ୟୁଏଇରେ ଭାରତୀୟଙ୍କ ସ୍ୱପ୍ନ ସାକାର। ଉଦଘାଟିତ ହେଲା ଭବ୍ୟ ମନ୍ଦିର।

106

କନକ ବ୍ୟୁରୋ: ୟୁଏଇରେ ରହୁଥିବା ୩୫ ଲକ୍ଷ ଭାରତୀୟ ଏବଂ ଦୁବାଇରେ ରହୁଥିବା ୨୦ ଲକ୍ଷ ଭାରତୀୟଙ୍କୁ ମିଳିଛି ମନ୍ଦିର । ଇସଲାମିକ ଦେଶ ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇରେ ଖୋଲିଲା ବହୁ ପ୍ରତୀକ୍ଷିତ ହିନ୍ଦୁ ମନ୍ଦିର । ପବିତ୍ର ବିଜୟାଦଶମୀ ଅବସରରେ ଏହି ନୂଆ ହିନ୍ଦୁ ମନ୍ଦିରର ଶୁଭାରମ୍ଭ ହୋଇଛି । ୟୁଏଇରେ ବିଭିନ୍ନ ଧର୍ମର ଲୋକଙ୍କୁ ଏକାଠି କରିବା ସହ ସହନଶୀଳତା, ଶାନ୍ତି ଓ ସୌହାର୍ଦ୍ଦ୍ୟର ଏହା ଏକ ଶକ୍ତିଶାଳୀ ପ୍ରତୀକ ବୋଲି କୁହାଯାଉଛି । ଏମିରେଟସର ଜେବଲ ଅଲ୍ଲୀ କରିଡରରେ ଥିବା ଏହି ମନ୍ଦିରକୁ ଅକ୍ଟୋବର ୪ ତାରିଖରେ ଭକ୍ତଙ୍କ ବିଧିବଦ୍ଧ ଭାବେ ଖୋଲାଯାଇଛି । ଏଥିରେ ୭ଟି ଚର୍ଚ୍ଚ, ଗୋଟିଏ ମନ୍ଦିର ଓ ଗୋଟିଏ ଗୁରୁଦ୍ୱାର ସମେତ ମୋଟ ୯ଟି ଧାର୍ମିକପୀଠ ରହିଛି ।

ଦୁବାଇରେ ଏହି ହିନ୍ଦୁ ମନ୍ଦିରର ନିର୍ମାଣ କେତେ ଦ୍ରୁତ ଗତିରେ ହୋଇଛି, ୫୦ ସେକେଣ୍ଡର ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ମାତ୍ର ତିନି ବର୍ଷ ଭିତରେ ନିର୍ମିତ ହୋଇଛି ଏହି ମନ୍ଦିର । ମନ୍ଦିର ନିର୍ମିତ ହେଲା ପରେ ଯେଉଁଭଳି ଦୃଶ୍ୟ ଦେଖିବାକୁ ମିଳିଛି, ତାହା କୌଣସି ସ୍ୱପ୍ନ ପୂରଣ ହେବା ଠାରୁ କମ୍ ନୁହେଁ । ମନ୍ଦିର ଭିତରେ ୧୦୫ଟି ଘଣ୍ଟି ଭକ୍ତଙ୍କ ପାଇଁ ରଖାଯାଇଛି । ଦକ୍ଷିଣ ଭାରତୀୟ ଦେବାଦେବୀ କଳାପଥରରେ ନିର୍ମିତ ହୋଇଛନ୍ତି । ମନ୍ଦିର ଭିତରେ ଭଗବାନ ଶିବଙ୍କ ମୂର୍ତ୍ତି ଦୃଷ୍ଟି ଆକର୍ଷଣ କରୁଛି । ଏହାବ୍ୟତୀତ ଅନ୍ୟ ୧୫ ଭଗବାନ ମଧ୍ୟ ବିରାଜମାନ କରିଛନ୍ତି । ଭଗବାନ ଗଣେଶ, ଶ୍ରୀକୃଷ୍ଣ, ମହାଲକ୍ଷ୍ମୀ ଓ ଦକ୍ଷିଣ ଭାରତୀୟ ଦେବତା ଗୁରୁ ଆୱରପ୍ପନ ଏବଂ ଆୟପ୍ପନଙ୍କ ସ୍ଥାପନା ହୋଇଛି । ମନ୍ଦିର ପ୍ରାଙ୍ଗଣର ପିଲାରରେ ଥିବା ଗଛ, ଫୁଲ, ହାତୀ ଓ ଘଣ୍ଟିକୁ ରାଜସ୍ଥାନର କାରିଗରମାନେ ପ୍ରସ୍ତୁତ କରିଛନ୍ତି ।

ମନ୍ଦିର ଭିତରକୁ ପ୍ରବେଶ ପାଇଁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଭକ୍ତମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ । ସେପ୍ଟେମ୍ବରରେ ପାଖାପାଖି ୨ଲକ୍ଷ ଲୋକେ ରେଜିଷ୍ଟ୍ରେସନ୍ କରିଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା ଏଠାରେ ଏକ ବିଶାଳ କମ୍ୟୁନିଟି ହଲ୍ ନିର୍ମାଣ କରାଯିବ । ଯାହାଦ୍ୱାରା ହିନ୍ଦୁ ବିବାହ, ନାମକରଣ ଓ ଯଜ୍ଞ ଆଦି କରାଯାଇପାରିବ । ମନ୍ଦିର ପାଖରେ ଏକ ବଡ଼ ରୋଷଶାଳା ରହିଛି, ଯେଉଁଠାରେ ଖାଦ୍ୟପାନୀୟ ଆଦି ବ୍ୟବସ୍ଥା ରହିଛି । ସେପଟେ ଆବୁଧାବିରେ ୮୮୮ କୋଟି ଟଙ୍କା ବ୍ୟୟରେ ଦ୍ୱିତୀୟ ଭବ୍ୟ ହିନ୍ଦୁ ମନ୍ଦିରର ଆରମ୍ଭ ହୋଇସାରିଛି । ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ୟୁଏଇ ଗସ୍ତ କରିଥିଲେ, ସେତେବେଳେ ହଜାର ବର୍ଷ ଧରି ତିଷ୍ଠିବାକୁ ଥିବା ଏହି ମନ୍ଦିର ନିର୍ମାଣର ଘୋଷଣା କରିଥିଲା ୟୁଏଇ ସରକାର ।