ଦିନକ ପାଇଁ ମଧ୍ୟ ସ୍କୁଲ୍‌ ଯିବା ବନ୍ଦ ନ କରି ବିଶ୍ବଭ୍ରମଣକାରୀ ବାପାମାଆଙ୍କ ସହିତ ଅଦିତି ତ୍ରିପାଠୀ ନାମ୍ନୀ ଜଣେ ୧୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବାଳିକା ୫୦ଟି ଦେଶ ଭ୍ରମଣ କରିଛନ୍ତି ।

Advertisment

ରିପୋର୍ଟ ଅନୁସାରେ, ବାପା ଦୀପକ ଓ ମାଆ ଅଭିଳାଷାଙ୍କ ସହିତ ଦକ୍ଷିଣ ଲଣ୍ଡନରେ ରହୁଥିବା ଅଦିତି ୟୁରୋପର ଅଧିକାଂଶ ଦେଶ ଏବଂ ନେପାଳ, ସିଙ୍ଗାପୁର ଓ ଥାଇଲାଣ୍ଡ୍‌ର ବିଭିନ୍ନ ସ୍ଥାନ ଭ୍ରମଣ କରିସାରିଛନ୍ତି ।

ଅଦିତିଙ୍କ ବାପାମାଆଙ୍କର ଇଚ୍ଛା ହେଲା, ସେମାନଙ୍କ ପିଲା ଜଣେ ଉତ୍ତମ-ଭ୍ରମଣକାରୀ ବ୍ୟକ୍ତି ହେଉ। ବିଶ୍ବ ଭ୍ରମଣ ଅଭିଜ୍ଞାତା ସହିତ ବିଭିନ୍ନ ସଂସ୍କୃତି, ଖାଦ୍ୟ ଓ ଜନସାଧାରଣଙ୍କ ସମ୍ବନ୍ଧରେ ତା’ର ଧାରଣା ହେଉ। ଏଥିସହିତ ସ୍କୁଲ୍‌ ପଢ଼ାରେ ଯେମିତ ତା’ର କ୍ଷତି ନ ହେଉ। ତେଣୁ, ସେମାନେ ସ୍କୁଲ୍‌ ବନ୍ଦ ରହୁଥିବା ଦିନ ଭ୍ରମଣରେ ଯିବାକୁ ଯୋଜନା କଲେ। ଏହି ଭ୍ରମଣ ବାବଦକୁ ତା’ର ୨୦,୦୦୦ ପାଉଣ୍ଡ୍‌ ଖର୍ଚ୍ଚ ହୋଇଛି। କିନ୍ତୁ, ସେମାନେ କହୁଛନ୍ତି ଯେ, ବ୍ୟୟ ହୋଇଥିବା ପ୍ରତିଟି ପଇସାର ଦାମ୍‌ ଉଠିଯାଇଛି।

ଅଦିତିଙ୍କ ବାପା କହନ୍ତି, ନେପାଳ, ଭାରତ ଓ ଥାଇଲାଣ୍ଡ୍‌ର ବିଭିନ୍ନ ସଂସ୍କୃତି ଦେଖି ଝିଅ ବିଶେଷ କୌତୂହଳୀ ଓ ଚମତ୍କୃତ ହେଲା। ତାକୁ ଯେତେବେଳେ ୩ ବର୍ଷ ବୟସରେ ‌ସେ ନର୍ସରୀରେ ପଢୁଥିବା ବେଳେ ସପ୍ତାହକୁ ଅଢ଼େଇ ଦିନ ସ୍କୁଲ୍‌କୁ ଯାଉଥିଲା ବେଳେ ତା’ର ଦେଶ ଭ୍ରମଣ ଆରମ୍ଭ ହୋଇଥିଲା।

ବଡ଼ ହେବା ପରେ ଆମେ ଶୁକ୍ରବାରିଆ ତାକୁ ସିଧା ସ୍କୁଲ୍‌ରୁ ବିମାନ ବନ୍ଦର ନେଇ ବିଦେଶ ବୁଲିଯାଉ ଓ ବିଳମ୍ବିତ ରାତ୍ରୀ ବିମାନରେ ଚଢ଼ି ରବିବାର ରାତି ପ୍ରାୟ ୧୧ଟା ବେଳେ ଲଣ୍ଡନ୍‌କୁ ଫେରିଆସୁ। ଥରେ ଥରେ ସୋମବାର ସକାଳେ ଲଣ୍ଡନରେ ପହଞ୍ଚି ବିମାନ ବନ୍ଦରରୁ ଅଦିତିକୁ ସିଧା ସ୍କୁଲ୍‌କୁ ନେଇଯାଉ।

‘ମେଟ୍ରୋ’ ରିପୋର୍ଟ ଅନୁସାରେ, ଆକାଉଣ୍ଟାଣ୍ଟ୍‌ କାର୍ଯ୍ୟ କରୁଥିବା ଅଦିତିଙ୍କ ବାପାମାଆ ବିଦେଶ ଭ୍ରମଣ ନିମନ୍ତେ ବର୍ଷ ସାରା ଟଙ୍କା ସଞ୍ଚୟ କରନ୍ତି। ଚଳିବା ପାଇଁ ଯଥା ସମ୍ଭବ ସ୍ବଳ୍ପ ଅର୍ଥ ବ୍ୟୟ କରନ୍ତି।