ମହଙ୍ଗା ପଡିଲା ମୃତ୍ୟୁର ଖେଳ: କାମ ଦେଲାନି କୁହୁକ ବିଦ୍ୟା, ନଦୀରେ ଅଟକିଗଲା ଯାଦୁଗରଙ୍କ ନିଶ୍ୱାସ

492

କନକ ବ୍ୟୁରୋ: ମହଙ୍ଗା ପଡିଲା ଯାଦୁଗରୀ । କୋଲକାତାର ହୁଗୁଳି ନଦୀରେ ଯାଦୁ ଦେଖାଇବା ବେଳେ ଗାୟବ ହୋଇଗଲେ ଖୋଦ୍ ଯାଦୁଗର । ପଶ୍ଚିମବଙ୍ଗ ସୋନାରପୁରର ୪୧ ବର୍ଷୀୟ ଚଞ୍ଚଳ ଲହରୀ । ଯାଦୁଗର ମ୍ୟାଣ୍ଡ୍ରିକ ନାଁରେ ସେ ଜଣାଶୁଣା । ପ୍ରସିଦ୍ଧ ଆମେରିକୀୟ ଯାଦୁଗର ହ୍ୟାରୀ ହୁଡିନିଙ୍କ ଷ୍ଟଣ୍ଟ ଦେଖାଇବା ପାଇଁ ପ୍ରସ୍ତୁତ ହୋଇଥିଲା । ରବିବାର ଦିନ ଏଥିପାଇଁ ସବୁ ପ୍ରସ୍ତୁତି ବି ସରିଥିଲା । ବୋଟ୍ରୁ କ୍ରେନ ସାହାଯ୍ୟରେ ତାଙ୍କୁ ହୁଗଳି ନଦୀ ମଝିରେ ଛଡା ହେଲା । ଏହାସହ ବନ୍ଧା ହୋଇଥିଲା ତାଙ୍କ ହାତ ଓ ଗୋଡ । ଚଞ୍ଚଳଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କ ଶରୀରକୁ ମୋଟା ଚେନ ସାହାଯ୍ୟରେ ବନ୍ଧା ହୋଇ ତାଲା ପକାଇ ବି ଦିଆଯାଇଥିଲା । ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୬ଟି ତାଲା ତାଙ୍କ ଦେହରେ ବନ୍ଧା ହୋଇଥିବା ଚେନ୍ ପଡିଥିଲା ।

ମ୍ୟାଣ୍ଡ୍ରିକ ପ୍ରଥମ ଥର ପାଇଁ ଏହି ଷ୍ଟଂଟ କରୁନଥିଲେ । ପୂର୍ବରୁ ୨୦୧୩ରେ ମଧ୍ୟ ଆମେରିକୀୟ ଯାଦୁଗର ହ୍ୟାରୀ ହୁଡିନିଙ୍କ ଏହି ହୁଡିନି ଟ୍ରିକ ଯାଦୁଗରୀର କଳା ଦେଖାଇ ସାରିଥିଲେ ମ୍ୟାଣ୍ଡ୍ରିକ । ଯାଦୁଗର ହୁଡିନି ଏହି ଷ୍ଟଂଟ କରି ବେଶ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କୁ ଗୋଟିଏ ପିଂଜରାରେ ଭର୍ତ୍ତି କରି ତାଲା ପକାଇ ଦେଇ ପାଣି ଭିତରେ ଛାଡି ଦିଆଯାଉଥିଲା । ପରେ ସେ କୌଶଳକ୍ରମେ ସେଠାରୁ ଖସି ଆସିବାରେ ସଫଳ ହେଉଥିଲେ । ହେଲେ ଏଥର କିନ୍ତୁ ମ୍ୟାଣ୍ଡ୍ରିକଙ୍କୁ ଏହି ଯାଦୁଗରୀ ମହଙ୍ଗା ପଡିଛି । ତାଙ୍କ ଯାଦୁବିଦ୍ୟା ତାଙ୍କୁ ଧୋକା ଦେଇଛି ।

ଷ୍ଟଂଟ ଦେଖାଇବା ପାଇଁ ନଦୀ ଭିତରେ ଛଡାଯିବାର ଦୀର୍ଘ ସମୟ ପରେ ବି ଫେରିନଥିଲେ ମ୍ୟାଣ୍ଡ୍ରିକ । ଯାହା ସମସ୍ତଙ୍କ ମନରେ ଆଶା ଆଶଙ୍କା ସୃଷ୍ଟି କରିଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ମ୍ୟାଣ୍ଡ୍ରିକଙ୍କୁ ଖୋଜି ବାହାର କରିବା ପାଇଁ ହୁଗଳି ନଦୀରେ ଅପରେସନ ଆରମ୍ଭ କରିଥିଲା । ଆଉ ୨ ଦିନ ପରେ ଶେଷରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୨୦୧୩ପରି ସେ ଏଥର ଖସିଆସିବାରେ ସଫଳ ହୋଇପାରିନାହାନ୍ତି । ଯାଦୁଦେଖାଉଥିବା ମ୍ୟାଣ୍ଡ୍ରିକ ଯମପୁରକୁ ଚାଲି ଯାଇଛନ୍ତି ।