ଟୁଇଟରରେ ମୁହାଁମୁହିଁ ହେଲେ ରାଜସ୍ଥାନ୍ ରୟାଲ୍ସ-ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ । ଦେଖନ୍ତୁ, ଦୁଇ ଦଳ କଣ କଲେ ଟୁଇଟ୍…

208

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସିଜିନରେ ଏଥର ଦୁଇଟି ନୂଆ ଦଳ ଭାଗ ନେବାକୁ ଯାଉଛନ୍ତି । ଲକ୍ଷ୍ନୌ ଓ ଅହମ୍ମଦାବାଦ୍ ଟିମ୍ ଏଥର ନୂଆ କରି ନିଜର ଆଇପିଏଲ୍ ଅଭିଯାନ ଆରମ୍ଭ କରିବେ । ଦୁଇଟି ଯାକ ଟିମ୍ ଏଥିପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସୋମବାର ଲକ୍ଷ୍ନୌ ଟିମ ନିଜର ନାମ ମଧ୍ୟ ଘୋଷଣା କରିଦେଇଛି । ଲକ୍ଷ୍ନୌ ଟିମ୍ ଏଥର ଆଇପିଏଲରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ନାଁରେ ପରିଚିତ ହେବ । ତେବେ ୨୦୧୬ ଓ ୨୦୧୭ରେ ମଧ୍ୟ ଏହି ଗୋୟନଙ୍କା ଗ୍ରୁପ୍ ଅଧୀନରେ ଥିବା ପୁଣେ ଟିମର ନାଁ ପୁଣେ ସୁପରଜ୍ୟାଣ୍ଟସ ରଖାଯାଇଥିଲା ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଲକ୍ଷ୍ନୌ ଟିମ୍ ନିଜର ନାଁ ଘୋଷଣା କରିବା ସହିତ ଦଳର ଫ୍ୟାନ୍ସମାନେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଆଇପିଏଲ୍ ଟିମ୍ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛି । ପୁଣେ ଓ ଲକ୍ଷ୍ନୌ ଟିମର ନାଁ ଏକାଭଳି ରହିଥିବାରୁ ରାଜସ୍ଥାନ ରୟାଲ୍ସ ଟୁଇଟ୍ କରି ଏହାର ମଜାକ୍ ଉଡାଇଛି । ତା ସହିତ ଏକ ମିମ୍ ମଧ୍ୟ ସେୟାର କରିଛି ରାଜସ୍ଥାନ ରୟାଲ୍ସ ।

ପ୍ରତି ଜବାବରେ ଲକ୍ଷ୍ନୌ ମଧ୍ୟ ରାଜସ୍ଥାନ ରୟାଲ୍ସକୁ ନେଇ ମଜାଦାର ଟୁଇଟ୍ କରିଛି । ରାଜସ୍ଥାନ ରୟାଲ୍ସର ଟୁଇଟକୁ ରି-ଟୁଇଟ୍ କରି ଲକ୍ଷ୍ନୌ ଟିମ୍ ଲେଖିଛି, ଆମେ ତମକୁ ଦୁଇ ବର୍ଷ ମିସ୍ କଲୁ । ଅର୍ଥାତ, ୨୦୧୬ ଓ ୨୦୧୭ରେ ଫିକ୍ସିଂ କାରଣରୁ ରାଜସ୍ଥାନ ରୟାଲ୍ସ ଆଇପିଏଲରୁ ବାଦ୍ ପଡିଥିଲା । ଏହି କଥାକୁ ମନେ ପକାଇ ରାଜସ୍ଥାନ ଦଳକୁ ସିଧା ତୀର ମାରିଥିଲା ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ।

ଟୁଇଟରରେ ଏହି ଦୁଇ ଟିମର ଏହି ଟୁଇଟ୍ ୱାରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତେବେ କିଛି ଫ୍ୟାନ୍ସ ପୁଣେ ଓ ଲକ୍ଷ୍ନୌ ଟିମର ନାଁ ଏକପ୍ରକାର ହେବାକୁ ନେଇ ନିଜର ଅସନ୍ତୋଷ ମଧ୍ୟ ଜାହିର କରିଥିଲେ ।