କନକ ବ୍ୟୁରୋ : ଭାରତୀୟ ରେଳ ନେଟୱର୍କ ବିଶ୍ୱର ସବୁଠାରୁ ବଡ ରେଳ ନେଟୱର୍କ । ଦୈନିକ ଶହ ଶହ ଟ୍ରେନ ହଜାର ହଜାର ଲୋକଙ୍କ ନେଇ ଯାତ୍ରା କରୁଛି । ହେଲେ ଏତେ ଟ୍ରେନ ଓ ଏତେ ଯାତ୍ରୀଙ୍କୁ ମ୍ୟାନେଜ କରିବାରେ କେବେ କେବେ ରେଳବାଇ ବିଫଳ ହୋଇଥାଏ । ଫଳରେ କେବେ କେବେ ରେଳ ଦୁର୍ଘଟଣା ମଧ୍ୟ ହୋଇଥାଏ । ହେଲେ ଥରେ ଚିନ୍ତା କରନ୍ତୁ ତ ରେଳ ଦୁର୍ଘଟଣା ହେଲେ ଯାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଏତେ ସହଜ ହୋଇନଥାଏ । କାରଣ ଦୁର୍ଘଟଣା ସ୍ଥଳକୁ ଯାନ ବାହାନ ଯିବା ପାଇଁ ସୁଗମ ନଥାଏ । ଏହାର ବଡ କାରଣ ହେଉଛି ରେଳ ଲାଇନଗୁଡିକ କେବେ ପାହାଡ ଉପର ଦେଇ ତ କେବେ ନଦୀମଧ୍ୟ ଦେଇ ବିଛା ଯାଇଥାଏ । ଏସବୁକୁ ନଜରରେ ରଖି ଭାରତୀୟ ରେଳ ବିଭାଗ ବିଶ୍ୱର ପ୍ରଥମ ଟ୍ରେନ ହସ୍ପିଟାଲ ଆରମ୍ଭ କରିଛି । ଏହାର ବ୍ୟବହାର ରେଲୱେ କିଛି ଖାସ କାମ ପାଇଁ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଟ୍ରେନ ବିଷୟରେ, ଆଉ ରେଲୱେ ଏହାକୁ କେଉଁ ପରିସ୍ଥିତିରେ ବ୍ୟବହାର କରିଥାଏ ।

Advertisment

ଭାରତୀୟ ରେଲୱେର ଏହି ସ୍ପେଶାଲ ଟ୍ରେନର ନାଁ ଲାଇଫ ଲାଇନ ଏକ୍ସପ୍ରେସ । ଏହି ଟ୍ରେନ ଜରିଆରେ ରେଲୱେ ଦେଶର ଉପାନ୍ତ ଅଞ୍ଚଳ ଯେଉଁଠି ସ୍ୱାସ୍ଥ୍ୟସେବାର ସୁବିଧା ନଥାଏ କିମ୍ବା ଡାକ୍ତର, ଔଷଧ ପହଞ୍ଚିବାର ସୁବିଧା ନଥାଏ ସେହି ସବୁ ସ୍ଥାନରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥାଏ । ଏହି ପୂରା ଟ୍ରେନଟିକୁ ହସ୍ପିଟାଲ ଭଳି ଡିଜାଇନ କରାଯାଇଛି । ଏଥିରେ ରୋଗୀଙ୍କ ପାଇଁ ବେଡ୍, ଅତ୍ୟାଧୁନିକ ମେସିନ, ଅପରେସନ ଥିଏଟର ଆଉ ଅନେକ ମେଡିକାଲ ଷ୍ଟାଫ ମଧ୍ୟ ରହିଛନ୍ତି । ଏହି ଲାଇଫ ଲାଇନ ଏକ୍ସପ୍ରେସର ସମସ୍ତ କୋଚରେ ଆପଣଙ୍କୁ ପାୱାର ଜେନେରେଟର, ମେଡିକାଲ ବୋର୍ଡ, ପାଣ୍ଟ୍ରି କାର ସହ ଅନେକ ଡାକ୍ତରୀ ସୁବିଧା ମିଳିପାରିବ ।

ଏହି ଟ୍ରେନକୁ ଭାରତୀୟ ରେଲୱେ ୧୯୯୧ ମସିହାରେ ଆରମ୍ଭ କରିଥିଲା । ଟ୍ରେନ ଆରମ୍ଭରୁ ଏହାର ସବୁ ବଗି ଏସି କୋଚ ରହିଛି । ଏହି ଟ୍ରେନ ଚାଲୁ କରିବାର ଉଦ୍ଦେଶ୍ୟ ଥିଲେ ଯେ ଯେଉଁ ଲୋକମାନଙ୍କ ପାଖରେ ଚିକିତ୍ସାର ସୁବିଧା ନାହିଁ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇବା । ଭାରତରେ ଏମିତି ସ୍ଥାନ ରହିଛି ଯେଉଁଠି ନା ଡାକ୍ତରଖାନା ଅଛି ନା ଡାକ୍ତର ପହଞ୍ଚିବାର ସୁବିଧା, ଏହି ସ୍ଥାନର ଲୋକମାନେ ଦିଲ୍ଲୀ, ମୁମ୍ବାଇ ଆସି ନିଜ ଚିକିତ୍ସା ମଧ୍ୟ କରିପାରିନଥାନ୍ତି । ଖାସ କରି ଏଠାକାର ଦିବ୍ୟାଙ୍ଗ ଲୋକ ଚିକିତ୍ସା ସୁବିଧା ପାଇବାରୁ ବଞ୍ଚିତ ହୋଇଥାନ୍ତି । ତେଣୁ ସେମାନଙ୍କ ଅସୁବିିଧାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି ଟ୍ରେନ ଆରମ୍ଭ କରିଥିଲେ । ଯାହା ସେହି ଉପାନ୍ତ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେଉଛି ।

ଭାରତୀୟ ରେଲୱେ ବୋର୍ଡର ରିପୋର୍ଟ ଅନୁସାରେ ଏବେ ଯାଏଁ ଏହି ଟ୍ରେନ ହସ୍ପିଟାଲ ଦ୍ୱାରା ୧୨ ଲକ୍ଷ ଲୋକ ଚିକିତ୍ସା ସୁବିଧା ପାଇ ପାରିଛନ୍ତି । ଭାରତୀୟ ରେଲୱେ ଓ ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ ମିଶି ଏହି ଟ୍ରେନ ଆରମ୍ଭ କରିଥିଲେ । ନିର୍ଦ୍ଦାରିତ ସମୟ ଅନୁସାରେ ଏହି ଲାଇଫଲାଇନ ଏକ୍ସପ୍ରେସ ବିଭିନ୍ନ ଷ୍ଟେସନରେ ରହିଥାଏ ଆଉ ନିଜ ଚିକିତ୍ସା ସୁବିଧା ଯୋଗାଇଥାଏ । ଏହାକୁ ଜୀବନରେଖା ଏକ୍ସପ୍ରେସ ମଧ୍ୟ କୁହାଯାଏ ।