ଥାଇଲାଣ୍ଡ ରେସକ୍ୟୁ ଅପରେସନରେ ସାମିଲ ଥିଲା ଭାରତୀୟ କମ୍ପାନି । ଗୁମ୍ଫାରୁ ପାଣି କାଢିବାକୁ ଥାଇଲାଣ୍ଡ ସରକାର ନେଇଥିଲେ ସହାୟତା

19

ମଙ୍ଗଳବାର ଦିନ ଥାଇଲ୍ୟାଣ୍ଡ ଗୁମ୍ପରୁ ଶେଷ ପର୍ଯ୍ୟାୟ ଅପରେସନରେ ୪ ଖେଳାଳି ଓ କୋଚଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲା ପରେ ସାରା ବିଶ୍ୱ ଆଶ୍ୱସ୍ତ ହୋଇଥିଲା । ଗୁମ୍ଫା ମଧ୍ୟରେ ମୃତ୍ୟୁକୁ ମାତ୍ ଦେଇ ଦୀର୍ଘ ୧୮ ଦିନ ପରେ ବାହାରକୁ ବାହାରିବା ପରେ ଝୁମି ଉଠିଥିଲା ପୂରା ବିଶ୍ୱ । ସେହି ସମୟରେ ସେଠାରେ ଉପସ୍ଥିତ ୨ ଭାରତୀୟ ମଧ୍ୟ ଖୁସିରେ ଝୁମିଥିଲେ । କାରଣ ଏହି ଅପରେସନରେ ଭାରତ ଯୋଗାଇ ଦେଇଥିଲା ବୈଷୟିକ ସହାୟତା । ଏକଥା ହୁଏତ ବହୁତ କମ ଲୋକ ଜାଣିଥିଲେ । କିନ୍ତୁ ଏହି ରେସ୍କ୍ୟୁ ଅପରେସନରେ ଭାରତର ମଧ୍ୟ ଅବଦାନ ରହିଥିଲା ।

ଖେଳାଳି ଓ କୋଚଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଥିଲା କିର୍ଲୋସ୍କର ବ୍ରଦର୍ସ କମ୍ପାନୀର ପମ୍ପ । ଏହି ହାଇ-ପାୱାର ପମ୍ପ ସାହାଯ୍ୟରେ ଗୁମ୍ପା ଭିତରୁ ବନ୍ୟା ଜଳ ନିଷ୍କାସନ ପାଇଁ ଜେନେରେଟର ସାହାଯ୍ୟ ନିଆଯାଇଥିଲା । ଆଉ ଏଥିପାଇଁ ଥାଇଲ୍ୟାଣ୍ଡର କାଳ ଗୁମ୍ପାରେ ଉପସ୍ଥିତ ଥିବା ୭ ଜଣିଆ ଟିମର ସଦସ୍ୟ ଥିଲେ ଦୁଇ ଭାରତୀୟ । ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର ପ୍ରସାଦ ଓ ପୁଣେର ଇଂଜିନିୟର ଶ୍ୟାମ ଶୁକ୍ଲାଙ୍କ ସହ ଏହି ଟିମରେ ଥିଲେ ନ୍ୟାଦରଲାଣ୍ଡସ ଓ ୟୁକେର ସଦସ୍ୟ । ଜୁଲାଇ ୫ତାରିଖ ଦିନ ୪ କିଲୋମିଟର ଲମ୍ବା ଗୁମ୍ପା ଭିତରୁ ପାଣି ନିଷ୍କାସନ କରିବା କାମରେ କିର୍ଲୋସ୍କର ବ୍ରଦର୍ସ କମ୍ପାନୀର ପମ୍ପ ଲଗାଯାଇଥିଲା । ପୂର୍ବରୁ ମଧ୍ୟ ଥାଇ ସରକାର ସହ କମ୍ପାନୀ ଅନେକ ଥର କାମ କରି ସାରିଛି ।