଏସସି କରୁଛନ୍ତି । ସେ ଚଳିତ ନିର୍ବାଚନରେ ମୁଖ୍ୟତ ୪ ଟି ସମସ୍ୟା ଉପରେ ଫୋକସ କରିଥିଲେ । ଯାହାକୁ ନେଇ ତାଙ୍କୁ ଏଭଳି ସଫଳତା ମିଳିଛି । ଏହି ୪ ଟି ସମସ୍ୟା ମଧ୍ୟରୁ ୨ ଟି ପ୍ରମୁଖ ସମସ୍ୟାକୁ ସେ ଛାତ୍ର ଛାତ୍ରୀଙ୍କ ଆଗରେ ରଖିଥିଲେ । ପ୍ରଥମଟି ବିଶ୍ୱବିଦ୍ୟାଳୟ ଭିତରେ ଥିବା ସବୁ ସାମ୍ରାଜ୍ୟବାଦୀ ନେତାଙ୍କ ପ୍ରତିମା ହଟାଯାଉ ଓ କରୋନା ମହାମାରୀ ସମ୍ପୂର୍ଣ୍ଣ ଶେଷ ନହେବା ଯାଏ ପିଲାମାନଙ୍କ ଠାରୁ ଦେୟ ଆଦାୟ ବନ୍ଦ କରାଯାଉ । ଏହି ସମସ୍ୟାକୁ ସେ ଏତେ ସଠିକ୍ ଢଙ୍ଗରେ ଉପସ୍ଥାପନ କରିଥିଲେ କି ଯାହା ତାଙ୍କୁ ଏଭଳି ସଫଳତା ଦେଇଛି ।

ରଶ୍ମୀଙ୍କ ବାପା ଦିନେଶ ସାମନ୍ତ ଜଣେ ବ୍ୟବସାୟୀ ଓ ମା ବତ୍ସଲା ଜଣେ ଗୃହିଣୀ ଅଟନ୍ତି । ରଶ୍ମୀ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (୨୦୧୬-୨୦୨୦) ମଧ୍ୟରେ ସ୍ନାତୋକ ଛାତ୍ରୀ ଥିଲେ । ସେ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଛାତ୍ରସଂଘର ଟେକ୍ନୋଲୋଜି ସଚିବ ପଦରେ ବି ଅବସ୍ଥାପିତ ହୋଇଥିଲେ ।