ଅମୃତ ମହୋତ୍ସବ ସଚେତନତା କାର୍ଯ୍ୟକ୍ରମ କରୁଛି ଭାରତୀୟ ନୌସେନା । ଗଞ୍ଜାମ ଓ ପୁରୀ ଜିଲ୍ଲାର ୬ଟି ଗାଁରେ ହେଉଛି କାର୍ଯ୍ୟକ୍ରମ ।

80

କନକ ବ୍ୟୁରୋ: ଭାରତ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନକୁ ଆଉ ୭୫ ସପ୍ତାହ ବାକି । ଭାରତର ଏହି ଅମୃତ ମହୋତ୍ସବ ପାଳନ ପାଇଁ ଏବେ ଠୁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରତି ଭାରତୀୟଙ୍କ ପାଖରେ ଏ ଖବର ପହଂଚାଇବା ପାଇଁ ଭାରତୀୟ ନୌସେନା ସହ ତଟରକ୍ଷୀ ବାହିନୀ ପ୍ରୟାସ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଉପକୂଳବର୍ତ୍ତୀ ଗାଁରେ ଅମୃତ ମହୋତ୍ସବ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଓଡିଶା ଗଞ୍ଜାମ ଓ ପୁରୀ ଜିଲ୍ଲାର ୬ଟି ଗାଁରେ ଏହି କାର୍ଯ୍ୟକ୍ରମ ହୋଇଛି । ଅସ୍ତରଙ୍ଗ ବ୍ଲକର ଉପକୂଳବର୍ତୀ ୩ଟି ଗାଁରେ ଭାରତୀୟ ନୌସେନା କମାଣ୍ଡର କିଶୋର ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ତଟରକ୍ଷୀ ବାହିନୀର ୪ ଜଣିଆ ସଦସ୍ୟ ମତ୍ସ୍ୟଜୀବୀଙ୍କୁ ସଚେତନ କରିଛନ୍ତି ।

ଅସ୍ତରଙ୍ଗ ଉପକୂଳ ସହନ, ନୂଆଗଡ, ଝାଡଲିଙ୍ଗ ଓ କଣମଣ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମତ୍ସ୍ୟଜୀବୀ ସାମିଲ ହୋଇଥିଲେ । ଉପକୂଳ ସୁରକ୍ଷାରେ ମତ୍ସ୍ୟଜୀବୀଙ୍କ ପ୍ରମୁଖ ଭୂମିକାକୁ ପ୍ରଶଂସା କରିଛନ୍ତି ନୌସେନା ଅଧିକାରୀ । ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ତଟ ସୁରକ୍ଷାରେ ଇଂଟରସେପ୍ଟର ସ୍ପିଡ ବୋଟରେ ପେଟ୍ରୋଲିଂ କରିବା ସହ ମତ୍ସ୍ୟଜୀବୀଙ୍କ ପରିଚୟ ପତ୍ର ଯାଂଚ କରାଯାଇଛି ।୨୦୨୨ରେ ଭାରତ ସ୍ୱାଧିନତାର ୭୫ ବର୍ଷ ପୂର୍ତି ପାଳନ କରିବାକୁ ଯାଉଥିବା ବେଳେ ମାର୍ଚ୍ଚ ୧୨ ତାରିଖ ଠାରୁ ଦେଶର ୭୫ଟି ଉପକୂଳବର୍ତ୍ତୀ ଗାଁରେ ଭାରତୀୟ ନୌସେନା ପକ୍ଷରୁ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମକୁ ସ୍ୱାଗତ କରିଛନ୍ତି ମତ୍ସ୍ୟଜୀବୀ ।