କରୋନା କାଳରେ ଧନୀଙ୍କ ବଢ଼ିଲା ଧନ, ଗରିବ ହୋଇଗଲେ ଆହୁରୀ ଗରିବ । ୩୫ ପ୍ରତିଶତ ବଢ଼ିଲା ଭାରତର ୧୧ ଜଣ ବଡ଼ ପୁଞ୍ଜିପତିଙ୍କ ସମ୍ପତ୍ତି

107

କନକ ବ୍ୟୁରୋ: କରୋନା ପାଇଁ ଦେଶରେ ଲକଡାଉନ ଘୋଷଣା ହେବା ପରେ ସାରା ଦେଶରେ ରାସ୍ତାରେ ଚାଲୁଥିବା ଶ୍ରମିକଙ୍କ କରୁଣ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେଲା । ପିଲାଛୁଆଙ୍କୁ ଧରି ଶହ ଶହ କିଲୋମିଟର ଚାଲିଲେ ଦାଦନ ଶ୍ରମିକ । ଏହି ଦୃଶ୍ୟ ସେତେବେଳେ ସାରା ବିଶ୍ୱରେ ଭାରତର ଶ୍ରମିକ ବର୍ଗର ପ୍ରକୃତ କାହାଣୀକୁ ସାମ୍ନାକୁ ଆଣିଥିଲା ।

ଆଉ କରୋନା ପରେ ପ୍ରଥମଥର ପାଇଁ ଅକ୍ସଫାମ ତାହାର ରିପୋର୍ଟ ରିଲିଜ କରିଛି । ଆଉ ଏହି ରିପୋର୍ଟ ଯାହା କହିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଲକଡାଉନ୍ ହେତୁ ଗରିବ ରୋଜଗାରର ମାଧ୍ୟମ ହରାଇ ବସିଲା  ଆଉ ମଧ୍ୟବିତ୍ତର ଚାକିରୀ ବି ପଳେଇଲା  କିନ୍ତୁ ଧନୀର ସମ୍ପତି ବଢିବାକୁ ଲାଗିଲା ।

ଗରିବଙ୍କୁ ଆହୁରି ଗରିବ କରିଦେଲା କରୋନା

ଚାକିରୀ ହରାଇଲେ ଲକ୍ଷ ଲକ୍ଷ ମଧ୍ୟବିତ ପରିବାର 

ହେଲେ ଧନୀଙ୍କ ପାଇଁ ସୁଯୋଗ ବନିଗଲା କରୋନା

ଧନୀ ପାଇଲେ କୋଟି କୋଟିର ଫାଇଦା

ଆମ ଦେଶରେ ମୁଖ୍ୟତଃ ୧୧ ଜଣ ଅରବପତି କରୋନା କାଳରେ ଏମିତି ଲାଭ କଲେ ଯାହା ଜାଣିଲେ ଆପଣ ତାଜୁବ ହୋଇଯିବେ । ମୁକେଶ ଅମ୍ୱାନୀ, ଗୌତମ ଅଦାନୀ , ଶିବ୍ ନାଦାର, ସାଇରସ୍  ପୁନାୱାଲା, ଉଦୟ କୋଟାକ୍, ଆଜିମ୍ ପ୍ରେମଜୀ, ସୁନୀଲ ମିତଲ, ରାଧା କ୍ରିଷ୍ଣନ୍ ,କୁମାର ମଙ୍ଗଳମ୍ ବିର୍ଲା ଓ ଲକ୍ଷ୍ମୀ ମିତଲଙ୍କ ସମ୍ପତି ୩୫ ପ୍ରତିଶତ ବଢିଗଲା। ଅନ୍ୟପଟେ  ଏହି ସମୟରେ ଦେଶରେ  ୮୪ ପ୍ରତିଶତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲା । ଏପ୍ରିଲ ମାସରେ ଏପଟେ ଧନୀଙ୍କ ସମ୍ପତି ବଢୁଥିଲା ସେପଟେ ପ୍ରତିଘଂଟାରେ ଏକଲକ୍ଷ ୭ ହଜାର ଲୋକ ଚାକିରୀ ହରାଉଥିଲେ ।

ଅକ୍ସଫାମ୍ ତାର ରିପୋର୍ଟରେ କହିଛି ମୁକେଶ ଅଂବାନୀ କରୋନା ସମୟରେ ଏକ ଘଂଟାରେ ଯେତିକି ରୋଜଗାର କରୁଥିଲେ , ଜଣେ ଅଣକୁଶଳୀ ଶ୍ରମିକଙ୍କୁ ସେତିକି ରୋଜଗାର କରିବାକୁ ୧୦ ହଜାର ବର୍ଷ ଲାଗିଯିବ । ଅଂବାନୀ ଏକ ସେକେଣ୍ଡରେ ଯେତିକି ରୋଜଗାର କରୁଥିଲେ ଜଣେ ଅଣକୁଶଳୀ ଶ୍ରମିକକୁ ସେତିକି ରୋଜଗାର ପାଇଁ ୩ ବର୍ଷ ଲାଗିବ ।  ଏହି ରିପୋର୍ଟରେ କୁହାଯାଇଛି ଦେଶର ଏହି ୧୧ ଜଣ ଅରବ ପତି କରୋନା କାଳରେ  ଯେତିକି ରୋଜଗାର କରିଛନ୍ତି , ତାହାର ଯଦି ଏକ ପ୍ରତିଶତ ଟିକସରେ ନିଆଯାଏ, ତେବେ କେନ୍ଦ୍ର ସରକାରଙ୍କ ଜନଔଷଧୀ ଯୋଜନାରେ ଆବଂଟନ କରୁଥିବା ଅର୍ଥ ୧୪୦ ଗୁଣା ବଢିଯିବ ।

ଅନ୍ୟପଟେ ସାରାବିଶ୍ୱରେ ଅରବପତିଙ୍କର ସମ୍ପତି ୨୮୪ ଲକ୍ଷ କୋଟି ଟଙ୍କା ବଢିଗଲା । ଏପଟେ ସେହି ସମୟରେ ପ୍ରାୟ ୫୦ କୋଟି ଲୋକ ଗରିବ ହୋଇଗଲେ । କରୋନା ସମୟରେ ବିଶ୍ୱର ସବୁଠାରୁ ଧନୀ ୧୦ଜଣ ଅରବପତି ରୋଜଗାର କରିଥିବା ଧନ ଏତେବେଶୀ ଯେ ଏହା ଯଦି ଗରିବଙ୍କୁ ବାଂଟି ଦିଆଯାଏ ତେବେ କେହି ବି ଆଉ ଗରିବ ରହିବେ ନାହିଁ । ଅକ୍ସଫାମ୍ ତାହାର ରିପୋର୍ଟରେ ଭାରତ ସରକାରଙ୍କୁ ପରାମର୍ଶ ଦେଇ କହିଛି ୫୦ ଲକ୍ଷରୁ ଅଧିକ ଲାଭ କରୁଥିବା କମ୍ପାନୀ ଗୁଡିକ ଉପରେ ୨ ପ୍ରତିଶତ ଅସ୍ଥାୟୀ ସରଚାର୍ଜ ଲଗାଇବା ଉଚିତ  ଏବଂ ବର୍ତମାନ ଭାରତ ସରକାରଙ୍କ ଏହା ଦାୟିତ୍ୱ ବନିଯାଇଛି ଯେ ଗରିବଙ୍କ ଭବିଷ୍ୟତଙ୍କୁ ଆଖି ଆଗରେ ରଖି ଦୃଢ ପଦକ୍ଷେପ ନିଅନ୍ତୁ ।